ଏନ୍କାଉଣ୍ଟରରେ ହାଇଦର ମୃତ
ଏନ୍କାଉଣ୍ଟରରେ ହାଇଦର ମୃତ । ଗ୍ୟାଙ୍ଗଷ୍ଟାର ହାଇଦରକୁ ଆଜି ଏନ୍କାଉଣ୍ଟର୍ କରିଥିଲା ପୋଲିସ୍ । ଏଥିରେ ତାର ଗୋଡ଼ ଏବଂ ପେଟରେ ଗୁଳି ବାଜିଥିଲା । ହାଇଦର୍କୁ ଚୌଦ୍ୱାର ଜେଲ୍ରୁ ବାରିପଦା ଜେଲ୍କୁ ନେଉଥିବା ସମୟରେ ସେ ଖସି ଯିବାକୁ ଚେଷ୍ଟା କରୁଥିଲା । ବାଲେଶ୍ୱର- ବାରିପଦା ରାସ୍ତାରେ ଏପରି ଘଟଣା ଘଟିଥିଲା । ଖସି ଯାଉଥିବା ସମୟରେ ପୋଲିସ୍ ତା ଉପରକୁ ଗୁଳି ଚଳାଇଥିଲା । ଏଥିରେ ସେ ଆହାତ ହୋଇଥିବା ଜଣାପଡ଼ିଥିଲା । ପରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ବାଲେଶ୍ୱର ସିମୁଳିଆ ନିକଟରେ ଏହି ଏନ୍କାଉଣ୍ଟର କରିଥିଲା ପୋଲିସ୍ । ସୁରକ୍ଷା ଦୃଷ୍ଟିରୁ ତାକୁ ଅନ୍ୟ ଜେଲ୍କୁ ସ୍ଥାନାନ୍ତର କରାଯାଉଥିବା ସମୟରେ ସେ ରାସ୍ତାରେ ପରିଶ୍ରା କରିବା ପାଇଁ କହିଥିଲା । ଏହି ସମୟରେ ସେ ଗାଡ଼ିରେ ଥିବା ପୋଲିସ୍ଙ୍କ ଠାରୁ ବନ୍ଧୁକ ଛଡ଼ାଇ ଦୌଡ଼ିବାକୁ ଚେଷ୍ଟା କରୁଥିବା କଟକ-ଭୁବନେଶ୍ୱର ପୋଲିିସ୍ କମିଶନର୍ ସୂଚନା ଦେଇଥିଲେ । ତାକୁ ଧରିବା ପାଇଁ ପୋଲସ୍ ବାଧ୍ୟ ହୋଇ ତା ଉପରେ ଗୁଳିଚାଳନା କରିଥିଲା । ଏଥିରେ ସେ ଆହତ ହୋଇଥିବା ବେଳେ ପ୍ରାଥମିକ ଚିକିତ୍ସା ପାଇଁ ହାଇଦରକୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ହାଇଦରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ପୂର୍ବରୁ ଥରେ ହାଇଦର୍ ପୋଲିସ୍କୁ ଚକ୍ମା ଦେଇ ଖସି ପଳାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍ସିବିରୁ ଗତ ଏପ୍ରିଲ ୧୦ ତାରିଖରେ ଫେରାର ହୋଇଯାଇଥିଲା ହାଇଦର । ଏହା ପରେ କମିସନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାଡ୍ ତେଲେଙ୍ଗାନାରୁ ହାଇଦରକୁ ଧରିବାରେ ସକ୍ଷମ ହୋଇଥିଲା । ହାଇଦରକୁ ଓଡିଶା ଅଣାଯାଇ ରିମାଣ୍ଡ ପାଇଁ ଆବେଦନ କରିଥିଲା ପୋଲିସ । JMFC କୋର୍ଟ ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ । ଏହା ସହିତ ହାଇଦରକୁ ଫେରାର କରାଇବା ଘଟଣାରେ ଗିରଫ ହୋଇଥିବା ୨ ଯୁବକ ଏବଂ ଜଣେ ଯୁବତୀକୁ ପୋଲିସ ଗିରଫ କରିଥିଲା ।