ବାପା ପରେ କରୋନାରେ ମାଆ ଚାଲିଗଲା, ଅନାଥ ଶିଶୁଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍‌

ଝାରସୁଗୁଡ଼ା, ୦୨/୦୬: କରୋନା କାରଣରୁ ବହୁତ ପିଲା ମା’ବାପାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି । କାହାର ମା’ କରୋନାରେ ପ୍ରାଣ ହରାଇଛନ୍ତି ତ ଆଉ କାହାର ବାପାଙ୍କ ଦେହାନ୍ତ ହୋଇଯାଇଛି । ଯେଉଁଥି ପାଇଁ ବହୁ ପିଲା ଖାଦ୍ୟପେୟଠାରୁ ଆରମ୍ଭ କରି ଆର୍ଥିକ ସଙ୍କଟ ମଧ୍ୟରେ ପଡୁଛନ୍ତି । ଅନେକ ପିଲା ବେସାହରା ହୋଇଯାଉଛନ୍ତି । ଏହି ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟ ଅବଗତ ହୋଇ ସମସ୍ତ ରାଜ୍ୟର ଜିଲା ପ୍ରଶାସନ ଏଭଳି ପିଲାମାନଙ୍କ ଦାୟିତ୍ଵ ନେବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି ।

ଆଜି ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌରାଞ୍ଚଳରୁ ଚାଇଲଡ଼ ଲାଇନ ଅସହାୟ ଯାଆଁଳା ଭାଇ ଭଉଣୀ ଦ୍ୱୟଙ୍କୁ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଏବଂ ଜିଲ୍ଲା ପ୍ରଶାସନ  ସହାୟତାରେ ଉଦ୍ଧାର କରିଛି । ୭ ବର୍ଷର ଏହି ଯମଜ ଭାଇ ଭଉଣୀଙ୍କ ବାପା ୨ ବର୍ଷ ପୂର୍ବରୁ ମୃତ୍ୟୁ ବରଣ କରି ସାରିଥିବା ବେଳେ ସପ୍ତାହକ ତଳେ ମା କରୋନାରେ ଚାଲିଯିବା ପରେ ଦୁଇ ଶିଶୁ ଅସହାୟ ହୋଇଯାଇଥିଲେ । ଶିଶୁ ଦ୍ୱୟଙ୍କ ଖାଇବା ପିଇବାରେ ଅସୁବିଧା ହେଉଥିବା ଖବର ପାଇ  ଉଦ୍ଧାର କରିବା ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା, ଚାଇଲ୍ଡ ଲାଇନ ଜିଲ୍ଲା ସଂଯୋଜକ ଆଶିଷ କୁମାର ପଣ୍ଡାଙ୍କୁ ଜଣେଇଥିଲେ ।

ତୁରନ୍ତ ଚାଇଲ୍ଡ ଲାଇନ ସ୍ଥାନୀୟ ସି.ଡି.ପି.ଓ., ୱାର୍ଡ କାଉନସିଲର ଏବଂ ପୂର୍ବତନ ପୌରପାଳିକା ଅଧ୍ୟକ୍ଷଙ୍କ ସହିତ କଥାବାର୍ତ୍ତା କରି ଶିଶୁ ଦ୍ୱୟଙ୍କୁ ଉଦ୍ଧାର କରି ବ୍ରଜରାଜନଗର ଥାନାରେ ସୂଚନା ପ୍ରଦାନ କରି ଶିଶୁ ଦ୍ୱୟର କୋଭିଡ଼ ପରୀକ୍ଷା କରାଇଥିଲେ । ନେଗେଟିଭ ରିପୋର୍ଟ ଆସିବା ପରେ ଶିଶୁ ମଙ୍ଗଳ କମିଟିରେ ଉପସ୍ଥାପନ କରାଯାଇଥିଲା ଏବଂ ଶିଶୁ ମଙ୍ଗଳ କମିଟିର ନିର୍ଦେଶ କ୍ରମେ ଶିଶୁ ଦ୍ୱୟଙ୍କୁ ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯାଇଛି ।

ଅସହାୟ ଶିଶୁ ଦ୍ୱୟଙ୍କ ସମସ୍ତ ଦାୟିତ୍ୱ ଜିଲ୍ଲା ପ୍ରଶାସନ ବହନ କରୁ ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି । ଅସହାୟ ଶିଶୁଙ୍କ ପ୍ରତି ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଯୋଜନାରେ ସାମିଲ କରାଯିବ ବୋଲି ଡି.ସି.ପି.ଓ. ସୁନନ୍ଦ ମହାରଣା କହିଛନ୍ତି

Spread the love