ଦିଲ୍ଲୀରେ ଭାଙ୍ଗିଲା ୬୦ ବର୍ଷର ରେକର୍ଡ, ୨୪ ଘଣ୍ଟାରେ ୧୩୯ ମି.ମି. ବର୍ଷା

ନୂଆଦିଲ୍ଲୀ ୨୧।୮: ରାଜଧାନୀ ଦିଲ୍ଲୀରେ ବର୍ଷା ଗତ ୬୦ ବର୍ଷର ରେକର୍ଡ ଭାଙ୍ଗିଛି। ଶୁକ୍ରବାର ପୂର୍ବାହ୍ନ ସାଢେ ୮ଟାରୁ ଶନିବାର ପୂର୍ବାହ୍ନ ସୁଦ୍ଧା ଦିଲ୍ଲୀରେ ୧୩୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଅଗଷ୍ଟ ମାସରେ ଦିଲ୍ଲୀ ମାତ୍ର ୨୪ ଘଣ୍ଟାରେ ଏତେ ପରିମାଣର ବର୍ଷା ଦୀର୍ଘ ବର୍ଷ ପରେ ପାଇଛି। ରାଷ୍ଟ୍ରୀୟ ରାଜଧାନୀରେ ଏବେବି ବର୍ଷା ଜାରି ରହିଛି। ଏଣୁ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛନ୍ତି। ଆଇଏମଡିଙ୍କ ସୂଚନା ଅନୁସାରେ ଏନସିଆରର ଅଧିକାଂଶ କ୍ଷେତ୍ରରେ ବର୍ଷା ଜାରି ରହିଛି। ଫଳରେ ତାପମାତ୍ରା ହ୍ରାସ ହୋଇଥିବା ବେଳେ ମୌସୁମୀ ଆଗମନ ପରଠାରୁ ଏନସିଆର ଅଞ୍ଚଳରେ ଲାଗି ରହିଥିବା ଗରମ ଓ ଗୁଳଗୁଳିରୁ ଲୋକେ ଆଶ୍ୱସ୍ତ ହୋଇଛନ୍ତି। ସଫଦରଜଙ୍ଗ ଅବରଜେଭଟରୀଙ୍କ ତଥ୍ୟ ଅନୁସାରେ ଶୁକ୍ରବାର ପୂର୍ବାହ୍ନ ସାଢେ ୮ଟାରୁ ଶନିବାର ସକାଳ ସାଢେ ୮ଟା ସୁଦ୍ଧା ରାଜଧାନୀ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ୧୩୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଏହା ପୂର୍ବରୁ ୧୯୬୧ ମସିହା ଅଗଷ୍ଟ ମାସରେ ଦିଲ୍ଲୀରେ ୧୮୪ ମିଲିମିଟର ବର୍ଷା ହୋଇଥିବାର ପାଣିପାଗ ବିଭାଗ ରେକର୍ଡ ରହିଛି। ଲଗାଣ ବର୍ଷା ଯୋଗୁ ଦିଲ୍ଲୀ ଏନସିଆରରେ ସର୍ବନିମ୍ନ ତାପମାତ୍ରା ସାଧାରଣରୁ ୩ ଡିଗ୍ରି ହ୍ରାସ ହୋଇଛି। ରାଜଧାନୀ ଦିଲ୍ଲୀର ତାପମାତ୍ରା ଏବେ ୨୩.୮ ଡିଗ୍ରି ସେଲସିୟସ ରହିଛି। ତେବେ ଶୁକ୍ରବାର ଅପେକ୍ଷା ଶନିବାର ରାଜଧାନୀରେ ବର୍ଷା ହ୍ରାସ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛନ୍ତି। ଦିନ ତମାମ ଆକାଶ ମେଘାଛନ୍ନ ରହିବା ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ ବୋଲି ସୂଚିତ କରିଛନ୍ତି। ଏଣୁ ଶନିବାର ଦିଲ୍ଲୀରେ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ରବିବାର ଲାଗି ଏଲୋ ଆଲର୍ଟ ଦିଆଯାଇଛି। ଲଗାଣ ବର୍ଷା ଯୋଗୁ ମିଣ୍ଟୋବ୍ରିଜ୍, ମୂଲଚନ୍ଦ ଅଣ୍ଡରପାସ୍, ଆଇଟିଓ ସମେତ ଅନେକ ଅଞ୍ଚଳ ପାଣି ଭରି ଯାଇଛି। ପାଣି ଭରିବା ଯୋଗୁ ପୋଲିସ କେତେକ ଅଣ୍ଡରପାସ୍‌କୁ ଯାତାୟାତ ନିମନ୍ତେ ବନ୍ଦ କରିଦେଇଛି। ଯେଉଁ ସବୁ ରାସ୍ତା ସାର୍ବଜନିକ ଆବାଗମନ ଲାଗି ବନ୍ଦ ହୋଇଛି ସେ ନେଇ ଦିଲ୍ଲୀ ପୋଲିସ ଟ୍ୱିଟରରେ ସୂଚିତ କରାଯାଇଛି। ସେପଟେ ବର୍ଷା ରାଜଧାନୀ ଦିଲ୍ଲୀର ବାୟୁ ଗୁଣବତ୍ତାରେ ସୁଧାର ଆଣିଥିବା ପ୍ରଦୂଷଣ ବିଭାଗ ସୂଚିତ କରିଛନ୍ତି।

Spread the love