ବିକ୍ରି ପାଇଁ ଚାଲିଥିଲା ମୁଲଚାଲ, ଚଢାଉ କଲା ବନ ବିଭାଗ, ହାତୀଦାନ୍ତ ସହ ଦୁଇ ଗିରଫ

ଦେବଗଡ ୧୪।୦୮: ଦେବଗଡ ଜଙ୍ଗଲ ବିଭାଗ ପକ୍ଷରୁ ତିଲେଇବଣୀ ବ୍ଲକ ଅନ୍ତର୍ଗତ ସୋଡ ଗ୍ରାମରୁ ଦୁଇଟି ହାତୀ ଦାନ୍ତ ଜବତ କରାଯିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଦେବଗଡ ରେଞ୍ଜ ଅନ୍ତର୍ଗତ ସୋଡ ଗ୍ରାମରେ ହାତୀ ଦାନ୍ତ ବିକ୍ରି ପାଇଁ ମସୁଧା ହେଉଥିବା ଖବରପାଇ ଦେବଗଡ ଡିଏଫଓ କ୍ଷମା ଷଡଙ୍ଗୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇଥିଲା । ଏହି ଟିମ ଗତ ଦଶ ଦିନ ହେଲା ଏହି ଘଟଣା ଉପରେ ନଜର ରଖିଥିଲେ ।

ଶନିବାର ଅପରାହ୍ନରେ ହାତୀ ଦାନ୍ତ ବେପାରୀ ସୋଡ ଗ୍ରାମକୁ ଆସି ମୁଲଚାଲ କରୁଥିବା ବେଳେ ଜଙ୍ଗଲ ବିଭାଗର ସ୍ଵତନ୍ତ୍ର ଟିମ ଘଟଣାସ୍ଥଳରେ ଚଢାଉ କରିଥିଲେ । ଦାନ୍ତ କିଣିବାକୁ ଆସିଥିବା ବେପାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ବିକ୍ରି ପାଇଁ ଆସିଥିବା ଦୁଇ ଜଣଙ୍କୁ ଦାନ୍ତ ସହ ଗିରଫ କରାଯାଇଥିଲା । ଗିରଫ ଦୁଇଜଣ ହେଲେ ନିକଟସ୍ଥ ଭୁତେଲ ଗ୍ରାମର ଶିବ ମାଝୀଙ୍କ ପୁଅ ପବିତ୍ର ମାଝୀ ଓ ମନଫୁଲ ମାଝୀ। ଜବତ ହାତୀ ଦାନ୍ତ ଏକ ବୟସ୍କ ଦନ୍ତା ହାତୀର ବୋଲି ଜଣାପଡିଛି । ଦାନ୍ତ ଦୁଇଟିର ଓଜନ ଚାରି କେଜି ସାତ ଶହ ଗ୍ରାମ୍ ଓ ପ୍ରତ୍ୟେକଟିର ଲମ୍ବ ୮୦ ସେଣ୍ଟିମିଟର। ହାତୀକୁ କେଉଁ ଅଞ୍ଚଳରୁ କେବେ ମରାଯାଇଛି ସେ ନେଇ ଜଙ୍ଗଲ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Spread the love