ଝାଡ଼ଖଣ୍ଡରେ ପ୍ରବେଶ କଲା ବାତ୍ୟା’ୟାସ୍’

ଭୁବନେଶ୍ୱର ୨୭।୦୫: ଦୁର୍ବଳ ହୋଇ ଝାଡ଼ଖଣ୍ଡରେ ପହିଞ୍ଚିଛି ବାତ୍ୟା”ୟାସ୍ “। ବାତ୍ୟା ସିନା ଓଡିଶା ଛାଡିଛି କିନ୍ତୁ ପ୍ରଳୟର ପଦଚିହ୍ନ ଛାଡିଛି । ବାତ୍ୟା ପରର ଦୁର୍ଦ୍ଦଶା ବଢିଯାଇଛି ।

ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବେଶୀ କ୍ଷୟକ୍ଷତି ହୋଇଛି । ବିଭିନ୍ନ ସ୍ଥାନରେ ରାସ୍ତାରେ ଶୋଇ ଯାଇଛି ବଡ଼ ବଡ଼ ଗଛ । କେଉଁଠି ମୂଳ ମାଟିରୁ ଉପୁଡି ଯାଇଛି । ଲୋକଙ୍କ ଘର ଉପରେ ପଡ଼ିଛି ଗଛ । ବିଦ୍ୟୁତ ଖୁଣ୍ଟି ଭାଙ୍ଗି ଯାଇଛି । ବଡ଼ ବଡ଼ ହୋର୍ଡିଂ ସବୁକୁ ଫିଙ୍ଗି ଦେଇଛି ପବନ । ବାତ୍ୟା ଅପସରି ଯାଇଥିବା ବେଳେ ଜୋରଦାର ହୋଇଛି ପୁନରୁଦ୍ଧାର କାମ । ପ୍ରଭାବିତ ଅଞ୍ଚଳରେ ଓଡ୍ରାଫ, ଏନଡିଆରଏଫ୍ ଓ ଅଗ୍ନିଶମ ବାହୀନି ଗଛ ପଡ଼ିଥିବା ସ୍ଥାନରେ ସଫେଇକୁ ଜୋରଦାର କରିଛନ୍ତି ।

ବିଭିନ୍ନ ଜିଲ୍ଲାରେ ୬୦ରୁ ଓଡ୍ରାଫ ଟିମ୍, ଏନଡିଆରଏଫର ୫୨ଟି ଟିମ୍ ଓ ଅଗ୍ନିଶମ ବାହିନୀର ଶହେରୁ ଅଧିକ ଟିମ୍ ମୁତୟନ ଅଛନ୍ତି । ଗଛ କାଟି ଅବରୋଧ ହଟାଉଛନ୍ତି । ନିୟୋଜିତ ଅଛନ୍ତି ଗଛ କଟାଳି ଟିମ୍ । ଅତ୍ୟାଧୁନିକ ସରଞ୍ଜାମ ଓ ଯନ୍ତ୍ରପାତି ଜରିଆରେ ପୁନରୁଦ୍ଧାର କାମ ଚାଲିଛି । କୋଭିଡ ଗାଇଡଲାଇନ୍ ଓ ସତର୍କତା ସହ ଚାଲିଛି ପୁନରୁଦ୍ଧାର କାମ । ସେହିପରି ବାତ୍ୟା ପ୍ରଭାବିତଙ୍କ ଥଇଥାନ ଓ ରିଲିଫ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି ।

Spread the love