୩ ଦିନ ପରେ ଆଈ କୋଳକୁ ଫେରିଲା ରାହୁଲ : ଘରେ ଲୁଚାଇ ରଖିଥିଲା ଅପହରଣକାରୀ, କିଏ ସେ ମିଡିଲ୍ ଓ୍ୱିମ୍ୟାନ୍ ?

ଜଗତସିଂହପୁର,୨୨/୦୮:   ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତୀକ୍ଷାଗାରରୁ ଗତ ତିନି ଦିନ ତଳେ ଅପହରଣ ହୋଇଥିବା ତିନି ବର୍ଷର ଶିଶୁପୁତ୍ର ରାହୁଲ ଉଦ୍ଧାର । ରାହୁଲ ସ୍ୱାଇଁଙ୍କୁ ରବିବାର ଅପରାହ୍ନରେ ଜଗତସିଂହପୁର ପୋଲିସ ସଦର ଥାନା ବରାଗୋଳ ପଂଚାୟତ ଗୋଠିଣା ଗାଁରୁ ଉଦ୍ଧାର କରିଛି । ଶିଶୁକୁ ଅପହରଣ କରିଥିବା ଅଭିଯୁକ୍ତ ଗୋଠିଣା ବିଶ୍ଵନାଥପୁର ଗାଁର ଗଣେଶ ମଲିକକୁ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ, ଗତ ତିନି ଦିନ ତଳେ ନିଜର ବୁଢ଼ୀ ଆଈ ସହିତ ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରୁ ରାହୁଲକୁ ଅପହରଣ କରି ନିଆଯାଇଥିଲା ।  ବୁଢ଼ୀ ଆଈର ଅନୁପସ୍ଥିତରେ ଅଭିଯୁକ୍ତ ଗଣେଶ ରାହୁଲକୁ ଅପ ହରଣ କରି  ନିଜ ଘରେ ରଖିଥିଲା । ଅନ୍ୟ ଜଣେ ମହିଳା ଶିଶୁଟିକୁ ନେଇ ଯିବା ପାଇଁ ତାକୁ କହିଥିଲେ ବୋଲି ଅଭିଯୁକ୍ତ କହିଛି । ତେବେ ପ୍ରତି ବଦଳରେ କୌଣସି ଟଙ୍କା କାରବାର ହୋଇନଥିବା ଜଣାପଡିଛି ।  ପୋଲିସ ରାହୁଲର ଡାକ୍ତରୀ ଚିକିତ୍ସା କରିବା ପରେ ଅଧିକ ତଦନ୍ତ ଚଳାଇଛି । ମିଡ଼ିଲ ମ୍ୟାନ୍ ମହିଳା କିଏ ପୋଲିସ ତାର ତଦନ୍ତ ମଧ୍ୟ ଆରମ୍ଭ କରିଛି ।

ସୂଚନାଯୋଗ୍ୟ. ଶିଶୁ ଅପହରଣ ପରେ ଜଗତସିଂହପୁର ପୋଲିସ ତିନୋଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା । ଶିଶୁଟିକୁ ଜିଲ୍ଲା ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ଶିଶୁଟିର ଶରୀର ସୁସ୍ଥ ଥିବା ଡାକ୍ତର କହି ଛନ୍ତି ।

Spread the love