ତୃତୀୟ ଲହରୀର ମୁକାବିଲା ପାଇଁ ୧୧୧୪ ଡାକ୍ତରଙ୍କୁ ଦିଆଯିବ ତାଲିମ

ଭୁବନେଶ୍ୱର, ୦୯|୦୬: ଶିଶୁଙ୍କ ସୁରକ୍ଷା ଉପରେ ଗୁରୁତ୍ବ । କରୋନାର ତୃତୀୟ ଲହର ପାଇଁ ଶିଶୁଙ୍କ ସୁରକ୍ଷା ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତୃତୀୟ ଲହର ମୁକାବିଲା ପାଇଁ ତାଲିମ ନେବେ ୧ ହଜାର ୧୧୪ ଡାକ୍ତର ଓ ୧ ହଜାର ୩୬ ସ୍ବାସ୍ଥ୍ୟକର୍ମୀ । ସେହିଭଳି ଆବଶ୍ୟକ ଉପକରଣ ଓ ଔଷଧ ମହଜୁଦ ରଖିବାକୁ ପରମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଦୈନିକ ଟିକାଦାନକୁ ୩ ଲକ୍ଷକୁ ବୃଦ୍ଧି କରିବାକୁ କହିଛନ୍ତି ।

କରୋନାର ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ । ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ବ୍ଲୁ-ପ୍ରିଣ୍ଟ । ବେଡ୍ ଓ ଅକ୍ସିଜେନ୍ ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ରାଜ୍ୟର କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନାର ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ସମ୍ପର୍କରେ ବିଶେଷଜ୍ଞମାନେ ମତ ଦେଉଥିବାରୁ, ଏବେଠାରୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ଆରମ୍ଭ କରି ମେଡିକାଲ ପର୍ଯ୍ୟନ୍ତ ୧୧୧୪ ଡାକ୍ତର ଓ ୧୦୩୬ ସ୍ବାସ୍ଥ୍ୟକର୍ମୀଙ୍କୁ ଶିଶୁ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ତାଲିମ ଦିଆଯିବ । ଏଥି ସହ କରୋନାର ତୃତୀୟ ଲହର ମୁକାବିଲା ପାଇଁ ୩ହଜାର ବେଡ୍, ୨ହଜାର ୩୯୦ ଆଇସୋଲେସନ ବେଡ୍ ଏବଂ ୬୧୦ ICU ବେଡ୍ ପ୍ରସ୍ତୁତ ରଖାଯାଇଛି । ସେହିଭଳି ଆବଶ୍ୟକ ଉପକରଣ ଓ ଔଷଧ ମହଜୁଦ୍ ରଖିବାକୁ ପରମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜୁନ୍ ମଧ୍ୟ ଭାଗରୁ ଗଞ୍ଜାମ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ଚତୁର୍ଥ ସେରୋ ସର୍ଭେ ଆରମ୍ଭ କରାଯିବ । ଏଥିରେ ପିଲାମାନଙ୍କ ବିଷୟରେ ବିଶେଷ ତଥ୍ୟ ସଂଗ୍ରହ କରାଯିବ । ତୃତୀୟ ଲହରର ମୁକାବିଲାରେ ଶିଶୁଙ୍କ ସୁରକ୍ଷା ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥି ସହ ଗଠିତ ଟେକ୍ନିକାଲ ଟାସ୍କ ଫୋର୍ସ କମିଟି ସୁପାରିଶ ଅନୁଯାୟୀ ଆଗୁଆ ପ୍ରସ୍ତୁତି କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ରାଜ୍ୟରେ ପଜିଟିଭ ରେଟ୍ ହ୍ରାସ ପାଇଥିଲେ ବି ଦୈନିକ ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲାଗୁଡ଼ିକ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟକରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବର୍ତମାନ ଚାଲିଥିବା ସର୍ଭେ କାର୍ଯ୍ୟ ସମ୍ପର୍କରେ ସଚେତନତା ସହିତ ଉପଯୁକ୍ତ ତଦାରଖ ଓ ଲକ୍ଷଣଯୁକ୍ତ ରୋଗୀଙ୍କର ତୁରନ୍ତ ଚିକିତ୍ସା ଉପରେ ଗୁରୁତ୍ବାରୋପ କରିଥିଲେ ନବୀନ । ବର୍ତମାନ ସୁଦ୍ଧା ରାଜ୍ୟରେ ୮୩ଲକ୍ଷ ୬୨ହଜାର ୧୦୫ ଡୋଜ୍ ଟିକା ଦିଆଯାଇଛି । ଟିକାକରଣ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ଭୁବନେଶ୍ବର । ଜୁଲାଇ ୧୫ସୁଦ୍ଧା ଭୁବନେଶ୍ବରରେ ୪୫ବର୍ଷରୁ ଉର୍ଦ୍ଧ୍ବ ସବୁ ଲୋକଙ୍କର ଦୁଇଟି ଡୋଜ ଟିକାକରଣ ହେବା ସହିତ ୧୮ରୁ ୪୪ବର୍ଷ ସମସ୍ତଙ୍କ ପ୍ରଥମ ଡୋଜ୍ ସମ୍ପୂର୍ଣ୍ଣ ହୋଇଯିବ । ତେବେ ସାରାରାଜ୍ୟରେ ଦୈନିକ ଟିକାଦାନକୁ ୩ଲକ୍ଷକୁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Spread the love