ବାଲେଶ୍ବରରେ ପହଞ୍ଚିଲେ ୪ଜଣିଆ ସେଣ୍ଟ୍ରାଲ୍ ଟିମ୍, ‘ୟାସ୍’ କ୍ଷୟକ୍ଷତିର କରିବେ ସମୀକ୍ଷା

ବାଲେଶ୍ବର ୭।୬: ବାଲେଶ୍ବର ଜିଲ୍ଲାରେ ପହଞ୍ଚିଲେ ୪ ଜଣିଆ ସେଣ୍ଟ୍ରାଲ ଟିମ୍ । ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ପରେ ସଦର, ସୋର ଓ ବାହାନଗା ବ୍ଲକ୍ ବାତ୍ୟାଞ୍ଚଳ ପରିଦର୍ଶନ କରିବେ । ଶେଷରେ ପ୍ରଶାସନ ସହିତ ସମୀକ୍ଷା କରିବା ପରେ ମୟୂରଭଞ୍ଜ ଗସ୍ତରେ ଯିବ ଟିମ୍ ।
ବାତ୍ୟା ‘ୟାସ୍’ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ରବିବାର ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଥିଲା କେନ୍ଦ୍ରୀୟ ଟିମ୍ । ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁନୀଲ କୁମାର ବର୍ଣ୍ଣଓ୍ବାଲଙ୍କ ନେତୃତ୍ବରେ ଏହି ଟିମ୍ ଆସିଛି। ଏହି ୭ ଜଣିଆ କେନ୍ଦ୍ରୀୟ ଟିମ୍ ଆଜିଠୁ ଦୁଇଦିନ ଧରି ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରିବେ।
ଆଜି ୪ଟି ବାତ୍ୟା ପ୍ରଭାବିତ ଜିଲ୍ଲା ପରିଦର୍ଶନ କରିବ ଏହି ଟିମ୍ । ୨ ଭାଗରେ ବିଭକ୍ତ ହୋଇ ଏହି ଟିମ୍ ୨ଟି ଲେଖାଁଏ ଜିଲ୍ଲା ଭିଜିଟ୍ କରିବ । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଗସ୍ତରେ ଯିବ ଏହି ଟିମ୍। ଏହା ପରେ ରାଜ୍ୟ ସରକାରଙ୍କ ସହିତ ମଧ୍ୟ ଆଲୋଚନା କରିବେ । ୨ ଦିନର ଅନୁଧ୍ୟାନ ପରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସହ ଏହି ଟିମ୍ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । କ୍ଷୟକ୍ଷତିର ଆକଳନ କରିବା ପରେ ଟିମ୍ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବ ।
ବାତ୍ୟା ‘ୟାସ୍’ର କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରରୁ ଏହି ଟିମ୍ ଓଡ଼ିଶା ଆସିଛି । ପୂର୍ବରୁ ରାଜ୍ୟ ସରକାର କ୍ଷୟକ୍ଷତିର ଆକଳନ ମଧ୍ୟ କରୁଛନ୍ତି। ଜିଲ୍ଲା ପ୍ରଶାସନ ମାଧ୍ୟମରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଅନୁସାରେ ୬୧୦କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ଏବେ କେନ୍ଦ୍ରୀୟ ଟିମ୍ ଆସି ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକ ପରିଦର୍ଶନ କରିବ।

Spread the love