ଟୋକିଓ ଅଲିମ୍ପିକ୍ସରେ ୩ଜଣ ଖେଳାଳିଙ୍କୁ ମିଶାଇ ୧୬ ଜଣ ହେଲେ କରୋନା ସଂକ୍ରମିତ

ଟୋକିଓ: ଗୋଟେପଟେ କରୋନା କାରଣରୁ ବିଶ୍ୱର ବିଭିନ୍ନ ଗତିବିଧି ବନ୍ଦ ହୋଇଯାଇଥିବା ବେଳେ ୨୦୨୧ ଟୋକିଓ ଅଲିମ୍ପିକ୍ସରେ ବି କରୋନା କାୟା ବିସ୍ତାର କରୁଥିବା ଦେଖିବାକୁ ମିଳିଛି । ସୋମବାର ଦିନ ପୁଣି ୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା କୁହାଯାଇଛି । ପୂର୍ବରୁ କିଛି କୋଚ କରୋନା ଆକ୍ରାନ୍ତ ଥିବା ନେଇ ସୂଚନା ମିଳିଥିଲା।

ପୁଣି ଆଜି ୩ଜଣ ଖେଳାଳିଙ୍କୁ ମିଶାଇ ଖେଳ ସହିତ ସଂପୃକ୍ତ ୧୬ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏଭଳି ଖବର ଆସିବା ପରେ ଆୟୋଜକଙ୍କ ଚିନ୍ତା ବଢିଛି । କୁହାଯାଇଛି କି, ନେଦରଲ୍ୟାଣ୍ଡର ଟେନିସ୍ ଖେଳାଳି ଜିନ୍ ଜୁଲିୟନ କୋଭିଡ ପଜିଟିଭ ଥିବା ଜଣାପଡ଼ିବା ପରେ ସେ ଖେଳରୁ ଓହରିଯାଇଛନ୍ତି । ପୂର୍ବରୁ ନେଦରଲ୍ୟାଣ୍ଡର ଅନ୍ୟ ୫ଜଣ ଖେଳାଳି କରୋନା ପଜିଟିଭ ହୋଇଥିବାବେଳେ ଏହି ସଂଖ୍ୟା ଏବେ ୬ରେ ପହଞ୍ଚିଛି। ତେବେ ଖେଳାଳିଙ୍କ ସହ ଅଲିମ୍ପିକ୍ସରେ ସମ୍ପୃକ୍ତ ଆୟୋଜକ ଏବଂ କର୍ମଚାରୀଙ୍କୁ ମିଶାଇ ଏଯାଏଁ ୧୪୮ ଜଣ କରୋନା ପଜିଟିଭ ହୋଇସାରିଥିବା ସୂଚନା ମିଳିଛି। ଏମାନଙ୍କୁ ୧୪ ଦିନର ସଙ୍ଗରୋଧରେ ରଖାଯିବାକୁ ଥିବା ବେଳେ ସେମାନଙ୍କୁ ଖେଳରୁ ବାଦ ଦିଆଯାଇଛି । ଚେକ୍ ରିପବ୍ଲିକ୍, ଆମେରିକା, ଚିଲି, ଦକ୍ଷିଣ ଆଫ୍ରିକା ଓ ନେଦରଲ୍ୟାଣ୍ଡର କିଛି ଖେଳାଳି କରୋନା ପଜିଟିଭ ହେବା ପରେ ସେମାନଙ୍କୁ ଅଲିମ୍ପିକ୍ସରୁ ଓହରିଯିବାକୁ ପଡ଼ିଛି ।

Spread the love