ଅକ୍ସିଜେନ୍ ପାଇଁ ଗଠନ ହେଲା ଟାସ୍କଫୋର୍ସ

ବଢୁଥିବା କରୋନା ସଂକ୍ରମଣ ଏବଂ ଏହାର ଚେନକୁ ବ୍ରେକ୍ ଦେବା ପାଇଁ ରାଜ୍ୟରେ ଲକ୍‌ଡାଉନ୍‌ ଅବଧି ୨ ସପ୍ତାହ ବୃଦ୍ଧି ପରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି। ବୈଠକରେ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ପ୍ରତି ଗୁରୁତ୍ଵାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଅକ୍ସିଜେନ୍ ପାଇଁ ଟାସ୍କଫୋର୍ସ ଗଠନ କରାଯାଇଛି।

ଆଜିର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଟିକାକରଣ ଉପରେ ଗୁରୁତ୍ଵ ଦେଇଛନ୍ତି। ଟିକାକରଣ କେନ୍ଦ୍ରରେ କେମିତି ସାମାଜିକ ଦୂରତ୍ଵ ବଜାୟ ରହିବ ସେଥିପ୍ରତି ଧ୍ୟାନ ଦେବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ହେଲ୍ପ ଡେସ୍କରେ ସୁଧାର ଆଣିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ମୋଟ୍ ଉପରେ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ଥିବା ନବୀନ ପଟ୍ଟନାୟକ କହିଛନ୍ତି। ଏଥିପାଇଁ ଲୋକଙ୍କ ସଚେତନତା ଓ ଲକ୍‌ଡାଉନ୍‌କୁ ସେ ଶ୍ରେୟ ଦେଇଛନ୍ତି। ଅପରପକ୍ଷେ କୋଭିଡ୍ ମୃତକଙ୍କ ପରିବାରକୁ ତୁରନ୍ତ ସହାୟତା ଉପଲବ୍ଧ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅପରପକ୍ଷେ ଅକ୍ସିଜେନ୍ ସୁପରିଚାଳନା ପାଇଁ ରାଜ୍ୟ ସରକାର ୯ ଜଣିଆ ଟାସ୍କଫୋର୍ସ ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କୁ ଟାସ୍କଫୋର୍ସର ଅଧ୍ୟକ୍ଷ କରାଯାଇଛି। ମେଡିକାଲ ଅକ୍ସିଜେନ୍ ଉତ୍ପାଦନ ଓ ବିତରଣ ତଦାରଖ କରିବ ଟାସ୍କଫୋର୍ସ। ଅକ୍ସିଜେନ୍ ଉପରେ ଟାସ୍କଫୋର୍ସ ଦୀର୍ଘମିଆଦି ଯୋଜନା କରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଅନ୍ୟ ଏକ ନିଷ୍ପତ୍ତି କ୍ରମେ ରାଜ୍ୟରେ ଦୈନିକ ୭୦ ହଜାର କୋଭିଡ୍ ଟେଷ୍ଟ କରାଯିବ। ଆଗାମୀ ସପ୍ତାହରେ ଟେଷ୍ଟ ସଂଖ୍ୟା ୭୦ ହଜାରକୁ ବୃଦ୍ଧି କରାଯିବ। ଟେଷ୍ଟ ସଂଖ୍ୟା ବୃଦ୍ଧି ସତ୍ତ୍ଵେ ରାଜ୍ୟରେ ପଜିଟିଭିହାର କମିବା ଭଲ ସଙ୍କେତ ବୋଲି ସରକାର କହିଛନ୍ତି। ରାଜ୍ୟରେ ମୃତ୍ୟୁହାର ୦.୪୦ରୁ ୦.୩୭କୁ ହ୍ରାସ ଘଟିଛି। ରାଜ୍ୟରେ ଖୁବ୍ ଶୀଘ୍ର ଆଉ ୩୬୮ଟି ଆଇସିୟୁ ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକ୍‌ଡାଉନ୍‌ ଅବଧିକୁ ଦୁଇ ସପ୍ତାହ ବଢାଇଛନ୍ତି। ମେ ୧୯ ସକାଳ ୭ଟାରେ ଶେଷ ହେଉଥିବା ଲକ୍‌ଡାଉନ୍‌କୁ ଜୁନ ୧ ସକାଳ ୫ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଲକ୍‌ଡାଉନ୍ ସହ ସପ୍ତାହାନ୍ତ ସଟ୍‌ଡାଉନ୍ ଜାରି ରହିବ। ଏଥର ଲକ୍‌ଡାଉନ୍‌କୁ ଆହୁରି କଡାକଡି କରାଯାଇଛି। ଏବେ ୨୫ ଜଣଙ୍କୁ ନେଇ ବିବାହ କାର୍ଯ୍ୟ ଏବଂ ୨୦ ଜଣଙ୍କୁ ନେଇ ଶୁଦ୍ଧିକ୍ରିୟା କରାଯିବ। ଏପରିକି ସୋମବାରଠୁ ଶୁକ୍ରବାର ପର୍ଯ୍ୟନ୍ତ ଦିଆଯାଉଥିବା କୋହଳକୁ ଦୁଇ ଘଣ୍ଟା କମାଇ ଦିଆଯାଇଛି। ଲକ୍‌ଡାଉନ୍‌ ସମୟରେ କିଛି ଦୋକାନକୁ ଖୋଲିବାକୁ ଅନୁମତି ଦିଆଯାଇଛି। ଏସବୁ ଦୋକାନ ସକାଳ ୭ଟାରୁ ୧୧ଟା ଯାଏଁ ଖୋଲା ରହିବ।

Spread the love