ରଜରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ପୋଡପିଠା

ଆବଶ୍ୟକ ସାମଗ୍ରୀ

ବିରି – ୨କପ

ଅରୁଆ ଚାଉଳ – ୧କପ

ଗୁଡ଼ – ୧କପ ରୁ କମ

ନଡ଼ିଆ କୋରା – ୧ କପ

ଛେନା – ଆବଶ୍ୟକ ପରିମାଣରେ

ପେଷା ଚିନି – ୧ କପ

କାଜୁ, କିସମିସ – ଅଳ୍ପ

ଘିଅ – ଆବଶ୍ୟକ ଅନୁସାରେ

ଲୁଣ – ସ୍ୱାଦାନୁସାରେ

ଅଳେଇଚ, ଗୋଲମରିଚ ଗୁଣ୍ଡ – ଅଳ୍ପ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ବିରି ଓ ଚାଉଳକୁ ୪ ରୁ ୫ ଘଣ୍ଟା ପାଣିରେ ଭିଜାଇ ଦିଅନ୍ତୁ। ଏହାପରେ ବହଳିଆ ଭାବେ ପେଷି ଆଣ ପ୍ରସ୍ତୁତ କରନ୍ତୁ। ଆଣକୁ ଭଲ ଭାବେ ଫେଣ୍ଟି ୨ ଘଣ୍ଟା ରଖି ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ଏଥିରେ ଗୁଡ଼କୁ ପକାଇ କିଛି ସମୟ ଭାଜନ୍ତୁ। ଭାଜିବା ପରେ ଏଥିରେ ନଡ଼ିଆ କୋରା, ଅଳେଇଚ, ଗୋଲମରିଚ ଗୁଣ୍ଡ ପକାଇ ପୁଣି ଭଲ ଭାବେ ଗୋଳାନ୍ତୁ । କିଛି ସମୟ ଗୋଳାଇବା ପରେ ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ପ୍ରସ୍ତୁତ ହୋଇଥିବା ଆଣରେ ୧ ଚାମଚରୁ ସାମାନ୍ୟ କମ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ଗ୍ୟାସରେ କୁକର ବସାଇ ଏଥିରେ ୪ ରୁ ୫ ଚାମଚ ଘିଅ ପକାନ୍ତୁ।

ଅଳ୍ପ ଘିଅ କୁକର ଭିତର ଅଂଶରେ ମଧ୍ୟ ଲଗାନ୍ତୁ। ଏବେ କୁକରରେ ଆଣର ଗୋଟିଏ ସ୍ତର, ଗୁଡ଼ ନଡ଼ିଆ କୋରା ଭଜାର ଗୋଟିଏ ସ୍ତର, ଏପରି ପୁଣି ଆଣ, ଗୁଡ଼ ନଡ଼ିଆ କୋରା ଭଜା, ଛେନା, କାଜୁ କିସମିସ ଏହା ଉପରେ ଦେଇ କୁକରର ସିଟି ବାହାର କରି ଘୋଡ଼ଣୀ ଦେଇ ଗ୍ୟାସରେ ବସାନ୍ତୁ। ପ୍ରଥମେ ୧୦ ମିନିଟ ମଧ୍ୟମ ଆଞ୍ଚରେ ଓ ପୁଣି ୨୦ ମିନିଟ କମ ଆଞ୍ଚରେ ବସାନ୍ତୁ। ୨୦ ମିନିଟ ପରେ ଏହାକୁ ଏକ ପାତ୍ରକୁ କାଢନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ବିରି ଚାଉଳ ପୋଡ଼ ପିଠା। ଏବେ ଏହି ସ୍ୱାଦିଷ୍ଟ ପୋଡ ପିଠାକୁ କାଟି ପରିବାରକୁ ଖୁଆନ୍ତୁ ଏବଂ ସାହି ପଡିସାଙ୍କୁ ମଧ୍ୟ ଦେଇ ରଜର ଶୁଭେଚ୍ଛା ଜଣାନ୍ତୁ।

Spread the love