ଚଉଠି ରାତିରେ ଶାଶୂଘରେ କଳାକନା ବୁଲାଇଲା କନିଆଁ

ବାହାଘର ପରେ ଶ୍ୱଶୂର ଘରେ କଳାକନା ବୁଲାଇ ଦିଏ ଲୁଟେରା ନବବଧୂ । ଏମିତି ଏକ କଥାବସ୍ତୁକୁ ନେଇ ତିଆରି ହୋଇଥିଲା ବଲିଉଡ ମୁଭି ‘ଡଲି କି ଡୋଲି’ । ଏହି ରିଲ କଥାବସ୍ତୁ କିନ୍ତୁ ରାଜଧାନୀରେ ବାସ୍ତବ ରୂପ ନେଇଛି । ସାତ ଜନ୍ମକୁ ସାକ୍ଷୀ ରଖି ବାହା ହୋଇଥିବା ଜଣେ ଯୁବତୀ ଚଉଠି ରାତିରେ ଶାଶୂ ଘରୁ ୨ ଲକ୍ଷ ଟଙ୍କାର ସୁନାଗହଣା ଓ ଟଙ୍କା ନେଇ ଚମ୍ପଟ ମାରିଛି । ଲକ୍‌ଡାଉନ୍‌ରେ ଖଣ୍ଡଗିରି ଥାନା ଡୁମୁଡୁମା ରଘୁନାଥନଗରରେ ଘଟିଥିବା ଏମିତି ଏକ ଅଭାବନୀୟ ଘଟଣାକୁ ନେଇ ଏବେ ରାଜଧାନୀରେ ଚର୍ଚ୍ଚା । ଶ୍ୱଶୁର ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଲୁଟେରା ବୋହୂଙ୍କୁ ଖୋଜିବା ଅଭିଯାନ ଆରମ୍ଭ କରିଛି ।

ଡୁମୁଡୁମା ରଘୁନାଥନଗର ରହୁଥିବା ସନ୍ତୋଷ ବାରିକ(ଛଦ୍ମନାମ)ଙ୍କୁ ଆଇଗଣିଆ ଫୁଲେଶ୍ୱର ବସ୍ତିରେ ରହୁଥିବା ମାମା (ଛଦ୍ମନାମ) ଗତ ୭ ତାରିଖରେ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ବେଳେ ଦାବି ମୁତାବକ ଯୌତୁକ ଓ ଅନ୍ୟ ଆସବାବପତ୍ର ସନ୍ତୋଷଙ୍କ ଘରକୁ ମିଳିଥିଲା । ଦମ୍ପତ୍ତିଙ୍କ ଚତୁର୍ଥୀ କାର୍ଯ୍ୟକ୍ରମ ୧୦ ତାରିଖ ରାତିରେ ସରିଥିଲା । ସେହି ରାତିରେ ମାମାଙ୍କ ଡ୍ରାମା ଆରମ୍ଭ ହେଲା । ସେ ରାତି ସାଢ଼େ ୧୦ଟାରେ ଶ୍ୱଶୁର ଘର ଲୋକଙ୍କୁ କହିଥିଲେ ଯେ, ତାଙ୍କର ମୁଣ୍ଡ ବୁଲାଇ ହେଉଛି । ଶ୍ୱଶୁର ଲୋକେ ମାମାଙ୍କ ମୁଣ୍ଡରେ ତେଲ ମାଲିସ କରିଥିଲେ । ମେଡିସିନ୍‌ ଆଣିବା ପାଇଁ କହିବାରୁ ମାମା କହିଥିଲେ, ମୁଁ ଟିକେ ଶୋଇ ପଡୁଛି । ମତେ କେହି ହଇରାଣ କରିବନି । କି ମତେ ଉଠାଇବନି । ଏମିତି କହି ସେ ଗୋଟିଏ ରୁମ୍‌ ଭିତର ପଟୁ ବନ୍ଦ କରି ଶୋଇପଡିଲେ ।

ତା’ ପରଦିନ ସକାଳୁ ଶ୍ୱଶୁର ଘର ଲୋକ ଯେତେ କବାଟ ବାଡେଇଲେ ବି ମାମ କବାଟ ଖୋଲିଲେନି । କିଛି ଅଘଟଣ ଆଶଙ୍କାରେ ତୁରନ୍ତ ଘର କବାଟକୁ ଭାଙ୍ଗି ରୁମ୍‌ ଭିତରକୁ ପଶିଥିଲେ ପରିବାର ଲୋକେ । ରୁମ୍‌ରେ ମାମା ନଥିଲେ । ଘର ଝରକା ଭଙ୍ଗା ଥିବା ଦେଖିବା ସହ ଆଲ୍‌ମିରାରୁ ୩ ଭରି ସୁନାଗହଣା ଓ ୫୦ ହଜାର ଟଙ୍କା ଥିବା ବ୍ୟାଗ ଗାଏବ୍‌ ଥିଲା । ଘରୁ ସୁନା ଅଳଙ୍କାର ନେଇ ନବବଧୂ ଚମ୍ପଟ ମାରିଛନ୍ତି ବୋଲି ଆଉ ବୁଝିବାକୁ ବାକି ନଥିଲା । ବହୁ ଖୋଜାଖୋଜି ପରେ ପରିବାର ଲୋକେ ମାମାଙ୍କୁ ନ ପାଇବାରୁ ଶେଷରେ ଖଣ୍ଡଗିରି ଥାନାରେ ୧୧ ତାରିଖ ଦିନ ଅଭିଯୋଗ କରିଛନ୍ତି । ଏହା ଏକ ପ୍ରେମଜନିତ ଘଟଣା ବୋଲି ପୁଲିସ ସନ୍ଦେହ କରୁଛି । ଫେରାର ଥିବା ନବବଧୂକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି ।

Spread the love