୮ଟି ବାତ୍ୟାରେ ଓଡିଶାର ୩୨ ହଜାର କୋଟି କ୍ଷତି ‘ୟାସ୍’ ପରେ ମରାମତି, ପୁନରୁଦ୍ଧାର କାର୍ଯ୍ୟ ବଡ଼ ଆହ୍ବାନ

ନୂଆଦିଲ୍ଲୀ: ବାତ୍ୟା ‘ୟାସ୍’ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗର ଆକଳନରୁ ଜଣାପଡିଛି। ବାତ୍ୟା ଅପସରିଯିବା ପରେ କ୍ଷୟକ୍ଷତିର ପରିମାଣ ସଂପର୍କରେ ସୂଚନା ହାସଲ କରାଯାଇପାରିବ। ତେବେ, ବାତ୍ୟା ପରବର୍ତ୍ତୀ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ରାଜ୍ୟ ସରକାରଙ୍କ ପାଇଁ ସବୁଠାରୁ ବଡ଼ ଆହ୍ବାନ ହେବ। ଉଲ୍ଲେଖଯୋଗ୍ୟ, ୮ଟି ବାତ୍ୟାରେ ଓଡ଼ିଶାକୁ ୩୨ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି।

ସରକାରଙ୍କ ତଥ୍ୟ ଅନୁସାରେ, ୧୯୯୯ ମହାବାତ୍ୟା ପରଠାରୁ ଓଡ଼ିଶା ୮ଟି ବାତ୍ୟାର ସାମ୍ନା କରିଛି। ୨୦୧୩ ମସିହାରେ ଫାଇଲିନ୍ ଆସିଥିଲାବେଳେ ୨୦୧୪ରେ ହୁଡ୍‌ହୁଡ୍‌, ୨୦୧୮ରେ ତିତ୍‌ଲି, ପେଥାଇ ଓ ଡାଏ, ୨୦୧୯ରେ ଫନି ଓ ବୁଲ୍‌ବୁଲ୍ ଏବଂ ୨୦୨୦ରେ ବାତ୍ୟା ଅମ୍ଫାନ୍ ରାଜ୍ୟ ପାଇଁ ବିପର୍ଯ୍ୟୟ ଆଣିଥିଲା। ଏହି ୮ଟି ବାତ୍ୟାରେ ୧୬୦ ଜଣ ପ୍ରାଣ ହରାଇଥିଲା ବେଳେ ପ୍ରାୟ ୩୧ ହଜାର ୯୪୫ କୋଟି ୮୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ସରକାରୀ ସ୍ତରରେ ଆକଳନ କରାଯାଇଛି। ଏ ସବୁ ବାତ୍ୟାରେ ରିଲିଫ୍ ଓ ପୁନରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୯ ହଜାର ୪୮୦ କୋଟି ଟଙ୍କାର ସହାୟତା ଲୋଡ଼ାଯାଇଥିଲା। ତେବେ, ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ କେନ୍ଦ୍ର ସରକାର ୫୨୮୫ କୋଟି ଟଙ୍କା ପ୍ରଦାନ କରିଥିଲେ।

ଚଳିତଥର ‘ୟାସ୍‌’ ପରେ ପ୍ରକୃତ କ୍ଷୟକ୍ଷତି ଜଣାପଡ଼ିବ। ତେବେ, ଗତ ୧ ତାରିଖରେ ବିପର୍ଯ୍ୟନ୍ତ ରେସପନ୍ସ ପାଣ୍ଠିରୁ ମହାମାରୀ ମୁକାବିଲା ପାଇଁ ଆସିଥିବା ପ୍ରଥମ କିସ୍ତି ଅର୍ଥ ରାଜ୍ୟ ୟାସ୍‌ ମୁକାବିଲା ପାଇଁ ଖର୍ଚ୍ଚ କରିପାରିବେ ବୋଲି କୁହାଯାଇଛି। ଦ୍ବିତୀୟ କିସ୍ତି‌ ବାବଦରେ କେନ୍ଦ୍ର ସରକାର ରାଜ୍ୟକୁ ଖୁବ୍‌ଶୀଘ୍ର ୬୦୦ କୋଟି ଟଙ୍କା ପ୍ରଦାନ କରିବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ)ଠାରୁ ଆରମ୍ଭ କରି ବାତ୍ୟାର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍‌ଓ) ପର୍ଯ୍ୟନ୍ତ ବାତ୍ୟା ଉପରେ ତୀକ୍ଷ୍ମଣ ନଜର ରଖିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟର ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍‌ ପ୍ରଭାବିତ ରାଜ୍ୟର ଅଧିକାରୀମାନଙ୍କ ସହ ଲଗାତାର ଯୋଗାଯୋଗରେ ରହିଛନ୍ତି।

ଉଲ୍ଲେଖଯୋଗ୍ୟ, ୧୯୯୦ରୁ ୨୦୧୯ ମଧ୍ୟରେ ପୂର୍ବ ଭାରତରେ ୩୮ ପ୍ରତିଶତ ବାତ୍ୟା କେବଳ ଓଡ଼ିଶାରେ ହିଁ ହୋଇଛି। ବାରମ୍ବାର ବାତ୍ୟା, ମରୁଡ଼ି ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ‘ୟାସ୍‌’ର ପ୍ରଭାବ ମଧ୍ୟ ରାଜ୍ୟର ଆର୍ଥିକ ସ୍ଥିତି ଉପରେ ପ୍ରତିକୂଳ ପ୍ରଭାବ ପକାଇବ, ଏଭଳି ସମ୍ଭାବନାକୁ ଅସ୍ୱୀକାର କରାଯାଇ ନ ପାରେ।

Spread the love