ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ, ଆଗାମୀ ୧୦ ବର୍ଷ ହକିର ସ୍ପୋନ୍ସର କରିବ ଓଡିଶା

ଭୁବନେଶ୍ଵର ୧୭।୦୮: ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ୍ସରେ ପଦକ ଜିତି ଇତିହାସ ରଚିବା ସହ ଦେଶ ପାଇଁ ଗୌରବ ଆଣିଛନ୍ତି। ସେପଟେ ମହିଳା ହକି ଦଳ ଭାରତର ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ସେମି ଫାଇନାଲ୍‌ ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳ ହୋଇଥିଲେ।  ଦଳ ପଦକ ଜିତିନଥିଲେ ବି ନିଜ ଦମଦାର ଖେଳ  ଜରିଆରେ ଦେଶବାସୀଙ୍କ ହୃଦୟ ଜିତିଛନ୍ତି। ସବୁଠୁ ବଡ କଥା  ଭାରତୀୟ ପୁରୁଷ ଓ ହକି ଦଳର ମୁଖ୍ୟ ପ୍ରାୟୋଜକ ହେଉଛି ଓଡିଶା। ଏହି ସଫଳତା ପଛରେ ଓଡିଶା ସରକାରଙ୍କ ଶ୍ରେୟ ରହିଛି। ଏହି ପରିପ୍ରେକ୍ଷୀରେ ଉଭୟ ପୁରୁଷ ଓ ମହିଳା ହକି ଦଳର ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବା ସହ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ  ଓଡିଶା ମହିଳା ଏବଂ ପୁରୁଷ ହକି ଦଳକୁ ସ୍ପୋନ୍ସର(ପ୍ରାୟୋଜକ) କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ଉଭୟ ଦଳର ପ୍ରାୟୋଜକ ଥିବା ଓଡ଼ିଶା ସରକାର ଏହି ଖେଳାଳିମାନଙ୍କୁ ଲୋକସେବା ଭବନ କନଭେନସନ ହଲ୍ରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରିବା ସହ ପୁରସ୍କୃତ କରାଯାଇଛି। ଓଡିଶାର ଦୀପଗ୍ରେସ୍ ଏକ୍କାଙ୍କୁ ଶ୍ରେଷ୍ଠ ଡିଫେଣ୍ଡର ଭାବେ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ତାଙ୍କୁ ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ମହିଳା  ହକି ଦଳର ଅଧିନାୟକ ରାଣୀ ରାମପାଲ ଏବଂ ନବନୀତ କୌରଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୁରସ୍କାର ଦିଆଯାଇଛି।  ଗୋଲ କିପର ସବିତାଙ୍କୁ ଶ୍ରେଷ୍ଠ ଗୋଲକିପର  ବାବେ ପୁରସ୍କୃତ କରାଯାଇଛି। ବନ୍ଦନା କଟାରିଆ ଓ ଗୁରଜିତ କୌରଙ୍କୁ ସର୍ବାଧିକ ଗୋଲ୍ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରତ୍ୟେକଙ୍କୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରିଛନ୍ତି।

ସେହି ପରି ପୁରୁଷ ହକି ଦଳର ଖେଳାଳିଙ୍କୁ ସମ୍ବର୍ଦ୍ଧନା ଅବସରରେ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଛନ୍ତି। ଗୋଲ ରକ୍ଷଣ ପାଇଁ ଗୋଲ କିପର ଶ୍ରୀଜେଶଙ୍କୁ ପୁରସ୍କୃତ କରାଯାଇଛି। ନୀଳକାନ୍ତ ଶର୍ମାଙ୍କୁ ଗୋଲ୍ ସହାୟତା, ରୁପିନ୍ଦର ପାଲ ସିଂହଙ୍କୁ ଡିଫେଣ୍ଡର ଆଓ୍ଵାର୍ଡ ପ୍ରଦାନ କରାଯାଇଛି। ଅମିତ୍ ରୋହିତଦାସଙ୍କୁ ଶ୍ରେଷ୍ଠ ମିଡ୍ ଫିଲଡର ଭାବେ ପୁରସ୍କାର ପ୍ରଦାନ କରାଯାଇଛି। ସର୍ବାଧିକ ଗୋଲ୍ ପାଇଁ ହରମନପ୍ରୀତ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଛନ୍ତି। ଏହି ସ୍ଵତନ୍ତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟତୀତ ଇଣ୍ଡିଆନ ଅଲିମ୍ପିକ୍ସ ଆସୋସିଏସନ(ଆଇଓସି)ର ସଭାପତି ତଥା ଅନ୍ତର୍ଜାତୀୟ ହକି ସଂଘ(ଏଫଆଇଏଚ) ଅଧ୍ୟକ୍ଷ ନରିନ୍ଦର ବାତ୍ରା, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ସମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଏହା ପୂର୍ବରୁ ଭୁବନେଶ୍ୱରରେ ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍ ପହଞ୍ଚିଥିଲେ।  ଶିଙ୍ଗ ବାଜା, ଢ଼ୋଲ ମାଡ଼ ସାଙ୍ଗକୁ ଆତସବାଜିରେ ରାଜଧାନୀ ରାସ୍ତା କମ୍ପିଥିଲା। ଏୟାରପୋର୍ଟରୁ ଆରମ୍ଭ କରି ହୋଟେଲ୍ , ଷ୍ଟାଡିୟମ୍ ରାସ୍ତା ସମେତ ରାଜଧାନୀର ସବୁ ପ୍ରମୁଖ ରାସ୍ତାଘାଟ ବ୍ୟାନର୍ ପୋଷ୍ଟରରେ ହକି ଖେଳାଳିଙ୍କୁ ସ୍ୱାଗତ କରାଯାଇଥିଲା। ବିମାନବନ୍ଦରରେ ଟିମ୍ ପହଁଚିବା ପରେ କ୍ରୀଡାମନ୍ତ୍ରୀଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ । ହୋଟେଲ୍‌ରେ ମଧ୍ୟ ଖେଳାଳିଙ୍କ ରହିବାଠାରୁ ଖାଇବା ପର୍ଯ୍ୟନ୍ତ ବ୍ୟାପକ ପ୍ରସ୍ତୁତି କରାଯାଇଛି। ହୋଟେଲ୍ ସାଣ୍ଡିସ୍ ଟାୱାରକୁ ଫୁଲ ଓ ରଙ୍ଗିନ୍ ଆଲୋକରେ ସଜା ଯାଇଛି। ସବୁ ଖେଳାଳିଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଓ ସକାଳ ଜଳଖିଆ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇଛି।

Spread the love