ବରାବର ଥିବା ବିରୋଧୀ ଖେଳାଳି ଆହତ ହେବାରୁ ଏକା ପଦକ ନେବାକୁ ମନା କଲେ, ଦୁହିଁଙ୍କୁ ମିଳିଲା ସ୍ଵର୍ଣ୍ଣ

ଟୋକିଓ ୦୨।୦୮: ଦୁନିଆର କୌଣସି ବି ଆଥଲେଟ୍‌ଙ୍କ ପାଇଁ ସବୁଠୁ ବଡ ସ୍ଵପ୍ନ ଅଲିମ୍ପିକରେ ସ୍ଵର୍ଣ୍ଣ ପଦକ  ଜିତିବା। ଏହାକୁ କ୍ରୀଡାର ସବୁଠୁ ଉଚ୍ଚସ୍ତର କୁହାଯାଏ। ମାତ୍ର କାତାରର ଆଥଲେଟ୍ ମୁତାଜ ଏସା ବାରଶିମ ଏଥିରୁ ଆଉ ଗୋଟିଏ ପାଦ ଆଗକୁ ବଢିଯାଇଛନ୍ତି। ସେ ଅଲିମ୍ପିକରେ ସ୍ଵର୍ଣ୍ଣ ପଦକ ସହ ଏମିତି ମାନବିକତାର ପରିଚୟ ଦେଇଛନ୍ତି ଯାହା ସମଗ୍ର ଦୁନିଆର କ୍ରୀଡାପ୍ରେମୀଙ୍କ ହୃଦୟ ଜିତିବା ସହ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି।

ବାରଶିମ ଫାଇନାଲରେ ଆହତ ହୋଇଥିବା ଇଟାଲୀର ଗିୟାନମାର୍କୋ ତାମ୍ବେରୀଙ୍କୁ ମଧ୍ୟ ସ୍ଵର୍ଣ୍ଣ ପଦକ ଜିତାଇଛନ୍ତି। ଚାଲନ୍ତୁ ଜାଣିବା ଗୋଟିଏ ଇଭେଣ୍ଟରେ ଏହା କେମିତି ସମ୍ଭବ ହେଲା…

ଉଭୟ ଡେଇଁଲେ ୨.୩୭ ମିଟର

ଏହି ବିରଳ ଘଟଣା ବା ଦୃଶ୍ୟ ଟୋକିଓ ଅଲିମ୍ପିକର ପୁରୁଷ ଉଚ୍ଚ ଡିଆଁ ପ୍ରତିଯୋଗିତାରେ ଦେଖିବାକୁ ମିଳିଛି। ବାରଶିମ ଓ ତାମ୍ବେରୀ ଉଭୟ ୨.୩୭ ମିଟରର ଉଚ୍ଚ ଡେଇଁ ମିଳିତ ପ୍ରଥମ ସ୍ଥାନରେ ରହିଥିଲେ। ଏହା ପରେ ଆୟୋଜକ ଉଭୟ ଖେଳାଳିଙ୍କୁ ତିନି ତିନି ଥର ଡେଇଁବାକୁ କହିଥିଲେ। ଉଭୟଙ୍କ ମଧ୍ୟରୁ କେହି ହେଲେ ୨.୩୭ ମିଟର ଉପରକୁ ଡେଇଁ ମାରିନଥିଲେ।

ଶେଷ ଡିଆଁ ପୂର୍ବରୁ ଆହତ ହେଲେ

ଯେବେ ଅତିରିକ୍ତ ଜମ୍ପ ପରେ ମଧ୍ୟ ବିଜେତା ନିଷ୍ପତ୍ତି ହୋଇ ପାରିଲା ନାହିଁ ତେବେ ଆୟୋଜକ ପୁଣି ଥରେ ଉଭୟଙ୍କୁ ଆଉ ଥରେ ଡେଇଁବାକୁ କହିଥିଲେ। ହେଲେ ସେତେବେଳକୁ ଇଟାଲୀର ଆଥଲେଟ୍ ତାମ୍ବେରି ଆହତ ହୋଇ ସାରିଥିଲେ। ପାଦରେ ଆଘାତ ଲାଗିବା କାରଣରୁ ସେ ନିଜର ନାଁ ଫେରାଇ ନେଇଥିଲେ। ଏବେ ବାରଶିମଙ୍କ ପାଖରେ ସୁଯୋଗ ଥିଲା ଯେ, ସେ ଭଲ ଡିଆଁ ମାରି ସ୍ଵର୍ଣ୍ଣ ପଦକ ନିଜ ନାମରେ କରନ୍ତୁ।

ମୁଁ  ଯଦି ନାମ ଫେରାଇ ନେବି କଣ ହେବ

ଇଟାଲୀ ଆଥଲେଟ୍ ବାହାରି ଯିବା ପରେ ବାରିଶମ ଅଧିକାରୀଙ୍କୁ ପଚାରିଥିଲେ ଯେ, ଯଦି ସେ  ନିଜର ନାମ ଫେରାଇ ନିଅନ୍ତି ତେବେ କଣ ହେବ। ଅଧିକାରୀ ନିୟମ ବହି ଯାଞ୍ଚ କରିଥିଲେ ଏବଂ କହିଥିଲେ, ଯଦି ଆପଣ ନିଜର ନାଁ ଫେରାଇ ନେବେ ତେବେ ଦୁହିଁଙ୍କୁ ସ୍ଵର୍ଣ୍ଣ ପଦକ ମିଳିବ। ଏହା ପରେ ବାରଶିମ ନିଜ ନାଁ ଫେରାଇ ନେଇଥିଲେ। ଫଳରେ ତାଙ୍କୁ ଏବଂ ତାମ୍ବେରିଙ୍କୁ ସ୍ଵର୍ଣ୍ଣ ପଦକ ବିଜୟୀ ଘୋଷିତ କରାଯାଇଥିଲା।

ଆଗାମୀ ପିଢିକୁ ଦେଲୁ ସନ୍ଦେଶ

ବାରଶିମ  ନିଜର ଐତିହାସିକ ନିଷ୍ପତ୍ତି ପରେ କହିଛନ୍ତି, ଖେଳରେ ଜିତିବା ସବୁ କିଛି ହୋଇନଥାଏ। ଆମେ ଆଗାମୀ ପିଢିକୁ ସନ୍ଦେଶ ଦେବାକୁ ଚେଷ୍ଟା କରିଛୁ  ଯେ, ଜଣେ ଖେଳାଳି ଭାବେ  କେମିତି ଖେଳିବା ଉଚିତ୍। କେମିତି ନିଜର ପ୍ରତିଦ୍ଵନ୍ଦ୍ଵୀଙ୍କୁ ସମ୍ମାନ କରିବା ଉଚିତ୍। ଯିଏ ହକଦାର ତାଙ୍କ ସହ ସଫଳତା ବାଣ୍ଟିବା ଉଚିତ୍। ତାମ୍ଵେରି ଖୁସିରେ ବାରଶିମଙ୍କୁ ଆଲିଙ୍ଗନ କରି ପକାଇଥିଲେ। ଦୁଇ ଆଥଲେଟ୍ ଅଲିମ୍ପିକ  ଷ୍ଟାଡିୟମ ବୁଲି ନିଜର ଭାବନା ବ୍ୟକ୍ତ କରିଥିଲେ।  

Spread the love