ଖୋଲୁଛି OSSC ସଦସ୍ୟଙ୍କ କୋଟିପତି ପିଏସଙ୍କ କଳା କାରନାମା ଗୁମର

ଖୋଲୁଛି OSSC ସଦସ୍ୟଙ୍କ କୋଟିପତି ପିଏସଙ୍କ କଳା କାରନାମା ଗୁମର । ଆଜି ସରୁଛି ବିରଞ୍ଚି ସାହୁଙ୍କ ୪ ଦିନିଆ ରିମାଣ୍ଡ ଅବଧି । ଅପରାହ୍ନ ୨ଟା ସୁଦ୍ଧା କୋର୍ଟରେ ହାଜର ହୋଇ ସେ ଜେଲକୁ ଫେରିବେ ବୋଲି ଜଣାପଡିଛି । ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ ନିଯୁକ୍ତି ଦୁର୍ନୀତି ନେଇ ଅଭିଯୋଗ ଫର୍ଦ୍ଦ ଲମ୍ବିବାରେ ଲାଗିଛି । କଟଅଫ ମାର୍କ ଠାରୁ ଅଧିକ ମାର୍କ ଥାଇ ମଧ୍ୟ ଯୋଗ୍ୟ ପ୍ରାର୍ଥୀ ବାଦ ପଡିବା ନେଇ ଆରଟିଆଇରୁ ମିଳିଥିବା ତଥ୍ୟ ପ୍ରମାଣ ସହ ଗୋଟିଏ ପରେ ଗୋଟିଏ ମାମଲା ଭିଜିଲାନ୍ସ ନିକଟରେ ଦାଖଲ ହେଉଛି । ଖାଲି ସେତିକି ନୁହେଁ ବିରଞ୍ଚିଙ୍କ ଘରୁ ଟଙ୍କା ସହ OSSC ପରୀକ୍ଷାର୍ଥୀଙ୍କ ଆଉମିଟ କାର୍ଡ ମିଳିବା ଘଟଣାରୁ ନିଯୁକ୍ତି ଦୁର୍ନୀତିର ଗନ୍ଧ ବାରି ହେଉଛି । ଚାରି ଦିନ ହେଲା ବିରଞ୍ଚିଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରୁଥିବା ଭିଜିଲାନ୍ସ ବିରଞ୍ଚି ଲିଙ୍କରେ OSSCର ଆଉ କାହାକୁ ଏ ପର୍ଯ୍ୟନ୍ତ ତଦନ୍ତ ପରିସରଭୁକ୍ତ କରିନାହାନ୍ତି । ଏପଟେ ବିରଞ୍ଚି ଟଙ୍କା ନେଇ ଚାକିରି ଦେବାକୁ କମିଶନରେଟ ପୋଲିସ କର୍ମଚାରୀଙ୍କୁ ବ୍ୟବହାର କରିଥିବାର ସାଂଘାତିକ ଅଭିଯୋଗ ଆଣିଛନ୍ତି ପୁରୀ ବ୍ରହ୍ମଗିରି ଅଞ୍ଚଳର ଜଣେ ଯୁବକ। ଶ୍ରୀନିବାସ ଦଳାଇ ୨୦୧୬ରେ ପୋଲିସ ବିଭାଗରେ ଚାକିରି ପାଇଁ ପରୀକ୍ଷା ଦେଇଥିଲେ। କିନ୍ତୁ ସେହି ସମୟରେ କମିଶନରେଟ ପୋଲିସରେ କନେଷ୍ଟବଳ ଥିବା କଂଗ୍ରେସ ଜେନା ନାମକ ଜଣେ ଯୁବକ ତାଙ୍କୁ ୫ ଲକ୍ଷ ଟଙ୍କା ଦେଲେ ଚାକିରି ମିଳିବ ବୋଲି ପ୍ରବର୍ତ୍ତାଇଥିଲେ । ବିରଞ୍ଚିଙ୍କ ସହ ତାଙ୍କର ଭଲ ସମ୍ପର୍କ ଅଛି । ଟଙ୍କା ନେଇ ବିରଞ୍ଚିକୁ ଦେବା କଥା କହିଥିଲେ ବୋଲି ଶ୍ରୀନିବାସ ଅଭିଯୋଗ କରିଛନ୍ତି । ପରେ ଚାକିରି ନମିଳିବାରୁ ସେ ଆରଟିଆଇରେ ତଥ୍ୟ ମଗାଇଥିଲେ। ସେ କଟଅଫ୍‌ ମାର୍କ ଠାରୁ ୨ ମାର୍କ ଅଧିକ ରଖିଥିବା ବେଳେ ତାଙ୍କୁ ଚାକିରି ମିଳିନଥିବା ଜାଣିବାକୁ ପାଇଥିଲେ । ଏନେଇ ସେ OSSC କମିଶନଙ୍କ ଦ୍ଵାରସ୍ଥ ହୋଇଥିଲେ । କିନ୍ତୁ କୌଣସି ସୁଫଳ ନମିଳିବାରୁ ସ୍ୟାଟ୍‌ ଏବଂ ଏବେ ଉଚ୍ଚ ନ୍ୟାୟାଳୟର ଦ୍ଵାରସ୍ଥ ହୋଇଥିଲେ। ଏବେ ବିରଞ୍ଚି ଗିରଫ ହେବା ପରେ ସେ ପୁଣି ଅଭିଯୋଗ ଆଣିଛନ୍ତି।

Spread the love