ଅଲିମ୍ପିକ୍ସ ହକି ସେମିଫାଇନାଲ, ଆର୍ଜେଣ୍ଟିନା ସହ ଲଢିବ ଭାରତୀୟ ମହିଳା ହକି ଟିମ୍

ନୂଆଦିଲ୍ଲୀ ୦୪।୦୮: ଟୋକିଓ ଅଲିମ୍ପିକସ୍ । ଆଜି ଭାରତୀୟ ମହିଳା ହକି ଟିମ୍ ଖେଳିବ ସେମିଫାଇନାଲ୍ । ଆର୍ଜେଣ୍ଟିନାକୁ ଭେଟିବ ଭାରତୀୟ ମହିଳା ଦଳ। ଅପରାହ୍ଣ ସାଢେ ୩ ଟାରେ ଖେଳାଯିବ ମ୍ୟାଚ । ଭାରତୀୟ ପୁରୁଷ ହକି ଟିମ୍ ସେମିଫାଇନାଲରେ ହାରି ନିରାଶ କରିବା ପରେ, ଏବେ ସାରା ଦେଶର ନଜର ମହିଳା ହକି ଟିମ୍ ଉପରେ । ଏଥର ଇତିହାସ ରଚିଛି ମହିଳା ଟିମ୍ । ପ୍ରଥମ ଥର ଅଲିମ୍ପିକସ୍ ସେମି ଫାଇନାଲରେ ପହଞ୍ଚିଛି । ସେଥିପାଇଁ ଆଶା ଏବଂ ଉତ୍କଣ୍ଠା ବଢ଼ି ଯାଇଛି ।

କ୍ବାର୍ଟର ଫାଇନାଲ୍ ରେ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳକୁ ପରାସ୍ତ କରି ପ୍ରଥମ ଥର ଅଲିମ୍ପିକ୍ସର ସେମିଫାଇନାଲ୍ ଖେଳିବାକୁ ଯାଉଛି ଭାରତୀୟ ମହିଳା ହକି ଦଳ । ଏହା ପୂର୍ବରୁ ଭାରତୀୟ ମହିଳା ହକି ଦଳ ୧୯୮୦ ମସିହାରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ଖେଳି ଚତୁର୍ଥ ସ୍ଥାନରେ ରହିଥିଲା। ସେହି ପ୍ରଦର୍ଶନ ଆଗକୁ ବଢ଼ି ପ୍ରଥମ ଥର ପଦକ ଜିତିବ ବୋଲି ସାରା ଭାରତବାସୀ ଶୁଭ ମନାସିଛନ୍ତି। ଏହି ପ୍ରତୀକ୍ଷିତ ମ୍ୟାଚ୍ ପୂର୍ବରୁ କିନ୍ତୁ ଭାରତୀୟ ମହିଳା ହକି ଦଳକୁ ମଙ୍ଗଳବାର ଆଉ ଏକ ଖୁସି ଖବର ମିଳିଛି। ଚଳିତ ଟୋକିଓ ଅଲିମ୍ପିକ୍ସ ପ୍ରଦର୍ଶନ ବଳରେ ଦଳ ବିଶ୍ବ ମାନ୍ୟତାର ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଛି । ଏହା ମଧ୍ୟ ଭାରତୀୟ ମହିଳା ହକି ଦଳର ସର୍ବଶ୍ରେଷ୍ଠ ବିଶ୍ବ ମାନ୍ୟତା। ତେବେ ପ୍ରତିପକ୍ଷ ଆର୍ଜେଣ୍ଟିନା ହେଉଛି ବିଶ୍ବର ଦୁଇ ନମ୍ବର ଦଳ।

Spread the love