ଶିଶୁଙ୍କ ପାଇଁ ହେଲ୍ପ ଡେସ୍କ ‘ସମ୍ପର୍କ’, ରାତି ୧୦ ଯାଏଁ ରହିବ ଖୋଲା

ଭୁବନେଶ୍ୱର, ୦୬/୦୮: କୋଭିଡ୍‌ ମହାମାରୀରୁ ଶିଶୁମାନଙ୍କୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ୟୁନିସେଫ୍‌ର ମିଳିତ ସହଯୋଗରେ ‘ସଂପର୍କ’ ହେଲ୍ପ ଡେସ୍କର ଶୁଭାରମ୍ଭ କରିଛନ୍ତି । ଏହା ସକାଳ ୮ଟାରୁ ରାତି ୧୦ଟା ଯାଏ କାର୍ଯ୍ୟ କରିବ । ଶିଶୁମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ଜଣେ କାଉନସିଲ୍‌ର ଓ ଜଣେ ପ୍ରକଳ୍ପ ଅଧିକାରୀ ନିୟୋଜିତ ହେବେ । ହେଲ୍ପ ଡେସ୍କର ଟୋଲ ଫ୍ରି ନମ୍ବର ରହିଛି ୧୮୦୦୪୧୯୧୮୧୩ । । ଏହା ରାଜ୍ୟର ଶିଶୁମାନଙ୍କ ମନୋବଳ ବୃଦ୍ଧି ଦିଗରେ ଯଥେଷ୍ଟ ସହାୟକ ହେବ ବୋଲି ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ।

ଗୁରୁବାର ଅପରାହ୍ନରେ ଆଭାସୀ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ହେଲ୍ପ ଡେସ୍କ ଓ ପ୍ରଚାର ପୁସ୍ତିକାର ଲୋକାର୍ପଣ କରି ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ, ମହାମାରୀ କାଳରେ ଶିଶୁମାନଙ୍କୁ ଉପଯୁକ୍ତ ମାନସିକ ପରାମର୍ଶ ଦେବାକୁ ପୁସ୍ତିକା ପ୍ରକାଶ ସହିତ ସେବା ପ୍ରଦାନକାରୀମାନଙ୍କୁ ତାଲିମ ଦିଆଯାଇଛି । ଏହାସହ କୋଭିଡ୍‌ କାଳରେ କ୍ଷତିଗ୍ରସ୍ତ ଏବଂ କୋଭିଡ୍‌ ପରବର୍ତ୍ତୀ କଠିନ ସ୍ଥିିତିରେ ସମ୍ମୁଖୀନ ହେଉଥିବା ଶିଶୁଙ୍କ ପାଇଁ ଉପଲବ୍ଧ ବ୍ୟବସ୍ଥା ଓ ସହାୟତା ସମ୍ପର୍କରେ ଉପଯୁକ୍ତ ସୂଚନା ପ୍ରଦାନର ମଧ୍ୟ ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ‘ସଂପର୍କ’ ହେଲ୍ପଡେସ୍କର ଶୁଭାରମ୍ଭ ହେଉଛି ।

ୟୁନିସେଫ, ଓଡ଼ିଶାର ମୁଖ୍ୟ କ୍ଷେତ୍ର ଅଧିକାରୀ ଡ.ମୋନିକା ନିଲେସନ୍‌ କହିଥିଲେ, କୋଭିଡ୍‌ ସମୟରେ ଶିଶୁମାନଙ୍କ ଶାରୀରିକ, ମାନସିକ ଓ ସାମାଜିକ ବିକାଶ ପାଇଁ ଓଡ଼ିଶା ସରକାରଙ୍କୁ ୟୁନିସେଫ ସହଯୋଗ କରିଆସିଛି । ସମନ୍ୱିତ ଶିଶୁ ବିକାଶ ତଥା ନିର୍ଦ୍ଦେଶକ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଡ.ଅରବିନ୍ଦ ଅଗ୍ରୱାଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବିଭାଗୀୟ ଶାସନ ସଚିବ ଡ.ପ୍ରମୋଦ କୁମାର ମେହେର୍ଦ୍ଦା କହିଲେ, ମହାମାରୀ କାଳରେ ପିତାମାତା, ଓ ଅଭିଭାବକଙ୍କୁ ହରାଇଥିବା ପିଲାଙ୍କର ଯତ୍ନ ଓ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଆଶୀର୍ବାଦ ଯୋଜନା କରିଛନ୍ତି ।

Spread the love