ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା: ହୋସ୍ ଆସିବା ପରେ ସତ ମାନିଲା ଅଭିଯୁକ୍ତ

ଭୁବନେଶ୍ଵର ୦୫।୦୭: ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମହିଳାଙ୍କ ମୃତଦେହ ପଡ଼ିଥିବା ଘରୁ ଗୁରୁତର ଅବସ୍ଥାରେ ଉଦ୍ଧାର ଯୁବକ ହିଁ ସଂପୃକ୍ତ ମହିଳାଙ୍କୁ ହତ୍ୟା କରିଛି । ମହିଳା ଓ ତାଙ୍କର ଏକ ଛୋଟ ପୁଅକୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ସୌଭାଗ୍ୟବଶତଃ ପିଲାଟି ଅଭିଯୁକ୍ତ କବଳରୁ ବର୍ତ୍ତିଯାଇଛି । ଏହି ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି ପୋଲିସ ।

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା । ହୋସ୍ ଆସିବା ପରେ ସତ ମାନିଲା ଅଭିଯୁକ୍ତ । ଭୁବନେଶ୍ବର ଭୀମଟାଙ୍ଗି କଲୋନୀ ଫେଜ୍ ଓ୍ଵାନରେ ସଂପୃକ୍ତ ମହିଳାଙ୍କ ସହ ତାଙ୍କର ଏକ ଛୋଟ ପୁଅକୁ ମଧ୍ୟ ହତ୍ୟା କରିବାକୁ ଆସିଥିଲା ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ । ଜଗନ୍ନାଥର ଘର ଯାଜପୁରର ବଡ଼ମଙ୍ଗଳା ଅଂଚଳରେ । ଉଭୟ ମାଆ ପୁଅଙ୍କୁ ମାରିବାକୁ ଆସିଥିଲା ଜଗା । ତେବେ ଘର ମାଲିକଙ୍କ ଘରେ କୁନି ପୁଅଟି ରହିଯାଇଥିବାରୁ ହତ୍ୟାକାରୀ କବଳରୁ ସେ  ଅଳ୍ପକେ ବର୍ତ୍ତି ଯାଇଥିଲା । ରାଜଧାନୀରେ ଏହି ବିବାହିତା ମହିଳାଙ୍କୁ ମର୍ଡ଼ର ପ୍ଲଟର ଖୁଲାସା କରିଛନ୍ତି ଭୁବନେଶ୍ଵର ଡିସିପି ।

ମୃତ ମହିଳାଙ୍କ ନାଁ ପ୍ରିୟଦର୍ଶିନୀ ସାହୁ । ତାଙ୍କ ସହ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ସମ୍ପର୍କ କ’ଣ ତାହା ସ୍ପଷ୍ଟ ହୋଇନି । ତେବେ ଅଭିଯୁକ୍ତ ଜଗା ପ୍ରଧାନ ସଂପୃକ୍ତ ମହିଳାଙ୍କୁ ହତ୍ୟା ପରେ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା । ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟକୁ ମଧ୍ୟ ଜବତ କରିଛି ପୋଲିସ । 

ଏଠି ପ୍ରଶ୍ନ ଉଠୁଛି  ମହିଳାଙ୍କ ହତ୍ୟାବେଳେ ତାଙ୍କ ସ୍ଵାମୀ ଓ ପରିବାର ଲୋକ କେଉଁଠି ଥିଲେ ? କ’ଣ ପାଇଁ ସଂପୃକ୍ତ ମହିଳା ଓ ତାଙ୍କ ଛୋଟ ପୁଅକୁ ମାରିବାକୁ ଯୋଜନା କରିଥିଲା ଅଭିଯୁକ୍ତ ? ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ ।

Spread the love