କରୋନା ସଂକ୍ରମିତ ବ୍ୟକ୍ତି ଏହି ଉପାୟରେ ପରିଷ୍କାର କରନ୍ତୁ ବାଥରୁମ୍, ରହିବନି ସଂକ୍ରମଣ ଭୟ

ବର୍ତ୍ତମାନ କରୋନା ଭାଇରସ ଆମ ସମସ୍ତଙ୍କ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଲୋକମାନେ ଘରୁ ବାହାରୁନାହାନ୍ତି। ଏଥିସହ ଘରେ ମଧ୍ୟ ନିଜ ନିଜ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେଉଛନ୍ତି। ତେବେ କରୋନା ସଂକ୍ରମିତ ହେବା ପରେ ସମସ୍ତେ ନିଜ ସ୍ୱାସ୍ଥ୍ୟ ଜଗୁଥିବା ବେଳେ ବାଥରୁମ କଥା କିନ୍ତୁ ଭୁଲି ଯାଇଥାନ୍ତି। ଏହି ସମୟରେ ବେଡରୁମ ସହ ବାଥରୁମକୁ ମଧ୍ୟ ପରିଷ୍କାର ରଖିବା ଉଚିତ। ଆସନ୍ତୁ ଜାଣିବା କରୋନା ସଂକ୍ରମିତ ବ୍ୟକ୍ତି ବ୍ୟବହାର କରୁଥିବା ବାଥରୁମକୁ କେମିତି ପରିଷ୍କାର କରିବେ…

ସବୁବେଳେ ବାଥରୁମ ଓ ପାଇଖାନାକୁ ସଫା ରଖିବାକୁ ଚେଷ୍ଟା କରନ୍ତୁ। ନଚେତ ସଂକ୍ରମଣ ବଢ଼ିପାରେ। କରୋନା ସଂକ୍ରମିତ ବ୍ୟକ୍ତି ବ୍ୟବହାର କରୁଥିବା ବାଥରୁମକୁ ଫିନାଇଲ କିମ୍ବା ଡେଟଲ ପକାଇ ନିୟମିତ ସଫା କରନ୍ତୁ। ବ୍ୟବହାର କରିବା ପୂର୍ବରୁ ମନେ ପକାଇ ଫିନାଇଲ ବ୍ୟବହାର କରନ୍ତୁ। ଏହା ଦ୍ୱାରା ଆପଣଙ୍କ ପୂର୍ବରୁ ଓ ପରେ ବାଥରୁମ ଯାଉଥିବା ବ୍ୟକ୍ତିଙ୍କ ସଂକ୍ରମଣ ଆପଣଙ୍କ ପାଖକୁ ଆସିବ ନାହିଁ।

ଏଥିସହ ପାଇଖାନାକୁ ପ୍ରତିଦିନ ବ୍ରସ ମାରି ସଫା କରନ୍ତୁ। ପାଇଖାନା ବ୍ୟବହାର କରିସାରିବା ପରେ ଅଧିକ ପାଣି ଢାଳନ୍ତୁ। ଯେମିତି ଟିକେ ବି ମଇଳା ଉପରେ ନ ରହେ। କାରଣ ସଂକ୍ରମିତ ବ୍ୟକ୍ତିଙ୍କ ଶରୀରର ବର୍ଜ୍ୟବସ୍ତୁରୁ ବି ସଂକ୍ରମଣ ହୋଇଥାଏ।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ, ବାଥରୁମ ଯାଇ ଆସିବା ପରେ ହାତ ଓ ପାଦକୁ ଭଲଭାବେ ସାବୁନରେ ଧୁଅନ୍ତୁ। ଆପଣ ଚାହିଁଲେ ହ୍ୟାଣ୍ଡୱାଶ ବି ବ୍ୟବହାର କରିପାରିବେ। ଫଳରେ ସଂକ୍ରମଣର ଭୟ ରହିବ ନାହିଁ।

Spread the love