ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଲା ଧବଳ ବାନା

ପୁରୀ ୨୫।୫: ବାତ୍ୟା ‘ୟାସ୍’କୁ ନେଇ ଉପକୂଳବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବହିବା ନେଇ ସତର୍କ ସୂଚନା ଦିଆଯାଇଛି । ତେବେ ପ୍ରବଳ ବର୍ଷା ହେବା ସହିତ ଆଶ୍ଚର୍ଯ୍ୟଜନକ ଭାବେ ସଂଯୋଗ ରହିଛି ଶ୍ରୀମନ୍ଦିର ନୀଳଚକ୍ର ବାନାର । ଯେତେବେଳେ ନୀଳଚକ୍ରରେ ଧଳା ଅର୍ଥାତ ଧବଳ ବାନା ଲାଗିଥାଏ ସେତେବେଳେ ପ୍ରବଳ ବୃଷ୍ଟି ହେବାର ନଜିର ରହିଛି ।

‘ୟାସ୍’ ବାତ୍ୟା ପ୍ରଭାବରେ ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ଥିବାବେଳେ ସଂଯୋଗ ବଶତଃ ସୋମବାର ଶ୍ରୀମନ୍ଦିର ନୀଳଚକ୍ରରେ ଧବଳ ବାନା ଲାଗିଛି । ଆଉ ଏଥିପାଇଁ ‘ୟାସ୍’ ବାତ୍ୟା ଯୋଗୁଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପୂର୍ବରୁ ଫନି, ଅମ୍ପନ ବାତ୍ୟା ପୂର୍ବରୁ ମଧ୍ୟ ନୀଳଚକ୍ରରେ ଧଳା ବାନା ଲାଗିଥିଲା । କେବଳ ଏତିକି ନୁହେଁ ପୂର୍ବରୁ ଅନେକ ନଜିର ରହିଛି ଶ୍ରୀମନ୍ଦିର ନୀଳଚକ୍ରରେ ଧଳା ବାନା ଲାଗିଲେ ରାଜ୍ୟରେ ପ୍ରବଳ ବୃଷ୍ଟିପାତ ଏବଂ ଝଡ଼ ବାତ୍ୟା ହୋଇଥାଏ ।

ତେବେ ସବୁଠୁ ବଡ଼ କଥା ହେଉଛି ବର୍ଷା ହେବାର ସୂଚନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ବା ଚୂନାର ସେବକ ଧଳା ବାନା ଲଗାଇନାହାନ୍ତି । ବରଂ ନୀଳଚକ୍ର ବାନା ଲଗାଇବା ନେଇ ଲଟେରୀ ହୋଇଥାଏ । ଯାହା ନାଁ ଲଟେରୀ ଉଠିବ ସେହି ଭକ୍ତଙ୍କ ବାନା ଶ୍ରୀମନ୍ଦିର ନୀଳଚକ୍ରରେ ଶୋଭା ପାଇବ । ଆଉ ସଂଯୋଗବଶତଃ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଧଳା ବାନା ଲାଗିଥିବା ବେଳେ ରାଜ୍ୟରେ ପ୍ରବଳ ବର୍ଷା ମଧ୍ୟ ହେଉଛି ।

ତେବେ ନୀଳଚକ୍ରରେ ଧଳା, ନାଲି, ହଳଦିଆ ରଙ୍ଗ ବାନା କେବଳ ଲାଗିଥାଏ । ଅନ୍ୟ କୌଣସି ରଙ୍ଗର ବାନା ଲାଗି ନ ଥାଏ । ସେହିପରି ପ୍ରତିଦିନ ଶ୍ରୀମନ୍ଦିର ନିର୍ଦ୍ଦିଷ୍ଟ ସେବାୟତ ଚୂନାର ସେବାୟତ ଏହି ବାନା ଲାଗି କରିଥାନ୍ତି । ସବୁଦିନ ସନ୍ଧ୍ୟା ସମୟରେ ବାନା ପରିବର୍ତ୍ତନ ହୋଇଥାଏ । ତେବେ ଧଳା ବାନା ଲାଗି ହୋଇଥିଲେ ପ୍ରବଳ ବୃଷ୍ଟିପାତ ହୋଇଥାଏ ବୋଲି ପୂର୍ବ କାଳରୁ ଦେଖାଯାଇଛି ବୋଲି ଚୂନାର ସେବାୟତ କୁହନ୍ତି । ସେହିପରି ନୀଳଚକ୍ରରେ ବାନା କୌଣସି ପ୍ରକାର ଉଡ଼ିଗଲେ ଅର୍ଥାତ ଖାଲିଥିଲେ ମହାପ୍ରଭୁଙ୍କ ନୀତିକାନ୍ତି ହୋଇ ନଥାଏ ।

Spread the love