ମୁଖ୍ୟମନ୍ତ୍ରୀ ଆତ୍ମପ୍ରଚାର ନୀତି ଯୋଗୁଁ ଓଡିଶାରେ ଏକ ଅସ୍ପଷ୍ଟ ଓ ଦ୍ୱନ୍ଦର ବାତାବରଣ ସୃଷ୍ଟି ହୋଇଛି: ଇରାସିସ୍ ଆଚାର୍ଯ୍ୟ

କୋଭିଡ୍ ସଂକ୍ରମଣର ପ୍ରଥମ ପର୍ଯ୍ୟାୟ ସମୟରେ ଟୀକା ଆସିବା ପୂର୍ବରୁ ରାଜ୍ୟରେ ଟୀକାର ଅଭାବ ରହିବ ନାହିଁ ଏବଂ ସମସ୍ତ ସ୍ଥାନରେ ଟୀକାକରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ପ୍ରତିଟି
ଓଡିଶାବାସୀଙ୍କ ଜୀବନ ମୂଲ୍ୟବାନ ଏବଂ ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ମାଗଣା ଟୀକାକରଣ ପାଇଁ ଅର୍ଡର ଦିଆସରିଛି । ଏହା ଦ୍ୱାରା
୨ କୋଟି ଓଡିଶାବାସୀ ଉପକୃତ ହେବେ ଏବଂ ଏଥିପାଇଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଗତ ଏପ୍ରିଲ ୨୫ ତାରିଖ
ଦିନ ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟ ଜରିଆରେ ଘୋଷଣା କରିଥିଲେ । ବର୍ତମାନ ସ୍ଥିତିରେ ଏହା ଅବାସ୍ତବରେ ପରିଣତ ହୋଇଛି ।
ଜନସଂଖ୍ୟା ଅନୁଯାୟୀ ଓଡିଶା କେନ୍ଦ୍ରରୁ ଯେତେ ସଂଖ୍ୟାରେ ଟୀକା ପାଇବା କଥା, ତାଠାରୁ ଅଧିକ ପାଇଛି । ସମଗ୍ର ଦେଶରେ
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ବ୍ୟାପକ ଟୀକାକରଣ ଚାଲିଥିବାବେଳେ ଓଡିଶାରେ ମୁଖ୍ୟମନ୍ତ୍ରୀ
ନବୀନ ପଟ୍ଟନାୟକଙ୍କ ଆତ୍ମପ୍ରଚାର ନୀତି ଯୋଗୁଁ ଏକ ଅସ୍ପଷ୍ଟ ଓ ଦ୍ୱନ୍ଦର ବାତାବରଣ ସୃଷ୍ଟି ହୋଇଛି ବୋଲି ଯୁବମୋର୍ଚ୍ଚା ରାଜ୍ୟ
ସଭାପତି ଶ୍ରୀ ଇରାସିସ୍ ଆଚାର୍ଯ୍ୟ କହିଛନ୍ତି ।
ବିଜେପି ଯୁବମୋର୍ଚ୍ଚା ତରଫରୁ ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ପତ୍ର ଲେଖି ଯୁବବର୍ଗଙ୍କ ଟୀକାକରଣରେ ଯେପରି ସମସ୍ୟା ସୃଷ୍ଟି
ନହୁଏ ଏବଂ ଟୀକାକରଣ କାର୍ଯ୍ୟକ୍ରମକୁ ବ୍ୟବସ୍ଥିତ କରିବା ପାଇଁ ଅନୁରୋଧ କରାଯାଇଥିଲା । ରାଜ୍ୟରେ ଯୁବବର୍ଗଙ୍କ ପାଇଁ ଟୀକାକରଣରେ ବିରାଟ ବଡ ଅବ୍ୟବସ୍ଥା ଦେଖାଦେଇଛି । ରାଜ୍ୟ ସରକାର ଓଡିଶାବାସୀ ଏବଂ ବିଶେଷ କରି ଯୁବବର୍ଗଙ୍କୁ ମିଛ
ପ୍ରତିଶୃତି ଦେବା ବନ୍ଦ କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ନିବେଦନ କରିଛନ୍ତି ।
ଗ୍ଲୋବାଲ ଟେଣ୍ଡର ବାହସ୍ପୋଟ ନା ସମସ୍ତ ଟୀକା ପାଇଁ କେନ୍ଦ୍ରକୁ ନିବେଦନ ଚିଠି ଲେଖିବା! ମୁଖ୍ୟମନ୍ତ୍ରୀଙ୍କ କେଉଁ ଉକ୍ତିଟି
ସତ ? ମୁଖ୍ୟମନ୍ତ୍ରୀଙ୍କ ଗତ ଏପ୍ରିଲ ୨୫ ତାରିଖ ଟ୍ୱିଟ୍ ଅନୁସାରେ ଯଦି ଓଡିଶା ସରକାର ୨ହଜାର କୋଟି ଟଙ୍କାର କୋଭିଡ୍ ଟୀକା
ଅର୍ଡର କରିସାରିଥିଲେ, ତେବେ ପୁଣି କାହିଁକି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କେନ୍ଦ୍ରକୁ ଚିଠି ଲେଖି ଟୀକା ଦେବା ପାଇଁ କହିଲେ ?
ବର୍ତମାନ ଓଡିଶାକୁ ଆସୁଥିବା କୋଭିଡ୍ ଟୀକା କେନ୍ଦ୍ରର ନା ରାଜ୍ୟ କିଣିଛି ? ପ୍ରତି ୨-୪ ଦିନରେ ନିଜ ମନ୍ତବ୍ୟ ବଦଳାଇ
ଲୋକଙ୍କୁ ଦ୍ୱନ୍ଦରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ ବାର୍ତା ଦେବା ପାଇଁ ଚାହୁଁଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।
କୋଭିଡ୍ ଟୀକା ପରିଚାଳନାରେ ରାଜ୍ୟ ସରକାର ସଂପୂର୍ଣ୍ଣ ଫେଲ ହୋଇଛନ୍ତି । ଯୁବବର୍ଗଙ୍କ ଟୀକାକରଣ ପାଇଁ ରାଜ୍ୟ
ସରକାର ଯେଉଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି କହିଥିଲେ, ତାହା କଣ ହେଲା ? ରାଜ୍ୟର ଯୁବବର୍ଗଙ୍କ ଆଉ
ପ୍ରତାରଣା ନକରି ଓ ବାହାସ୍ପୋଟ ମାରିବା ପରିତ୍ୟାଗ କରି ବର୍ତମାନ ସୁଦ୍ଧା ରାଜ୍ୟର କେତେ ଯୁବକ ଟୀକା ନେଇ ସାରିଛନ୍ତି ଏବଂ
ରାଜ୍ୟର ଯୁବବର୍ଗଙ୍କୁ କୋଭିଡ୍ ଟୀକାକରଣ ପାଇଁ କଣ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି, ତାହା ସାର୍ବଜନୀନ କରିବାକୁ ଶ୍ରୀ ଆଚାର୍ଯ୍ୟ
ଦାବୀ କରିଛନ୍ତି ।
ଏହି ଅବସରରେ ଯୁବମୋର୍ଚ୍ଚା ରାଜ୍ୟ ସଂପାଦକ ଡ.ପ୍ରକାଶ ଚନ୍ଦ୍ର ଦଳେଇ ଏବଂ ମିଡିଆ ସଂଯୋଜକ ସୁଜିତ ସାହୁ ପ୍ରମୁଖ
ଉପସ୍ଥିତ ଥିଲେ ।

Spread the love