ଅସୀମା ପଣ୍ଡାଙ୍କର ଦୁର୍ଘଟଣା ଖବର ମିଛ

ଭୁବନେଶ୍ଵର ୧୦।୦୭: ଗତକାଲି ବିଳମ୍ଵିତ ରାତ୍ରିରେ ରାଜ୍ୟର ଲୋକପ୍ରିୟ ଗାୟିକା ଅସୀମା ପଣ୍ଡାଙ୍କ ଦୁର୍ଘଟଣା ଖବର ଆସିଥିଲା। ଏଥିରେ ସେ ଗୁରୁତର ଭାବେ ଆହତ ହୋଇଥିବା ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଏହି ଖବର ଶୁଣି ତାଙ୍କ ପ୍ରଶଂସକ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଦୁର୍ଘଟଣା ସମୟରେ କାରରେ ସେ ଏବଂ ତାଙ୍କ ଭାଇ ଥିଲେ ବୋଲି କୁହାଯାଇଥିଲା। ବିଳମ୍ବିତ ରାତିରେ କଟକ ନେତାଜୀ ସେତୁ ଉପରେ କାର୍ ଦୁର୍ଘଟଣା ଘଟିଥିଲା । ଏହି ଘଟଣାକୁ ନେଇ ଖୋଦ୍ ସାମ୍ନାକୁ ଆସିଛନ୍ତି ଅସୀମା ପଣ୍ଡା। ଏକ ଭିଡିଓ ପ୍ରସ୍ତୁତ କରି ସେ ତାଙ୍କର ଦୁର୍ଘଟଣା ଖବରକୁ ଖଣ୍ଡନ କରିଛନ୍ତି।

ସେ କହିଛନ୍ତି ଯେ, ମୋର ଦୁର୍ଘଟଣା ଘଟିନାହିଁ। ମୁଁ ସଂପୂର୍ଣ୍ଣ ସୁସ୍ଥ ଏବଂ ଘରେ  ରହିଛି। ହେଲେ ସାମାଜିକ ଗଣମାଧ୍ୟମ ଏବଂ ତଥାକଥିତ ନକଲି ଓ୍ଵେବସାଇଟ୍‌ରେ ମୋର ଦୁର୍ଘଟଣା ଘଟିଛି ଏବଂ ମୁଁ ଗୁରୁତର ଆହତ  ହୋଇଥିବା ଖବର ପ୍ରସାରଣ କରାଯାଇଛି। ଏମିତି ଖବର ସଂପୂର୍ଣ୍ଣ ଦୁର୍ଭାଗ୍ୟଜନକ। ଦୁର୍ଘଟଣା ମୋ ଭାଇଙ୍କ ସହ ଘଟିଛି। ସେ କାରରେ ଯାଉଥିବା ବେଳେ ଏକ ଟ୍ରକ ଧକ୍କା ଦେବାରୁ ସେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଭାଇର ହାତରେ କେବଳ ଛୋଟ ଆଘାତ ଲାଗିଛି। ଏମିତି ମିଥ୍ୟା ଖବର ପ୍ରଚାର କରି କାହିଁକି ମୋତେ ଏବଂ ମୋ ପରିବାରକୁ ହଇରାଣ କରୁଛନ୍ତି ବୋଲି ଗାୟିକ କହିଛନ୍ତି।

Spread the love