ତାଉକତେର ତାଣ୍ଡବ: ଗଲାଣି ୮ ଜୀବନ, କର୍ଣ୍ଣାଟକରେ ୭୩ଟି ଗାଁ ବିଧ୍ୱସ୍ତ

ଅତି ଭୀଷଣ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ତାଉକତେ ପ୍ରଭାବରେ ଆଜି ଗୋଆରେ ପ୍ରବଳ ବର୍ଷା ଲାଗି ରହିଛି। ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ି ରହିବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଉଚ୍ଚ ଜୁଆର ଆସୁଛି।  ଗୋଆ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରାୟ ଶହେଟି ବଡ ଘର ଏବଂ ଶହେଟି ଛୋଟ ଛୋଟ ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ବିଦ୍ୟୁତ ସରାବରାହ ମଧ୍ୟ ଅନେକ ସ୍ଥାନରେ ବନ୍ଦ ରହିଛି। ଗତକାଲି (ଶନିବାର) କର୍ଣ୍ଣାଟକରେ ତାଣ୍ଡବ ରଚିଥିଲା ଏହି ସାମୁଦ୍ରିକ ଝଡ। ପାଖାପାଖି ୬ଟି ଜିଲ୍ଲାରେ ୭୩ଟି ଗାଁ ବିଧ୍ୱସ୍ତ ହୋଇଥିବା ସହ ୪ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

କେରଳରେ ମଧ୍ୟ ୯ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ କେରଳର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି। ଅନେକ ଗାଁରେ ପାଣି ପଶିଯାଇ ଘରଦ୍ୱାର ଓ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ଅନେକ ସ୍ଥାନରେ ଗତକାଲିଠାରୁ ବିଦ୍ୟୁତ ସରବରାହ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ତାଉକତେର ମୁକାବିଲା ପାଇଁ ବର୍ତ୍ତମାନ ସୁଦ୍ଧା ୧୦୧ ଏନଡିଆରଏଫ୍ ଟିମ୍ ଆଲର୍ଟରେ ରହିଛନ୍ତି। ପ୍ରଭାବିତ ଆଶଙ୍କା ଥିବା ୬ଟି ରାଜ୍ୟ କେରଳ, କର୍ଣ୍ଣାଟକ, ତାମିଲନାଡୁ, ମହାରାଷ୍ଟ୍ର, ଗୋଆ, ଗୁଜରାଟ ସମେତ ଡାମନ ଡିଉରେ ଏସବୁ ଟିମ୍ ମୁତୟନ ରହିଛନ୍ତି। ଏହା ସହ ଅନ୍ୟ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ରେସକ୍ୟୁ ସହ ଏୟାର ଲିଫ୍ଟ  ପାଇଁ ୨୨ଟି ଟିମ୍ ଆଲର୍ଟରେ ରଖାଯାଇଥିବା ଏନଡିଆରଏଫ ପକ୍ଷରୁ ସୂଚନା ଦିଆଯାଇଛି।

ଏବେ ଏହି ସାଇକ୍ଲୋନିକ ଷ୍ଟର୍ମ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଆସନ୍ତାକାଲି ସୁଦ୍ଧା ଏହା ସୌରାଷ୍ଟ୍ର ଦେଇ ଗତି କରି ୧୮ ତାରିଖ ସକାଳେ ପୋରବନ୍ଦରରୁ ମହୁଆ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହି ସମୟରେ ଉତ୍ତର ମହାରାଷ୍ଟ୍ରରୁ ଗୁଜରାଟ ଉପକୂଳରେ ୧୫୫ରୁ ୧୬୫ କିଲୋମିଟର୍ ବେଗରେ ପବନ ବହିପାରେ। ଫଳରେ କେରଳ, ଗୋଆ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ ଉପକୂଳରେ ବ୍ୟାପକ କ୍ଷୟକ୍ଷତି ହେବା ନେଇ ପୂର୍ବନୁମାନ କରିଛି ପାଣିପାଗ ବିଭାଗ। ସେପଟେ ବାତ୍ୟା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମହାରାଷ୍ଟ୍ର, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଏବଂ ଡାମନ ଡିଉର ପ୍ରାଶାସନିକ ଅଧିକାରୀଙ୍କ ସହ ଆଇଏମଡି ଅଧିକାରୀ ଅାଲୋଚନା କରିଛନ୍ତି।
Spread the love