ରଥଯାତ୍ରା ପାଇଁ ଆସନ୍ତା ୮ରୁ ଆରମ୍ଭ ହେବ RTPCR ଟେଷ୍ଟ

ପାଖେଇ ଆସୁଛି ବିଶ୍ୱପ୍ରିସଦ୍ଧ ରଥଯାତ୍ରା। ଘୋଷଯାତ୍ରା ଆୟୋଜନ ନେଇ ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ। ଗତବର୍ଷ ପରି କେଉଁ ନିଯୋଗରୁ କେତେ ସେବାୟତ ରହିବେ, ରଥ ଉପରେ କେତେ ସେବାୟତ ରହିବେ ତାର ତାଲିକା ଖୁବଶୀଘ୍ର ପ୍ରକାଶ କରାଯିବ।

ରଥଯାତ୍ରାରେ ସାମିଲ ହେବାକୁ ଥିବା ସେବାୟତ, ପ୍ରାଶାସନିକ ଅଧିକାରୀ, ପରିମଳ କର୍ମଚାରୀ ଓ ପୋଲିସଙ୍କୁ ମିଶାଇ ୩୫୦୦ଜଣଙ୍କ ଆରଟିପିସିଆର ଟେଷ୍ଟ କରାଯିବ। ଆସନ୍ତା ୮ତାରିଖରୁ ଆରମ୍ଭ ହେବ ଟେଷ୍ଟିଂ। ପୁରୀକୁ ବସ୍‌ ଓ ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। କୌଣସି ହୋଟେଲ, ଲଜିଂ କିମ୍ବା ଧର୍ମଶାଳାରେ ପର୍ଯ୍ୟଟକ କିମ୍ବା ଶ୍ରଦ୍ଧାଳୁ ରହିପାରିବେ ନାହିଁ। ବଡ଼ଦାଣ୍ଡରେ ଜାରି ହେବ ୧୪୪ ଧାରା। କେବଳ ବଡ଼ଦାଣ୍ଡରେ ଘର କରିଥିବା ଲୋକଙ୍କ ପରିବାର ସଦସ୍ୟ ଛାତ ଉପରେ ଠିଆ ହୋଇ ରଥଯାତ୍ରା ଦେଖିପାରିବେ। କୌଣସି ବାହାର ଲୋକ କିମ୍ବା ଅତିଥିଙ୍କୁ ଛାତ ଉପରେ ଠିଆ ହେବାର ସୁଯୋଗ ଦିଆଯିବନାହିଁ। ବଡ଼ଦାଣ୍ଡରେ କେତେ ଘର ରହିଛି ଓ ସେମାନଙ୍କ ପରିବାରର ସଦସ୍ୟ ସଂଖ୍ୟା କେତେ ତାର ତାଲିକା ମଧ୍ୟ ପ୍ରସ୍ତୁତ କରୁଛି ଜିଲ୍ଲା ପ୍ରଶାସନ। ନିୟମ ଉଲ୍ଲଘଂନ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଏପଟେ ରଥଖଳାରେ ଦ୍ରୁତଗତିରେ ଚାଲିଛି ତିନିରଥର ନିର୍ମାଣ କାମ । ତିନି ରଥର ୧୨ଟି ଦୁଆରବେଢ଼ା ଓ ୨୪ଟି ନାଟଗୋଡ ଉଠିଛି । ଏଥିସହ ପ୍ରଭା ନିର୍ମାଣ କାମ ସରି ଉପର ଭାଗରେ କଳସ, ଦୁଇ ପଟେ ଦୁଇଟି ସିଂହ, ରାହୁରୂପ, ତଳ ଭାଗ ଦୁଇପଟରେ ପଦ୍ମଡାଳି ଲତା ଏବଂ ନିମ୍ନ ଭାଗରେ ମଗର ମୁଖ ଚିତ୍ର ଅଙ୍କନ କରି ଖୋଦେଇ କରାଯାଇଛି । ତିନି ରଥରେ ପଟା ପଡି ସିଂହାସନ ପାଇଁ ବେଦି ନିର୍ମାଣ ଶେଷ ହୋଇଛି ।

Spread the love