୧୯୭୫ର ଜରୁରିକାଳୀନ ପରିସ୍ଥିତିକୁ କେବେ ଭୁଲାଯାଇପାରିବନି ଏବଂ କ୍ଷମା କରି ହେବନାହିଁ – ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୯୭୫ ମସିହା ଜୁନ ୨୫ ତାରିଖରେ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧିଙ୍କ ଦ୍ୱାରା ଦେଶରେ ଜାରୀ ହୋଇଥିବା ଜରୁରିକାଳୀନ ପରିସ୍ଥିତିକୁ କେବେ ଭୁଲାଯାଇପାରିବନି କିମ୍ବା କ୍ଷମା କରି ହେବନାହିଁ ବୋଲି ଶୁକ୍ରବାର ରାଜ୍ୟ ବିଜେପି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ପକ୍ଷରୁ ‘ଜରୁରିକାଳୀନ ପରିସ୍ଥିତି’ ନେଇ ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ଆଲୋଚନାଚକ୍ରରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେଉଁ ମାତୃଭୂମିର ସ୍ୱାଧୀନତା ପାଇଁ ଶହ ଶହ ସଂଗ୍ରାମୀ, ବୀର ସୈନିକ ବ୍ରିଟିଶ ବିରୋଧରେ ଲଢ଼ି ନିଜର ବଳିଦାନ ଦେଇ ଦେଶକୁ ସ୍ୱାଧୀନତା ଦେଇଥିଲେ । ୪୬ ବର୍ଷ ପୂର୍ବେ ଆଜିର ଦିନରେ ସେତେବେଳର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଜରୁରିକାଳୀନ ପରିସ୍ଥ ିତି ଲାଗୁ କରି ଗଣତନ୍ତ୍ରର ହତ୍ୟା କରିଥିଲେ । ସେହି ସମୟରେ ଦେଶର ନେତା, ଛାତ୍ରଛାତ୍ରୀ, ଗଣମାଧ୍ୟମ ଏବଂ ସାଧାରଣ ଜନତାଙ୍କ ଦ୍ୱାରା ଦିଆଯାଇଥିବା ବଳିଦାନକୁ ଆମକୁ ସର୍ବଦା ସ୍ମରଣୀୟ ରଖିବା ପାଇଁ ହେବ । ଆଜିର ଦିନକୁ ଆମେ ପାଳୁଥିବା କଳା ଦିବସକୁ ନା କେବେ ଭୁଲାଯାଇପାରିବ ନା କେବେ କ୍ଷମା ଦିଆଯାଇପାରିବ । ଆଜିର ଯୁବ କାର୍ଯ୍ୟକର୍ତା ମାନେ ଏହାକୁ ଅନୁଧ୍ୟାନ କରିବା ଦରକାର । ଜରୁରୀକାଳିନ ପରିସ୍ଥିତି ଲାଗୁ କରି ଇନ୍ଦିରା ଗାନ୍ଧି ଦେଶରେ ଏକଛତ୍ରବାଦ ଶାସନ କରିଥିଲେ । ଲୋକଙ୍କର ପ୍ରଧାନମନ୍ତ୍ରୀଙ୍କପ୍ରତି ଥିବା ଆସ୍ଥା ଅତ୍ୟାଚାରରେ ପରିଣତ ହୋଇଥିଲା । କ୍ଷମତା ଲୋଭରେ ଜରୁରୀକାଳୀନ ପରିସ୍ଥିତି ଜାରୀ କରିବା ଥିଲା ମୂଳ ଉଦ୍ଦେଶ୍ୟ । ୧୯୭୫ ମସିହା ଜୁନ ୧୨ରେ ଆହ୍ଲାବାଦ ହାଇକୋର୍ଟ ଇନ୍ଦିରା ଗାନ୍ଧିଙ୍କ ନିର୍ବାଚନକୁ ଅବୈଧ ଘୋଷଣା କରିଥିଲେ । ସାଧାରଣ ଜନତାଙ୍କୁ ସାମ୍ନା କରିବାରେ ଅସମର୍ଥଇନ୍ଦିରା ଗାନ୍ଧି ୧୯୭୫ ମସିହା ଜୁନ ୨୫ ରେ ରାତାରାତି ଦେଶରେ ଜରୁରିକାଳୀନ ପରିସ୍ଥିତି ଲାଗୁ କରିଥିଲେ । ସମ୍ବାଦପତ୍ର ସଂସ୍ଥାର ଖବର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ରାଜନୈତିକ
ପ୍ରତିଦ୍ୱନ୍ଦୀ ଯଥା ଜର୍ଜ ଫର୍ଣ୍ଣାଡିସ, ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀଙ୍କ ଭଳି ନେତାଙ୍କୁ ବନ୍ଦୀ କରି ରଖିବା ସହ ଲୋକଙ୍କ ବାକ୍ ସ୍ୱାଧୀନତା ତଥା ମୌଳିକ ଓ ମାନବିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଥିଲା । ଜରୁରିକାଳୀନ ପରିସ୍ଥିତି ପ୍ରତ୍ୟାହାର ପରେ ୧୯୭୭ରେ ଲୋକସଭା ନିର୍ବାଚନ ହୋଇଥିଲା । କିନ୍ତୁ ଭାରତର ଜନତା ଶ୍ରୀମତି ଗାନ୍ଧିଙ୍କୁ କ୍ଷମତା ଆସନରୁ ଗାଦିଚ୍ୟୁତ କରିଥିଲେ । ପୁଣି ଥରେ ଇନ୍ଦିରା ଗାନ୍ଧିଙ୍କ ଅତ୍ୟାଚାର ବିରୋଧରେ ଗଣତନ୍ତ୍ରର ବିଜୟ ହୋଇଥିଲା । ମୋରାଜୀ ଦେଶାଇ ଭାରତର ପ୍ରଥମ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ହୋଇଥିଲେ ।
ପ୍ରଜାତନ୍ତ୍ରରେ ସମାଲୋଚନା ଏବଂ ତର୍କବିତର୍କ ହେବ । ପ୍ରଜାତନ୍ତ୍ର ବହୁମତର ସୁନ୍ଦରକୁ ପରିପ୍ରକାଶ କରିଥାଏ
। ଅନ୍ୟ ମତକୁ ଯଥାର୍ଥତା ଦେବା ହେଉଛି ଗଣତନ୍ତ୍ରର ମୂଲ୍ୟବୋଧ । ଆମେ ମଧ୍ୟ ଆଗାମୀ ଦିନରେ ଗଣତନ୍ତ୍ରର ନିଷ୍ପତିକୁ ମୁଣ୍ଡ ପାତି ସ୍ୱୀକାର କରିବାକୁ ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି ।

Spread the love