ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ରହିବେ ‘କ୍ୟାପ୍ଟେନ୍’, ସିଦ୍ଧୁଙ୍କୁ ମିଳିପାରେ ଡେପୁଟିଙ୍କ ଦାୟିତ୍ୱ : କମିଟି ରିପୋର୍ଟ

ନୂଆଦିଲ୍ଲୀ ୧୦।୬: ପଞ୍ଜାବ କଂଗ୍ରେସର ବିବାଦ ସମାଧାନ ଲାଗି ଏଆଇସିସି କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ୩ ସଦସୀୟ କମିଟିଙ୍କ ରିପୋର୍ଟ ଆସିଛି। ମଲ୍ଲିକାର୍ଜୁନ ଖଡଗେ, ହରିଶ ରାୱତ ଓ ଜୟପ୍ରକାଶ ଅଗ୍ରୱାଲଙ୍କୁ ନେଇ ଗଠିତ ଏହି କମିଟି ପଞ୍ଜାବ ଗସ୍ତରୁ ଫେରିବା ପରେ ଗୁରୁବାର ସୋନିଆଙ୍କୁ ରିପୋର୍ଟ ପ୍ରଦାନ କରିଥିବା ବେଳେ ଏଥିରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ଟିମ୍‌ର କ୍ୟାପ୍ଟେନ ରଖିଛନ୍ତି।

କମିଟି ତାଙ୍କ ରିପୋର୍ଟରେ ରାଜ୍ୟ କଂଗ୍ରେସର ଅନେକ ବିଧାୟକ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଉପରେ ସେମାନଙ୍କର ଆସ୍ଥା ସ୍ଥାପନ କରିଥିବା ସୂଚିତ କରିଛନ୍ତି। ଏଣୁ ପଞ୍ଜାବରେ ଅମରିନ୍ଦରଙ୍କୁ ଆଗକୁ କଂଗ୍ରେସର ଚେହେରା ରଖିବା ଲାଗି କମିଟି ସୁପାରିଶ କରିଛନ୍ତି। ସେହିପରି ରିପୋର୍ଟରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଗ୍ରୁପିଜିମର କୌଣସି ଆଭାସ ମିଳିନଥିବାର ମଧ୍ୟ ସୂଚିତ କରାଯାଇଛି। ଏପରିକି ନବଜୋତ ସିଦ୍ଧୁଙ୍କୁ ନେଇ ଏପର୍ଯ୍ୟନ୍ତ ଦଳରେ କୌଣସି ଗୋଷ୍ଠୀ ମଧ୍ୟ ସୃଷ୍ଟି ହୋଇ ନଥିବାର ଉଲ୍ଲେଖ କରିଛନ୍ତି।

ତେବେ କମିଟି ପଞ୍ଜାବ କଂଗ୍ରେସରେ ଖାଲିଥିବା ପଦବୀଗୁଡିକ ପୁରଣ କରିବାକୁ ସୁପାରିଶ କରିଛନ୍ତି। ଏଠାରେ ଆଗାମୀ ବର୍ଷ ବିଧାନସଭା ନିର୍ବାଚନ ହେବ। ଏଣୁ ପାର୍ଟି ସରକାରରେ ଥିବା ବେଳେ ଏଭଳି କୌଣସି ଭୁଲ କରିବାକୁ ଚାହୁଁନି ଯେଉଁଥିରେ ଭୋଟ ପୂର୍ବରୁ ଲୋକଙ୍କ ମନରେ ପାର୍ଟିର ଛବି ଖରାପ ହେଉ। ସେହିପରି ଦଳରେ କେହି ନେତା ଯେପରି ଅସନ୍ତୁଷ୍ଟ ନ ରହନ୍ତୁ ସେଥିପ୍ରତି ମଧ୍ୟ ଦଳ ପ୍ରାଥମିକତା ଦେଉଛି। ତେବେ ରିପୋର୍ଟରେ କମିଟି ସିଦ୍ଧୁଙ୍କୁ ମଧ୍ୟ ଉପଯୁକ୍ତ ଗୁରୁତ୍ୱ ଦେଇଛନ୍ତି। ଏଥିରୁ ରାଜ୍ୟ କଂଗ୍ରେସରେ ସିଦ୍ଧୁଙ୍କୁ କୌଣସି ବଡ଼ ପଦପଦବୀ ମିଳିବାର ଅନୁମାନ କରାଯାଉଥିବା ବେଳେ ନିର୍ବାଚନ ପରେ ଆବଶ୍ୟକ ପଡିଲେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ମଧ୍ୟ କରାଯାଇପାରେ ବୋଲି ଅନୁମାନ କରାଯାଉଛି। ହୁଏତ ସିଦ୍ଧୁଙ୍କୁ ଆଗାମୀ ନିର୍ବାଚନ ଲାଗି ନିର୍ବାଚନ କମିଟିର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ଦିଆଯାଇପାରେ ବୋଲି ମଧ୍ୟ କୁହାଯାଉଛି।

Spread the love