ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଛି୧୦୦୦ କୋଟି ଟଙ୍କାର ଦୁର୍ନୀତି:ସମୀର ମହାନ୍ତି

ଭୁବନେଶ୍ୱର : ୨୦୨୨ ସୁଦ୍ଧା ତଥା ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରା ଆବାସ ଯୋଜନା ଏକ ଫ୍ଲାଗସିପ୍ ପ୍ରୋଗ୍ରାମ । କିନ୍ତୁ ରାଜ୍ୟସରକାର ଏଠି ପାତର ଅନ୍ତର ନୀତି ଆପଣାଇ କେବଳ ଦଳୀୟ କର୍ମୀମାନଙ୍କୁ ପକ୍କା ଘର ଯୋଗାଇ ଚାଲିଛନ୍ତି । ଯୋଗ୍ୟ ହିତାଧିକାରୀମାନେ ଖଣ୍ଡେ ଘରେ ପାଇବାରୁ ବଂଚିତ ହେଉଛନ୍ତି । ରାଜ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଖଣ୍ଡେ ନ ମିଳିବା ପର୍ଯ୍ୟନ୍ତ ବିଜେପି ଲଢେଇ ଜାରି ରଖିବ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ସଂପର୍କରେ ବିଜେପି ପଦାଧିକାରୀ ଏବଂ ବିଧାୟକ ଗଣ ଓଡିଶାର ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ସାଂସଦମାନେ ବିଭାଗୀୟ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ସ୍ମାରକ ପତ୍ର ଦେବା ସହ ଏ ନେଇ ଆଲୋଚନା କରିଥିଲେ । ଏହା ସହ ବିରୋଧୀ ଦଳ ନେତା ପ୍ରଦୀପ୍ତ ନଏକ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ଚିଠି ଲେଖି ବିଭାଗୀୟ ମନ୍ତ୍ରୀଙ୍କୁ ଅବଗତ କରାଇବା ପରେ ବି ରାଜ୍ୟ ସରକାର ସୁଧୁରିଲେ ନାହିଁ । ଗତ କିଛିଦିନ ତଳେ କେନ୍ଦ୍ରୀୟ ତଦନ୍ତକାରୀ ଟିମ ୫ଟି ଜିଲ୍ଲାର ୯ଟି ବ୍ଲକକୁ ସମୀକ୍ଷା କରିବା ସମୟରେ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିଛି । କେନ୍ଦ୍ରୀୟ ଟିମ୍‌ର ରିପୋର୍ଟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ଅଯୋଗ୍ୟ ହିତାଧିକାରୀ ତାଙ୍କ ପିତାଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଇସା ପାଇଛନ୍ତି । କଟକ ଜିଲ୍ଲା ନିଆଳି ବ୍ଲକରେ ଗୁହାଳକୁ କଚ୍ଚା ଘର ଭାବେ ଜିଓ ଟ୍ୟାଗିଂ କରାଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ୱେବସାଇଟରେ ନିର୍ମିତ ଘରର ଡମି/ନକଲି ଏଂଟ୍ରି କରାଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ଷ୍ଟିକର ଛୋଟ ଆକାରରେ ଓ ବିଜୁ ପକ୍କା ଘର ଯୋଜନାର ବଡ ଷ୍ଟିକର ଲଗାଯାଇଛି । ପିଏମ ଆବାସ ଯୋଜନାର ପାଣ୍ଠିକୁ ଅନ୍ୟକାହାକୁ ହସ୍ତାନ୍ତର କରିବା ପାଇଁ ପ୍ରକୃତ ହିତାଧିକାରୀଙ୍କ ବ୍ୟାଙ୍କ ନମ୍ବରକୁ ପରିବର୍ତନ କରାଯାଇଛି । ଆବାସ ସଫ୍ଟ ଡାଟାବେସରେ ବିଡିଓଙ୍କ ଦ୍ୱାରା୯୮,୫୬୨ ହିତାଧିକାରୀଙ୍କୁ ମାନୁଆଲ ଓଭର ରାଇଡରେ ପାଣ୍ଠି ହସ୍ତାନ୍ତର କରାଯାଇଛି । ଅଧିକାଂଶ ଘର ନିର୍ମାଣ କାମ ନିମ୍ନମାନର ଥିବା ଜଣାପଡିଥିବାବେଳେ ଅନେକ ଘର ଅସଂପୂର୍ଣ୍ଣ ରହିଛି । ମନରେଗାରେ ୯୦ ଦିନର ଘର