ଚାଷୀଙ୍କୁ ମୋଦୀ ସରକାରଙ୍କ ଉପହାର: ଧାନ କ୍ବିଣ୍ଟାଲ୍‌ ୧୯୪୦ ଟଙ୍କା

ନୂଆଦିଲ୍ଲୀ ୯/୬: ସାବିତ୍ରୀ ପୂର୍ବରୁ ଚାଷୀଙ୍କୁ ମୋଦୀ ସରକାରଙ୍କ ଉପହାର । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା ବୁଧବାର ବସିଥିବା କ୍ୟାବିନେଟ୍‌ ବୈଠକରେ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସ୍‌ପି) ବଢ଼ାଇବା ଉପରେ ନିଷ୍ପତ୍ତି ହୋଇଛି। ସରକାର ବିଭିନ୍ନ ଖରିଫ ଫସଲର ଏମଏସପି ୫୦ରୁ ୬୨ ପ୍ରତିଶତ ପର୍ଯ୍ୟନ୍ତ ଏମଏସପି ବୃଦ୍ଧି କରିଛନ୍ତି। କେନ୍ଦ୍ରୀୟ କ୍ୟାବିନେଟ୍‌ ବୈଠକରେ ଅନ୍ୟ କିଛି ନିଷ୍ପତ୍ତି ନିଆଯାଇଛି।

କ୍ୟାବିନେଟ୍‌ ନିଷ୍ପତ୍ତି ଅନୁସାରେ ସିଜନ ୨୦୨୧-୨୨ ପାଇଁ ଖରିଫ ଫସଲର ଏମଏସପି ଲାଗୁ ହେବ। ତେବେ ମିଳିଥିବା ସୂଚନା ଅନୁସାରେ ଧାନର ଏମଏସପି ୭୨ ଟଙ୍କା ବଢ଼ି କ୍ବିଣ୍ଟାଲ ପିଛା ୧୯୪୦ ଟଙ୍କାରେ ପହଞ୍ଚିଛି। ଗତବର୍ଷ ଧାନର ଏମଏସପି ୧୮୬୮ ଟଙ୍କା ହୋଇଥିଲା । ଚଳିତ ବର୍ଷ ରାଶି ଉପ​‌ରେ ଏମଏସପି ବଢ଼ିଛି । ରାଶିର ଏମଏସପି କ୍ବିଣ୍ଟାଲ୍‌ ପିଛା ୪୫୨ ଟଙ୍କା କରାଯାଇଛି । ସେହିଭଳି ହରଡ ଏବଂ ବିରିର ସର୍ବନିମ୍ନ ସହାୟକ ମୂଲ୍ୟ ୩୦୦ ଟଙ୍କା ପ୍ରତି କ୍ବିଣ୍ଟାଲ୍‌ ରଖାଯାଇଛି।

ଅନ୍ୟପଟେ ବାଦାମ ଏବଂ ନାଇଜରସିଡ୍‌ ଉପ​ରେ ଯଥାକ୍ରମେ ୨୭୫ ଏବଂ ୨୩୫ ଟଙ୍କା ବୃଦ୍ଧି ହୋଇଛି । ତେବେ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ଏହା ସହ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ‘ରେଲଓ୍ବେକୁ ୭୦୦ ମେଗାହର୍ଟଜ୍‌ ବ୍ୟାଣ୍ଡରେ ୫ ମେଗାହର୍ଟଜ ସ୍ପେକ୍ଟ୍ରମ୍‌ ଦିଆଯିବ। ଏହା ଦ୍ବାରା ରେଳବାଇ ନିଜର ସଂଚାର ପ୍ରଣାଳୀରେ ସୁଧାର ଆଣିପାରିବ।’

Spread the love