ଆଜିଠୁ ୧୪ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ୱର ୧୦/୦୬: ମୌସୁମୀକୁ ଧରି ଆସୁଛି ଲଘୁଚାପ । ବଙ୍ଗୋପସାଗରରେ ଲଘୁଚାପ ପାଇଁ ଦାନା ବାନ୍ଧି ସାରିଲାଣି । ଏହା ୧୦ରୁ ୧୪ ତାରିଖ ଯାଏଁ ବର୍ଷିବ । ଉପକୂଳରୁ ଆଭ୍ୟନ୍ତରୀଣ ପର୍ଯ୍ୟନ୍ତ ଲଗାଣ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଏଭଳି ବର୍ଷାରେ ବିଭିନ୍ନ ନଦୀ ଉଛୁଳିପାରେ । ବନ୍ୟା ସ୍ଥିତି ଉପୁଜିପାରେ । ସହରାଞ୍ଚଳର ତଳି ଇଲାକାରେ ଜଳବନ୍ଦୀ ସମସ୍ୟା ହୋଇପାରେ । ପାହାଡ଼ିଆ ଜାଗାରେ ଭୂସ୍ଖଳନ ଆଶଙ୍କା ବି ରହିଛି । ଏ ନେଇ ସତର୍କ କରାଇଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା । ସମସ୍ତ ଜିଲ୍ଲାପାଳ ଏବଂ ମହାନଗର ନିଗମ କମିଶନରଙ୍କୁ ସତର୍କତା ପଦକ୍ଷେପ ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ସ୍ଥିତି ମୁକାବିଲା ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବା ସହ ଆବଶ୍ୟକସ୍ଥଳେ ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ ପାଇଁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ସତର୍କ କରାଇଛନ୍ତି ଯେ, ଆସନ୍ତା ୧୮ ତାରିଖବେଳକୁ ଆଉ ଏକ ଲଘୁଚାପ ଆସିପାରେ । ଯାହାକି ମୌସୁମୀର ପ୍ରଥମ ପର୍ଯ୍ୟାୟ ବର୍ଷା ତୁଳନାରେ ଓଡ଼ିଶାରେ ଅଧିକ ବର୍ଷା କରାଇବ ।

ଭାରତୀୟ ପାଣିପାଗ ବିଭାଗ କହିଛି, ଦକ୍ଷିଣ-ପଶ୍ଚିମ ମୌସୁମୀ ଆଜି ମୁମ୍ବାଇରେ ପ୍ରବେଶ କରିଛି । ଓଡ଼ିଶା ଆଗମନ ପାଇଁ ପାଗ ଅନୁକୂଳ ରହିଛି । ଆସନ୍ତା ଦୁଇଦିନରେ ସାରା ଓଡ଼ିଶାକୁ ବ୍ୟାପିଯିବ ମୌସୁମୀ । ପୂର୍ବ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ୧୧ ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ୧୨ ତାରିଖବେଳକୁ ଏହା ଆହୁରି ଘନୀଭୂତ ହେବ । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୧୦ରୁ ୧୪ ଯାଏଁ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ଓ କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ଅଛି ।

ଆଜି ଅଧିକାଂଶ ଜାଗାରେ ବର୍ଷା ହୋଇପାରେ । କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ଜିଲ୍ଲାର କିଛି ଜାଗାରେ ପ୍ରବଳରୁ ଅତି ପ୍ରବଳ ଓ ସ୍ଥାନେ ସ୍ଥାନେ ଅତ୍ୟନ୍ତ ପ୍ରବଳ ବର୍ଷା ଅଜାଡ଼ିବା ଆଶଙ୍କା ଅଛି । ଏମିତି ହେଲେ କିଛି ସ୍ଥାନରେ ପାଣି ଜମିବା ସହ ଆକସ୍ମିକ ବନ୍ୟା ସ୍ଥିତି ଆସିପାରେ ।ଏହାବାଦ୍‌ ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଯାଜପୁର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ବରଗଡ଼, ମାଲକାନଗିରି, କୋରାପୁଟ,କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ନବରଙ୍ଗପୁରର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।

ଶୁକ୍ରବାର (୧୧ ତାରିଖ) ଅଧିକାଂଶ ଜାଗାରେ ବର୍ଷା ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଅନୁଗୁଳ, ଢେଙ୍କାନାଳର କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଏବଂ ଗୋଟିଏ ଦୁଇଟି ଜାଗାରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, କେନ୍ଦୁଝର, ମୟୂରଭଞ୍ଜର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ହୋଇପାରେ । ୧୨ ତାରିଖ (ଶନିବାର) ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ବିଶେଷ କରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ, ବରଗଡ଼, ସମ୍ବଲପୁର, ଅନୁଗୁଳରେ ପ୍ରବଳରୁ ଅତି ପ୍ରବଳ ଏବଂ ଅତ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ଅଛି । କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୧୩ରେ ଦକ୍ଷିଣ ଓ ଉତ୍ତର-ପଶ୍ଚିମ ଓଡ଼ିଶାର ଅନେକ ଜାଗାରେ ବର୍ଷା ହେବ । ସମୁଦ୍ର ଅଶାନ୍ତ ଯୋଗୁ ୧୦ରୁ ସମୁଦ୍ରକୁ ନଯିବା ପାଇଁ ସତର୍କ ସୂଚନା ଜାରି ହୋଇଛି ।

ଲଗାଣ ବର୍ଷା ହେଲେ ବନ୍ୟା ସହ ତଳି ଇଲାକାରେ ଜଳବନ୍ଦୀ ସମସ୍ୟା ଉପୁଜିପାରେ । ତେଣୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି, ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ କାର୍ଯ୍ୟାଳୟ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଚଳାଇବେ । ଜଳ ସମ୍ପଦ ବିଭାଗର ଯନ୍ତ୍ରୀମାନେ ନଦୀ ବନ୍ଧ ଉପରେ ନଜର ରଖିବେ । ଯେଉଁଠାରେ ନଦୀବନ୍ଧ ଦୁର୍ବଳ ଅଛି, ତାହା ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି । ଡ୍ରେନରେ ଯେପରି ବର୍ଷା ଜଳ ବିନା ବାଧାରେ ନିଷ୍କାସିତ ହୋଇପାରିବ, ସେଥିପାଇଁ ତାହାକୁ ସଫା ରଖିବାକୁ ତାଗିଦ୍‌ କରାଯାଇଛି । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ରହିଛି । ତେଣୁ ଭୂସ୍ଖଳନ ପ୍ରବଣ ଅଞ୍ଚଳରେ କ୍ଷୟକ୍ଷତି ରୋକିବାକୁ ସତର୍କତା ପଦକ୍ଷେପ ନେବା ସହ ପାହାଡ଼ ତଳି ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ନେବା ପାଇଁ କୁହାଯାଇଛି ।

Spread the love