କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ

ଦେଶର ୧୦୦ ଜିଲ୍ଲାର ଜିଲ୍ଳାପାଳଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଶହେ ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା ଜଣାପଡ଼ିଛି। ମେ’ ୧୮ ଏବଂ ୨୦ରେ ପ୍ରଧାନମନ୍ତ୍ରୀ ଦୁଇଟି ଚରଣରେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିବେ। ପ୍ରଥମ ଚରଣରେ ୯ ରାଜ୍ୟର ୪୬ ଜିଲ୍ଲାପାଳଙ୍କ ସହ ବୈଠକ କରିବାକୁ ଥିବା ବେଳେ ଦ୍ବିତୀୟ ଫେଜ୍‌ରେ ୧୦ ରାଜ୍ୟର ୫୪ ଜିଲ୍ଲାପାଳଙ୍କ ସହ ଭର୍ଚୁଆଲି ବୈଠକ କରିବେ ନରେନ୍ଦ୍ର ମୋଦୀ।

କରୋନା ସଂକ୍ରମଣରୁ ବର୍ତ୍ତିବାର ଉପାୟ, ଟିକାକରଣ ଏବଂ କଟକଣାକୁ ନେଇ ମୋଦୀ ଆଲୋଚନା କରିବେ। କରୋନା ସଙ୍କଟରେ ପ୍ରଥମ ଥର ମୋଦୀ ଜିଲ୍ଲାଧିକାରୀଙ୍କ ସହ କଥା ହେବେ। ଏବେ ସୁଦ୍ଧା ମୋଦୀ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବହୁବାର ଆଲୋଚନା କରିସାରିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସଦ୍ୟ ରିପୋର୍ଟ ଅନୁସାରେ ଦେଶର ୧୦ ରାଜ୍ୟରେ ୭୨ ପ୍ରତିଶତକୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି।

ଏହି ସବୁ ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର, ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ, କେରଳ , କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନ ରହିଛି। ଏହା ସହ ୭୪ ପ୍ରତିଶତ ମୃତ୍ୟ ମଧ୍ୟ ଏହି ୧୦ ରାଜ୍ୟରେ ହେଉଛି। ଭାରତରେ ଗତ ୨୪ ଘଣ୍ଟାରେ ୩,୬୨,୭୨୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪,୧୨୦ ଜଣ ପ୍ରାଣ ହରାଇଛନ୍ତି।

Spread the love