ବାତ୍ୟା “ୟାସ” ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ ପ୍ରଦାନ ପାଇଁ କୃଷି ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୨୭/୫ : ବାତ୍ୟା ୟାସ ପ୍ରଭାବିତ ଜିଲ୍ଲାଗୁଡିକରେ କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିର ଆକଳନ କରି ଏକ ପ୍ରାଥମିକ ରିପୋର୍ଟ ତୁରନ୍ତ ପ୍ରଦାନ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ , ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ପୂର୍ବାହ୍ନରେ ଭରଚୁଆଲ ମାଧ୍ୟମରେ ଆୟୋଜିତ ବୈଠକରେ ମନ୍ତ୍ରୀ ଡ଼ଃ ସାହୁ ବାତ୍ୟା ପ୍ରଭାବିତ ଜିଲ୍ଲାରେ କୃଷି, ଉଦ୍ୟାନ କୃଷି , ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଆଦିର କ୍ଷୟକ୍ଷତି ସମ୍ପର୍କରେ ବିଭାଗୀୟ ସଚିବ ଓ ନିର୍ଦ୍ଦେଶକ ମାନଙ୍କ ସହିତ ଆଲୋଚନା କରିଥିଲେ। ଜିଲ୍ଲା ଅଧିକାରୀ ମାନେ ତୁରନ୍ତ ବାତ୍ୟା ପ୍ରଭାବିତ ଅଂଚଳ ଗୁଡିକ ପରିଦର୍ଶନ କରି କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ ପଠାଇବା ପାଇଁ ମନ୍ତ୍ରୀ ଡ଼ଃ ସାହୁ କହିଥିଲେ। ବିଭିନ୍ନ ଜିଲ୍ଲାରୁ ପ୍ରାଥମିକ ରିପୋର୍ଟ ହସ୍ତଗତ ହେବା ପରେ ଏ ଦିଗରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଡ଼ଃ ସାହୁ କହିଥିଲେ । ପାଣି ସମ୍ପୂର୍ଣ୍ଣ ଛାଡିଗଲେ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିବା ପାଇଁ ମନ୍ତ୍ରୀ ଡ଼ଃ ସାହୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ଗୃହ ପାଳିତ ପଶୁ ଓ କୁକୁଡ଼ା ଫାର୍ମ କ୍ଷତିଗ୍ରସ୍ତ ହୋଇଥିଲେ ତା’ର ରିପୋର୍ଟ ପ୍ରଦାନ କରିବା ପାଇଁ ମନ୍ତ୍ରୀ ଡ଼ଃ ସାହୁ କହିଥିଲେ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ , ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର ରଘୁ ପ୍ରସାଦ , କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ଼ଃ ଏମ୍ ମୁଥୁକୁମାର , ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ଯୋଗ ଦେଇ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷପ ସମ୍ପର୍କରେ ସୂଚନା ଦେଇଥିଲେ ।

Spread the love