ବିଶ୍ୱକପ ପାଇଁ ଅମ୍ପାୟାର ଓ ମ୍ୟାଚ ରେଫରୀ ଚୟନ କଲା ଆଇସିସି: ଜାଣନ୍ତୁ କିଏ ହେଲେ ସାମିଲ

ଇଂଲଣ୍ଡ ଓ ୱେଲ୍ସରେ ମେ 30 ରୁ ଆରମ୍ଭ ହେବାକୁ ଥିବା କ୍ରିକେଟ ବିଶ୍ୱକପ ପାଇଁ 16 ଜଣ ଅମ୍ପାୟାର ଓ 6 ଜଣ ମ୍ୟାଚ ରେଫରୀଙ୍କ ନାମ ସ୍ଥିର କରିଛି ଆଇସିସି । ଅମ୍ପାୟାରମାନଙ୍କ ମଧ୍ୟରେ ଜଣେ ଭାରତୀୟ ମଧ୍ୟ ସ୍ଥାନ ପାଇଛନ୍ତି । ଭାରତର ଏସ୍ ରବି ଆଇସିସି ଅମ୍ପାୟାରଙ୍କ ତାଲିକାରେ ସ୍ଥାନ ପାଇଛନ୍ତି । ଯଦିଓ ଆଇପିଏଲରେ ଲାସିଥ୍ ମାଲିଙ୍ଗାଙ୍କ ଏକ ନୋ ବଲକୁ ଧରି ନପାରିବାରୁ ଭାରତୀୟ ଅଧିନାୟକ କୋହଲିଙ୍କ ସମେତ ଅନେକ କ୍ରିକେଟର ତାଙ୍କର ଆଲୋଚନା କରିଥିଲେ । ତେବେ ମେ’ 30  ରୁ  ଜୁଲାଇ 14 (45 ଦିନ) ମଧ୍ୟରେ ହେବାକୁ ଥିବା କ୍ରିକେଟ ବିଶ୍ୱକପରେ ଚଳିତବର୍ଷ 10 ଟି ଦଳ ଭାଗ ନେଇଛନ୍ତି ।

ବିଶ୍ୱକପରେ ମୋଟ ଉପରେ 48ଟି ମ୍ୟାଚ ହେବାକୁ ଥିବାବେଳେ ଓଭାଲରେ ଆୟୋଜକ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଉଦଘାଟନୀ ମ୍ୟାଚର ପରିଚାଳନା ତିନୋଟି ବିଶ୍ୱକପ ବିଜେତା ଦଳର ସଦସ୍ୟ କରିବେ । ଏହି ମ୍ୟାଚରେ ରେଫରୀ ଭୂମିକାରେ ଡେଭିଡ୍ ବୁନ ରହିବେ, ସେ ଆଲାନ ବର୍ଡରଙ୍କ ଅଧିନ ବିଶ୍ୱବିଜେତା ଅଷ୍ଟ୍ରେଲିଆ ଦଳର ସଦସ୍ୟ ଥିଲେ । ଏହି ଦଳ 1987ରେ ନିଜର ପ୍ରଥମ ବିଶ୍ୱକପ ଜିତିଥିଲେ। ଏହି ଉଦଘାଟନୀ ମ୍ୟାଚରେ କୁମାର ଧର୍ମସେନା ଅନ ଫିଲ୍ଡ ଅମ୍ପାୟାର ରହିବାକୁ ଥିବାବେଳେ ପଲ୍ ରୀଫେଲ ଥାର୍ଡ ଅମ୍ଫାୟାର ଭୂମିକାରେ ନଜର ଆସିବେ । ଧର୍ମସେନା 1996 ର ବିଶ୍ୱବିଜେତା ଶ୍ରୀଲଙ୍କା ଦଳର ସଦସ୍ୟ ଥିବାବେଳେ, ପଲ୍ ରୀଫେଲ 1999 ମସିହା ବିଶ୍ୱବିଜେତା ଅଷ୍ଟ୍ରେଲିଆ ଦଳର ସଦସ୍ୟ ଥିଲେ । ବ୍ରୁସ ଆକ୍ସନଫୋର୍ଡ ଦ୍ୱିତୀୟ ଅନ ଫିଲ୍ଡ ଅମ୍ପାୟାର ହୋଇଥିବା ବେଳେ ଜୋଏଲ ବିଲ୍ସନ ମ୍ୟାଚର ଚତୁର୍ଥ ଅଧିକାରୀ ଭାବେ ନିୟୋଜିତ ରହିବେ ।

ଆଇସିସି ପକ୍ଷରୁ ବିଶ୍ୱକପ ପାଇଁ ଚୟନ ହୋଇଥିବା ମ୍ୟାଚ ରେଫରୀ- କ୍ରିସ ବ୍ରଡ୍, ଡେଭିଡ୍ ବୁନ, ଏଣ୍ଡି ପାୟକ୍ରଫ୍ଟ, ଜେଫ୍ କ୍ରୋ, ରଞ୍ଜନ ମଦୁଗଲ, ରିଚି ରିଚର୍ଡସନ । ସେହିପରି ଅମ୍ପାୟାରରେ ଅଲୀମ ଦାର, କୁମାର ଧର୍ମସେନା, ଏସ୍ ଇରାସମସ, କ୍ରିସ ଗଫାନେ, ଇୟାନ ଗୋଲ୍ଡ, ରିଚର୍ଡ ଇଲିଂଗୱର୍ଥ, ରିଚାର୍ଡ କେଟଲବୋରୋ, ନାଇଜଲ ଲାଗ୍ନ, ବ୍ରୁସ ଆକ୍ସନଫୋର୍ଡ, ସୁନ୍ଦରମ ରବି, ପଲ ରିଫେଲ, ରଡ୍ ଟକ୍କର, ଜୋଏଲ ୱିଲସନ୍, ମାଇକେଲ ଗଫ୍, ରୁଚିରା ପଲ୍ଲିୟାଗୁରୁଗେ, ପଲ ୱିଲସନଙ୍କ  ନାମ ରହିଛି ।

Spread the love