ସୁରେଶ ରୈନାଙ୍କ ପରେ ହରଭଜନ ସିଂହଙ୍କୁ ସାହାଯ୍ୟ କଲେ ସୋନୁ ସୁଦ

ମୁମ୍ବାଇ: ଦ୍ଵିତୀୟ ଲହରରେ ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଶଯ୍ୟା, ଅକ୍ସିଜେନ୍ ସିଲିଣ୍ଡର ଓ ଔଷଧ କାରଣରୁ ଲୋକଙ୍କୁ ନାହିଁ ନଥିବାର ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି। କେବଳ ଜନସାଧାରଣ ନୁହନ୍ତି ବଡ ବଡ ବ୍ୟକ୍ତି ମଧ୍ୟ ଏଥିରୁ ବାଦ୍‌ ପଡି ନାହାନ୍ତି।

ଏହି କ୍ରମରେ ଚେନ୍ନାଇ ସୁପର କିଙ୍ଗ୍ସର ତାରକା ବ୍ୟାଟସମ୍ୟାନ ସୁରେଶ ରୈନାଙ୍କୁ ଅକ୍ସିଜେନ୍ ସିଲିଣ୍ଡର ପହଞ୍ଚାଇବା ପରେ ବଲିଉଡ ଅଭିନେତା ସୋନୁ ସୁଦ ଏବେ ହରଭଜନ ସିଂହଙ୍କୁ ସହାୟତାର ହାତ ବଢାଇଛନ୍ତି। କୋଭିଡ୍-୧୯ କାଳରେ ସୋନୁ ସୁଦ ସାମାଜିକ ଗଣମାଧ୍ୟମରେ ସାହାଯ୍ୟ ମାଗୁଥିବା ହଜାର ହଜାର ଲୋକଙ୍କୁ ସାହାଯ୍ୟ କରୁଛନ୍ତି। କରୋନା କାଳରେ ଲୋକଙ୍କୁ ସାହାଯ୍ୟ କରି ସେ ସମଗ୍ର ଦେଶରେ ପ୍ରିୟଭାଜନ ହୋଇ ପାରିଛନ୍ତି। ହରଭଜନ ସିଂହଙ୍କ ଏକ ଟ୍ଵିଟ୍ ପରେ ତାଙ୍କୁ ସାହାଯ୍ୟ କରିଥିବା ସୋନୁ ସୁଦ ଜଣାଇଛନ୍ତି।

ବୁଧବାର ଭାରତୀୟ କ୍ରିକେଟ୍‌  ଦଳର ବରିଷ୍ଠ ସ୍ପିନର ହରଭଜନ ସିଂହ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଜଣାଇଥିଲେ ଯେ, ସେ କର୍ଣ୍ଣାଟକରେ ଭର୍ତ୍ତି କୋଭିଡ୍-୧୯ରେ ସଂକ୍ରମିତ ଜଣେ ରୋଗୀଙ୍କ ପାଇଁ ରେମଡେସିଭିର ଇଞ୍ଜେକ୍ସନ ପାଇବାକୁ ଚେଷ୍ଟା ଚଳାଇଛନ୍ତି। ଭଜିଙ୍କ ଟ୍ଵିଟ୍‌ର ଉତ୍ତର ଦେଇ ସୋନୁ ସୁଦ ଟ୍ଵିଟ୍ କରିଥିଲେ ଯେ, ଆପଣ ଆଶ୍ଵସ୍ତ ରୁହନ୍ତୁ, ଇଞ୍ଜେକ୍ସନ ଆପଣଙ୍କ ପାଖକୁ ଖୁବ୍ ଶୀଘ୍ର ପହଞ୍ଚିଯିବ। କିଛି ଘଣ୍ଟା ପରେ ସୋନୁ ସୁଦଙ୍କ ଏହି ସାହାଯ୍ୟ ପାଇଁ ହରଭଜନ ସିଂହ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, ଧନ୍ୟବାଦ ଭାଇ… ଈଶ୍ଵର ତୁମକୁ ଆହୁରି ଶକ୍ତି ଦିଅନ୍ତୁ।

ସୋନୁ ସୁଦ ଲଗାତାର ଲୋକଙ୍କ ପାଇଁ ଅକ୍ସିଜେନ୍ ବେଡ୍ ଓ ରେମଡେସିଭିର ଇଞ୍ଜେକ୍ସନ ଯୋଗାଇ ଦେଉଛନ୍ତି। ଲୋକେ ସାମାଜିକ ଗଣମାଧ୍ୟମରେ ତାଙ୍କୁ ସାହାଯ୍ୟ ମାଗୁଛନ୍ତି। ଅଭିନେତା ମଧ୍ୟ ତୁରନ୍ତ ସହାୟତାର ହାତ ବଢାଉଛନ୍ତି। ସୁଦ ନିଜ ସଂର୍ପକୀୟଙ୍କ ପାଇଁ ଅକ୍ସିଜେନ୍ ସିଲିଣ୍ଡର ଖୋଜୁଥିବା ସୁରେଶ ରୈନାଙ୍କୁ ମଧ୍ୟ ସାହାଯ୍ୟ କରିଥିଲେ।

Spread the love