ହୁ ହୁ ହୋଇ ଜଳୁଛି ୬ ଜଙ୍ଗଲ, ଆୟତ ପାଇଁ ୪୫ ହେଲିକପ୍ଟର ନିୟୋଜିତ

ନୂଆଦିଲ୍ଲୀ ୩୧/୦୭ : ପ୍ରକୃତିର ତାଣ୍ଡବ ଆଗରେ ସମସ୍ତେ ତୁଚ୍ଛ । ତୁର୍କୀ ଏବେ ଜଳୁଛି । ଦେଶର ଅନେକ ଜଙ୍ଗଲରେ ଏବେ ଭୟଙ୍କର ନିଆଁ । ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ବର୍ତ୍ତମାନ ସୁଦ୍ଧା ନିଆଁର ଆଁ ରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣଙ୍କୁ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନେକ ଲୋକ ନିଖୋଜ ମଧ୍ୟ ଅଛନ୍ତି । ନିଆଁରେ ଅନେକ ଲୋକ ପୋଡିହୋଇଯାଇଥିବା ସନ୍ଦେହ କରାଯାଉଛି ସେଥିପାଇଁ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ତୁର୍କୀର ଦକ୍ଷିଣାଞ୍ଚଳ କୂଳବର୍ତ୍ତୀ ଅଞ୍ଚଳରେ ନିଆଁର କରାଳ ରୂପ ଏବେ ଘାତକ ରୂପ ଧାରଣ କରିଛି । ଗତ ଜୁଲାଇ ୨୮ ତାରିଖରୁ ତୁର୍କୀର ବିଭିନ୍ନ ଜଙ୍ଗଲରେ ନିଆଁ ଜଳୁଛି ।

ସେଥିପାଇଁ ଅନେକ ଗୁଡିଏ ଗାଁ ଏବଂ ହୋଟେଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସେଠାରେ ରହୁଥିବା​‌ ଅନ୍ତେବାସୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇଛି । ତୁର୍କୀର କୃଷି ଏବଂ ଜଙ୍ଗଲ ମନ୍ତ୍ରୀ ବେକିର୍‌ ପକଡେମିର୍ଲି କହିଛନ୍ତି, ଆଣ୍ଟାଲ୍ୟା ଅଞ୍ଚଳରେ ଲାଗିଥିବା ନିଆଁକୁ ଆୟତ କରାଗଲାଣି କିନ୍ତୁ ଆକ୍‌ସେକି ଜିଲ୍ଲାରେ ଲାଗିଥିବା ନିଆଁ ବର୍ତ୍ତମାନ ମଧ୍ୟ ବ୍ୟାପକ ଭାବେ ଜଳୁଛି । ଅଗ୍ନିଶମବାହିନୀ ନିଆଁ ଲିଭା କାର୍ଯ୍ୟରେ ଜାରି ରହିଛନ୍ତି । ତୁର୍କୀର ମୋଟ ୬ଟି ଜଙ୍ଗଲରେ ନିଆଁ ଲାଗିଛି ।ନିଆଁ ଲିଭା କାର୍ଯ୍ୟରେ ୫ଟି ସେନା ବିମାନ, ୪୫ଟି ହେଲିକପ୍ଟର, ଡ୍ରୋନ୍‌ ଏବଂ ୧୦୮୦ ଜଣ ଅଗ୍ନିଶମ ବିଭାଗ ଯାନ ଲାଗିଛନ୍ତି । ଏଥି ସହିତ ଅନେକ ସଂଖ୍ୟାରେ ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । ପାଖାପାଖି ୧୧୪୦ଟି ସ୍ଥାନରେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ତେବେ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ସେ ନେଇ ସୂଚନା ମିଳିନାହିଁ । ତୁର୍କୀ ରାଷ୍ଟ୍ରପତିଙ୍କ ଯୋଗାଯୋଗ ନିର୍ଦେଶକ ଫାରେଟିନ୍‌ ଅଲଟୁନ୍‌ କହିଛନ୍ତି, କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହାର ତଦନ୍ତ ହେବ । ଏଥି ସହିତ ପ୍ରକୃତରେ ମୃତ୍ୟୁ ସଂଖ୍ୟା କେତେ ରହିଛି ସେ ନେଇ ମଧ୍ୟ ଉଦ୍ୟମ ଜାରି ରହିଛି । ନିଆଁ ଲାଗିଥିବା ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ସମସ୍ତ ଅଧିବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ରହିବା ବ୍ୟବସ୍ଥା କରାଯାଇଛି ।

Spread the love