23ରୁ ଖରା ବଢ଼ିବ

କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ତାପମାତ୍ରା କମିଥିବାବେଳେ ଏହିଭଳି ପାଗ ଆଉ ଦୁଇ ଦିନ ହେବ। କିନ୍ତୁ 23ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାତି ବଢ଼ିବ। 27ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା ନଥିବାବେଳେ ଏହାପରେ ତାତି କମିବ। 23 ରୁ 27ତା‌ରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ତାପମାତ୍ରା 40ଡିଗ୍ରି ପାଖାପାଖି ରହିବାକୁ ଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ 42ଡିଗ୍ରି ଛୁଇଁପାରେ। ଏହିଭଳି ପୂର୍ବାନୁମାନ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କରିଛନ୍ତି। ପ୍ରଫେସର ପଶୁପାଳକ କହିଛନ୍ତି ଯେ, 22ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ପବନ ହେବ। 22ତାରିଖ ଉପରବେଳା ମେଘୁଆ ପାଗ ସହ ଝିପିଝିପି ବର୍ଷା ହୋଇପାରେ। ଏହାପରେ ପାଗ ଖରାଟିଆ ହେବ। ରାତିରେ ସର୍ବନିମ୍ନ ତାପମାତ୍ରା ବଢ଼ିବା ସହ ବାୟୁର ଆଦ୍ରତା କମିବ। ଯାହା ପ୍ରଭାବରେ ଅଧିକ ଗରମ ଅନୁଭୂତ ହେବ। ଏହି ସମୟରେ ବଙ୍ଗୋପସାଗରରୁ ଦକ୍ଷିଣା ପବନ ବଢ଼ିବ। କିନ୍ତୁ ଆକାଶ ମେଘମୁକ୍ତ ରହୁଥିବାରୁ ଥଣ୍ଡା ପବନ ହେବନି।

 ଅପରପକ୍ଷେ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ, 23ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ପବନ ହେବ। 24 ଓ 25ରେ ଖରା ଅଧିକ ହେବ। ହେଲେ 26ତାରିଖରୁ ପାଗ ପୁଣି ବଦଳିବ। ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆଜି ମାଲକାନଗିରିରେ ରାଜ୍ୟର ସର୍ବାଧିକ ତାପମାତ୍ରା 40ଡିଗ୍ରି ରେକର୍ଡ ହୋଇଛି। ମାଲକାନଗିରିକୁ ଛାଡ଼ି ରାଜ୍ୟର କୌଣସି ସ୍ଥାନରେ ବି ପାରଦ 40ଡିଗ୍ରି ଛୁଇଁନି। ଏପରିକି କୌଣସି ସ୍ଥାନରେ ପାରଦ 38ଡିଗ୍ରି ଉପରକୁ ଯାଇନି। କାଳବୈଶାଖୀ ପ୍ରଭାବରେ ଗତ ୨୪ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିରେ ସର୍ବାଧିକ 19ମିମି, ସୋନପୁରରେ 13.8ମିମି, ଫୁଲବାଣୀରେ 3.2ମିମି, ବଲାଙ୍ଗୀରରେ 14ମିମି, ଭବାନିପାଟଣାରେ 10.4ମିମି, ତାଳଚେରରେ 7ମିମି, ହୀରାକୁଦରେ 0.5ମିମି, ସୁନ୍ଦରଗଡ଼ରେ 10ମିମି, କେନ୍ଦୁଝରରେ 12.1ମିମି, ଝାରସୁଗୁଡ଼ାରେ 2.3ମିମି, ବାରିପଦାରେ 1.6ମିମି, ଅନୁଗୁଳରେ 3ମିମି, ପୁରୀରେ 1.5ମିମି, ଭୁବନେଶ୍ବରରେ 0.6ମିମି, କଟକରେ 4.2ମିମି, ବାଲେଶ୍ବରରେ 3.3ମିମି, ଚାନ୍ଦବାଲିରେ 1.5ମିମି, ଗୋପାଳପୁରରେ 0.7ମିମି ବର୍ଷା ହୋଇଛି।
Spread the love