ମଦୁଆ ସ୍ୱାମୀର ନିର୍ଯାତନା ସହି ହେଲାନି, ୫ ଝିଅଙ୍କୁ ଧରି ଟ୍ରେନ୍ ଆଗକୁ ଡେଇଁ ପଡିଲା ମାଆ…

ନୂଆପଡ଼ା,୧୧/୦୬: ନୂଆପଡ଼ା ଜିଲ୍ଲା ସୀମାନ୍ତ ପଡ଼ୋଶୀ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା ବେମଚା ଗାଁ ଇମଲିଭଟା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ମଦ୍ୟପ ସ୍ୱାମୀଙ୍କ ନିର୍ଯାତନ ସହିନପାରି ମା’ଙ୍କ ସହ ୫ ଜଣ ନାବାଳିକା ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଏଭଳି ଏକ ସ୍ପର୍ଶକାତର ଘଟଣା ପଡ଼ୋଶୀ ଛତିଶଗଡ଼ ସାଙ୍ଗକୁ ନୂଆପଡ଼ା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି ।

ମହାସମୁନ୍ଦ ଜିଲ୍ଲା ବେମଚା ଗାଁର କେଜଉରାମ ସାହୁ (୪୫) ସ୍ତ୍ରୀ ଉମା (୪୦), ବଡ଼ ଝିଅ ଅର୍ଣ୍ଣପୂର୍ଣ୍ଣା(୧୮), ଯଶୋଦା (୧୬), ଭୂମିକା (୧୪), କୁମକୁମ (୧୨), ତୁଲସୀ(୧୦)ଙ୍କୁ ନେଇ ରହୁଥିଲେ । କେଜୁରାମଙ୍କ ପ୍ରାୟ ୨ ଏକର ଜମି ରହିଛି । ସେ ମୁଢେନା ରାଇସ ମିଲରେ ହେମାଲି କାମ କରୁଥିଲେ । କେଜୁରାମ ଅନେକ ସମୟରେ ମଦ ପିଇ ଘରେ କଲି ଝଗଡ଼ା କରୁଥିଲେ । ଗତକାଲି ସନ୍ଧ୍ୟାରେ ମଦ ପିଇ ଘରକୁ ଫେରିଥିଲେ । ଘରେ ରାତ୍ରୀ ଭୋଜନକୁ ନେଇ ସ୍ତ୍ରୀ ଓ ଝିଅମାନଙ୍କ ସହ ଝଗଡ଼ା କରିଥିଲେ । ଝଗଡ଼ା ଉଗ୍ରରୂପ ନେଇଥିଲା । ମଦ୍ୟପ ସ୍ୱାମୀର ନିର୍ଯାତନାରେ ଅତିଷ୍ଠ ହୋଇ ସ୍ତ୍ରୀ ଉମା ୫ଜଣ ଝିଅଙ୍କୁ ଧରି ଘରୁ ବାହାରି ଯାଇଥିଲେ । ପରିବାର ଲୋକେ ଓ ସମ୍ପକୀୟମାନେ ସେମାନଙ୍କୁ ଖୋଜାଖୋଜି କରିଥିଲେ ବି କୌଣସି ପତ୍ତା ମିଳିନଥିଲା । ସେମାନେ ମହାସମୁନ୍ଦ ସ୍ଥିତ ଇମଲି ଭାଟା ନହର ପୋଲ ନିକଟରେ ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା କରିଥିବା ପରେ ଜଣାପଡ଼ିଥିଲା । ସକାଳେ ଉକ୍ତ ସ୍ଥାନରେ ସମସ୍ତଙ୍କୁ ଖଣ୍ଡ ବିଖଣ୍ଡିତ ମୃତ ଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ପ୍ରାଥମିକ ଯାଞ୍ଚ ପରେ ମଦ୍ୟପ ସ୍ୱାମୀ ପାଇଁ ସ୍ତ୍ରୀ ସମେତ ୫ ଜଣ ନିରିହ ଝିଅଙ୍କ ଜୀବନ ଚାଲି ଯାଇଥିବା ଜଣାପଡ଼ିଥିଲା ।

ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଦୁଃଖପ୍ରକାଶ କରିବା ସହ ତଦନ୍ତ କରିବାକୁ ମହାସମୁନ୍ଦ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୁଲିସର ସୂଚନାମତେ, କେଜଉରାମ କିଛିଦିନ ତଳେ ୨୬ କ୍ୱିଣ୍ଟାଲ ଧାନ ବିକ୍ରି କରିଛନ୍ତି । ତାଙ୍କର ବିପିଏଲ କାର୍ଡ ରହିଛି । କେଜଉରାମ ଜଣେ ନିୟମିତ ମଦ୍ୟପ । ଗତକାଲି ରାତିରେ ମଦ ନିଶାରେ ଘରେ ଝଗଡ଼ା କରିଥିଲେ । ଏଥିରେ ଅତିଷ୍ଠ ହୋଇ ମା’ ଓ ୫ ଝିଅ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ମହାସମୁନ୍ଦ ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Spread the love