ନିର୍ମାଣ ପାଇଁ ମଜୁରୀ ମଧ୍ୟ ରାଜ୍ୟ ସରକାର ପ୍ରଦାନ କରିନାହାଁନ୍ତି ବୋଲି କେନ୍ଦ୍ରୀୟ ଟିମ୍ ତାଙ୍କ ତଦନ୍ତ ରିପୋର୍ଟରେ ଦର୍ଶାଇଛନ୍ତି । ଏହାକୁ ଆକଳନ କଲେ ଜଣାପଡୁଛି ଯେ, ୧ ଲକ୍ଷରୁ ଉର୍ଦ୍ଧ୍ୱ ଘର ବଂଟନରେ ଅନିୟମିତତା ହୋଇଛି । ଯଦି ପ୍ରତି ଘର ପିଛା ୧ ଲକ୍ଷ ୨୦ ହଜାର ଟଙ୍କାର ଦୁର୍ନୀତି ହୋଇଛି ତେବେ ଆବାସ ଯୋଜନାରେ ପାଖାପାଖି ୧ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଛି । ଏହା କେବଳ ୫ଟି ଜିଲ୍ଲାର ୯ଟି ବ୍ଲକରୁ ଏହି କେଳେଙ୍କାରୀର ତଥ୍ୟ ଆସିଛି । ଏଥିରୁ ଜଣାପଡୁଛି ରାଜ୍ୟସରକାକରଙ୍କ ପୃଷ୍ପୋଷକତାରେ ସାରା ରାଜ୍ୟରେ ଆବାସ ଯୋଜନାରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି। କେନ୍ଦ୍ରୀୟ ତଦନ୍ତକାରୀ ଟିମର ରିପୋର୍ଟ ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲିଦେଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, ଫନି ବାତ୍ୟା ପରବର୍ତୀ ସମୟରେ ପକ୍କା ଘର ବଂଟନରେ ରାଜ୍ୟ ସରକାରଙ୍କ ଟାଳ ଟୁଳ ନୀତି ପଦାକୁ ଆସିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବରଗଡ, ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ ଆଦି ଜିଲ୍ଲାକୁ ଘର ଆବଂଟନ ଶୂନ ରହିଥିବାବେଳେ କେବଳ ଝାରସୁଗୁଡା ଜିଲ୍ଲାକୁ ଏହି ଯୋଜନାରେ ମାତ୍ର ୪ଟି ଘର ଆବଂଟନ କରାଯାଇଛି । ଏହି ଆକାଂକ୍ଷୀ ଜିଲ୍ଲା ପ୍ରତି ରାଜ୍ୟ ସରକାରଙ୍କ ସମ୍ବେଦନଶୀଳତା କଣ ଅଛି ତାହା ସ୍ପଷ୍ଟ ବାରିହୋଇ ପଡୁଛି । ଏସବୁକୁ ଦୃଷ୍ଟିରେ ରଖି ଆସନ୍ତା ଜୁଲାଇ ୭,୮,୯ ତିନି ଦିନ ଧରି ରାଜ୍ୟର ସମସ୍ତ ବ୍ଲକ ସାମ୍ନାରେ ବିଜେପି ପକ୍ଷରୁ ପ୍ରତିବାଦ କରାଯିବ ବୋଲି ଶ୍ରୀ ମହାନ୍ତି ଚେତାବନୀ ଦେଇଛନ୍ତି । ଏସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ୧୦୦୦ କୋଟି ଟଙ୍କାର ଦୁର୍ନୀତିର ପର୍ଦ୍ଦାଫାଶ କରିବା ପାଇଁ ରାଜ୍ୟସରକାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାନ୍ୱୟନ ଟ୍ରାନ୍ସପୋରେଂଟ୍ କରିବାକୁ ଭ୍ରଷ୍ଟାଚାର ମୁକ୍ତ, ପାରଦର୍ଶୀ କରିବା ପାଇଁ ଲମ୍ବା ଲଢେଇ ଜାରି ରହିଛି । ପ୍ରଧାନମନ୍ତ୍ରୀଙ୍କର ସ୍ୱପ୍ନର ପ୍ରକଳ୍ପ ଏବଂ ଭାରତବର୍ଷ ପାଇଁ ୨୯,୯୦,୦୦୦ ଘର ଶେଷ କରିବା ପାଇଁ ୫୯୮୦ କୋଟି ଲାଂଚ ଦରକାର।  ୨୦୧୮ ମସିହାରେ ରାଜ୍ୟରେ ୧୭ ଲକ୍ଷ ପକ୍କା ଘର ମଧ୍ୟରୁ ୧୫ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ୨ ଲକ୍ଷ ବିଜୁ ପକ୍କାଘର ଯୋଜନାରେ ସାମିଲ ହୋଇଛି । ବିଧାୟକଙ୍କ ହସ୍ତପାଣ୍ଠି ଦେଲା ଭଳି ସେତେବେଳେ ରାଜ୍ୟସରକାର ନିଷ୍ପତି ନେଲେଯେ ବିଧାୟକ ସୁପାରିଶରେ ପ୍ରତି ନିର୍ବାଚନମଣ୍ଡଳୀରେ ୨ ଶହ ଲେଖାଏଁ ବିଜୁ ପକ୍କା ଘର ଦିଆଯାଉଛି ଏବଂ ସେହି ପଇସା ପାଖାପାଖି ଗୋଟିଏ ନିର୍ବାଚନ ମଣ୍ଡଳୀରେ ୫୦ଲକ୍ଷ ଟଙ୍କା ଆଦାୟ ହେଲା। ୨୦୧୯ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ଆବାସ ବଂଟନରେ ଅନିୟମିତତା ବିରୁଦ୍ଧରେ ଲଢେଇ ଚରମସୀମାରେ ପହଂଚିଥିଲା। ତଥ୍ୟ ପ୍ରମାଣ ସହ ବିଜେପି ଲଢେଇ କରିଥିଲା। ବାରମ୍ବାର ବିଜେପି ଅଭିଯୋଗ କରିବା ପରେ ରାଜ୍ୟ ସରକାର ୪ ଥର ସର୍ଭେ କରିଥିଲେ। ଶେଷ ପର୍ଯ୍ୟାୟରେ ଘର ପାଇନଥିବା ହିତାଧିକାରୀଙ୍କୁ ଫେବୃଆରୀ ୧୦-୧୬ ଏବଂ ୧୬ ରୁ ୨୨ ଡ୍ରପ୍ ବକ୍ସ ଏବଂ ପଂଚାୟତରେ ତାଲିକା ମାରିବା ନେଇ ନିଷ୍ପତି ନେଇଥିଲେ ରାଜ୍ୟ ସରକାର । ଗୋଟିଏ ଗୋଟିଏ ବ୍ଲକର ହାରାହାରି ୧୦୦୦ ଉପରେ ଆବେଦନ / ଅଭିଯୋଗ ହେବା ପରେ ବି ରାଜ୍ୟ ସରକାର ସେଗୁଡିକୁ ଅଣଦେଖା କରିଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ା ୨୦୨୦ ଡିସେମ୍ବରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଚିଠି, ଦଳର ସାଂସଦ ମାନଙ୍କର କେନ୍ଦ୍ରକୃଷି ମନ୍ତ୍ରୀଙ୍କ ପାଖରେ ଅଭିଯୋଗ, ବିରୋଦୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ଚିଠି, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପଦାନ କରିବା ସହ ଆବାସ ଯୋଜାନରେ ହୋଇଥିବା ଦୁର୍ନୀତି ବିରୁଦ୍ଧରେ ଦୃଢ ପ୍ରତିବାଦ କରିଥିଲା । ଗତ ଫେବୃଆରୀ ୨୦୨୧ରେ କେନ୍ଦ୍ରୀୟ ଦଳ ଷ୍ଟିକର ମରା ଘଟଣାର ଅଭିଯୋଗର ତଦନ୍ତ ପାଇଁ ଓଡିଶା ଆସିଥିଲେ । କିନ୍ତୁ ସାରୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ହିତାଧିକାରୀ ଚୟନ ପ୍ରକ୍ରିୟାରେ ଅନିୟମିତତା, ବ୍ୟାଙ୍କ ଆକାଉଂଟ୍ ନମ୍ବର ଅଦଳବଦଳ, ଗୁହାଳ ତଥା ବାରିଘର ଜିଓଟ୍ୟାଗିଙ୍ଗ୍ କରିବା, ଅଯୋଗ୍ୟ ହିତାଧିକାରୀଙ୍କୁ ପ୍ରାଧାନ୍ୟ ଦେବା ଇତ୍ୟାଦି ଇତ୍ୟାଦି ଲୋକଲୋଚନକୁ ଆସିଥିଲା ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଜିଲ୍ଲା ବାହାରର ଅଧିକାରୀଙ୍କ ଦ୍ୱାରା ସାନି ସର୍ଭେ କରାଯାଇ ହିତାଧିକାରୀଙ୍କ ତାଲିକା ସାର୍ବଜନୀନ କରାଯାଉ। ଫେବୃଆରୀ ୨୦୨୦ରେ ଆହୁରି ଆବେଦନ/ଅଭିଯୋଗ ପତ୍ରକୁ ଯାଂଚ୍ କରି ଇନପୁଟ୍ ଭାବରେ ଗ୍ରହଣ କରାଯାଉ। ଜଣେବି ଅଯୋଗ୍ୟ ହିତାଧିକାରୀକୁ ପକ୍କା ଘର ନଦିଆଯାଉ । ଯେଉଁ ଅଧିକାରୀ ଏହି ଦୁର୍ନୀତିରେ ସିଧା ସମ୍ପୃକ୍ତ, ତାଙ୍କ ଉପରେ କଠୋର ଓ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ, ଯେପରି ଅନ୍ୟକେହି ସରକାରୀ ଯୋଜନାରୁ ପଇସା ହଡପ କରିବାକୁ ସାହସ କରିବେନାହିଁ। ସେମାନଙ୍କର ନାମ ଗଣମାଧ୍ୟମ ଓ ସାମାଜିକ ଗଣ ମାଧ୍ୟମରେ ପ୍ରଚାରିତ କରାଯାଉ ବୋଲି ହରିଚନ୍ଦନ ଦାବି କରିଥିଲେ।

Spread the love