ଜବାହାର ସରକାରଙ୍କୁ ରାଜ୍ୟସଭା ପାଇଁ ମନୋନୀତ କଲା ଟିଏମସି

କୋଲକାତା ୨୪/୭: ତୃଣମୂଳ କଂଗ୍ରେସ (ଟିଏମସି) ପ୍ରସାର ଭାରତୀର ପୂର୍ବତନ ସିଇଓ ଏବଂ ପୂର୍ବତନ ଆଇଏଏସ୍‌ ଜବାହାର ସରକାରଙ୍କୁ ରାଜ୍ୟସଭା ପଠାଇବାକୁ ନିଷ୍ପତ୍ତି ନେଇଛି । ଏନେଇ ଟିଏମସି ପକ୍ଷରୁ ଏକ ଟ୍ବିଟ୍‌ ମଧ୍ୟ କରାଯାଇଛି। ଜବାହାର ସରକାର ପ୍ରସାର ଭାରତୀ ସିଇଓ ଭାବେ କାର୍ଯ୍ୟ କରିଥିଲେ। ଦିନେଶ ତ୍ରିବେଦୀ ଇସ୍ତଫା ଦେବା ପରେ ରାଜ୍ୟସଭାର ଏହି ସିଟ୍‌ ଖାଲିପଡ଼ିଥିଲା।

ଟିଏମସି ଏହି ସିଟ୍‌ ପାଇଁ ଜବାହାର ସରକାରଙ୍କୁ ବାଛିଥିବା ଜଣାପଡ଼ିଛି। ଏନେଇ ଟିଏମସି ପକ୍ଷରୁ ଟ୍ବିଟ୍‌ କରାଯାଇଛି, ‘ରାଜ୍ୟସଭା ପାଇଁ ଜବାହାର ସରକାରଙ୍କୁ ମନୋନୀତ କରି ଖୁସୀ ଅଛୁ। ସେ ୪୨ ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ସେବା କରିଥିଲେ ଏବଂ ପ୍ରସାର ଭାରତୀରେ ସିଇଓ ଥିଲେ। ସାର୍ବଜନୀନ ସେବାରେ ତାଙ୍କର ଅତୁଳନୀୟ ଯୋଗଦାନ ଦେଶ ପାଇଁ କାମ କରିବାକୁ ଆହୁରି ସହାୟତା କରିବ।’  

ଏହା ପୂର୍ବରୁ ଏହି ସିଟ୍‌ରେ ଉପନିର୍ବାଚନ କରିବାକୁ ନିର୍ବାଚନ ଆୟୋଗ ୮ ଅଗଷ୍ଟ ଧାର୍ଯ୍ୟ କରିଥିଲେ। ଟିଏମସିର ପୂର୍ବତନ ସାଂସଦ ଦିନେଶ ତ୍ରିବେଦୀ ଫେବୃଆରୀରେ ରାଜ୍ୟସଭାରୁ ଇସ୍ତଫ ଦେବା ସହ ବିଜେପିରେ ସାମିଲ ହୋଇଥିଲେ।

ଜବାହାର ସରକାର ରାଜ୍ୟସଭା ସାଂସଦ ହେବା ଏକପ୍ରକାର ଧାର୍ଯ୍ୟ ହୋଇସାରିଛି । କାରଣ ବିଧାନସଭା ନିର୍ବାଚନରେ ଟିଏମସିକୁ ବିପୁଳ ବିଜୟ ମିଳିଛି। ଜବାହାର ସରକାରଙ୍କ ସମେତ ପୂର୍ବତନ ଅର୍ଥମନ୍ତ୍ରୀ ୟଶବନ୍ତ ସିହ୍ନାଙ୍କୁ ରାଜ୍ୟସଭା ପଠାଇବାକୁ ମଧ୍ୟ ପ୍ରସ୍ତୁତି ଚାଲିଛି ।

Spread the love