ଜିନ୍ଦଲ ପ୍ଲାଣ୍ଟ ପରିସରରେ କୋଭିଡ୍ କେୟାର ସେଣ୍ଟରକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଲେ ଲୋକାର୍ପଣ

ଅନୁଗୋଳ ୧।୬: ଅନୁଗୋଳ ସ୍ଥିତ ଜିନ୍ଦଲ ପ୍ଲାଣ୍ଟରେ ଲୋକାର୍ପିତ ହେଲା କୋଭିଡ୍ କେୟାର ସେଣ୍ଟର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଲୋକାର୍ପିତ କରିଛନ୍ତି । ମଙ୍ଗଳବାର ଅନୁଗୋଳ ଗସ୍ତରେ ଯାଇ ଜିନ୍ଦଲ ହେଲିପ୍ୟାଡରେ ଓହ୍ଲାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ଜିନ୍ଦଲ ପ୍ଲାଣ୍ଟ ପରିସରରେ ନିର୍ମିତ ୨୭୦ ବେଡ଼ ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟରର ଲୋକାର୍ପିତ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହି କୋଭିଡ୍ କେୟାର ସେଣ୍ଟରର ୨୭୦ ବେଡ଼ରେ ସମ୍ପୂର୍ଣ୍ଣ ଭାବେ ଅକ୍ସିଜେନ ସଂଯୋଗ ରହିବ ।

ଏହାପରେ ବଳରାମ ପ୍ରସାଦଠାରେ ଥିବା ESI କୋଭିଡ୍ ହସ୍ପିଟାଲ ବୁଲିବାର କାର୍ଯ୍ୟକ୍ରମ ରହିଛି । ମଧ୍ୟାହ୍ନରେ ତାଳଚେର କୋଭିଡ୍ ହସ୍ପିଟାଲ ବୁଲି ଦେଖିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ତାଳଚେର କୋଭିଡ୍ ହସ୍ପିଟାଲ MCL ସହାୟତାରେ ସମ୍ ହସ୍ପିଟାଲ ଦ୍ବାରା ପରିଚାଳିତ ହେଉଛି ।

ଏହାପରେ କୋଭିଡ୍ ନିୟନ୍ତ୍ରଣ ପାଇଁ କ’ଣ କ’ଣ ପଦକ୍ଷେପ ନିଆଯାଇ ପାରିବ ସେ ବିଷୟରେ ସ୍ଥାନୀୟ ପ୍ରଶାସନ ସହ ସବିଶେଷ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ମଧ୍ୟ ଉପସ୍ଥିତ ରହିବେ ।

Spread the love