ଗଙ୍ଗାରେ ଆସୁଛି ଭୀଷଣ ବନ୍ୟା, ହରିଦ୍ୱାରରେ ସତର୍କତା ଜାରି

ହରିଦ୍ୱାର ୨୮।୮: ଉତ୍ତରାଖଣ୍ଡରେ ପାହାଡ଼ରୁ ଆରମ୍ଭ କରି ସମତଳ ପର୍ଯ୍ୟନ୍ତ ବର୍ଷା ଏବେ ବିତ୍ପାତ ରଚିଛି। ଶୁକ୍ରବାର ରାତିରେ ପାର୍ବତ୍ୟାଞ୍ଚଳରେ ହୋଇଥିବା ବର୍ଷା ଏବେ ଗଙ୍ଗାନଦୀରେ ଜଳସ୍ତର ବୃଦ୍ଧି କରିଛି। ଶନିବାର ପୂର୍ବାହ୍ନରେ ଗଙ୍ଗା ହରିଦ୍ୱାର ଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ଉପକୂଳ ଅଞ୍ଚଳ ଲାଗି ସତର୍କତା ଜାରି ହୋଇଛି। ସକାଳେ ଗଙ୍ଗାରେ ଜଳସ୍ତର ୨୯୩.୦୫ ମିଟର ଛୁଇଁଥିଲା। ଏଠାରେ ୱାର୍ଣ୍ଣିଂ ଲେବୁଲ ୨୯୩ ମିଟର ରହିଛି।

ଗଙ୍ଗାକୁ ସଂଯୁକ୍ତ କରୁଥିବା ନାଳ ମଧ୍ୟ ଏବେ ଉଛୁଳିଛି। ଫଳରେ ହରିଦ୍ୱାର ଆଖପାଖ ଗ୍ରାମାଞ୍ଚଳ ଲାଗି ବନ୍ୟା ବିପଦ ଘନେଇଛି। ନାଳରେ ପ୍ରବାହିତ ପାଣି ଏବେ ଉପକୂଳବର୍ତ୍ତି ଗ୍ରାମାଞ୍ଚଳରେ ଭରିବାରେ ଲାଗିଥିବା ସୂଚନା ଆସୁଛି। ଗଙ୍ଗାନଦୀର ଜଳସ୍ତର ବିପଦ ସଂକେତ ଛୁଇଁବା ପରେ ବ୍ୟାରେଜ ସତର୍କତା ଜାରି କରିଥିବା ଉତ୍ତରପ୍ରଦେଶ ଜଳସେଚନ ବିଭାଗ ଏସଡିଓ ଶିବ କୁମାର କୌଶିକ କହିଛନ୍ତି। ସେପଟେ ପାଣିପାଗ ବିଭାଗ ନୈନିତାଲ, ଚମ୍ପାବତ, ବାଗେଶ୍ୱର ଓ ପିଥୋରାଗଡରେ ଆଗାମୀ ୨୪ ଘଣ୍ଟା ନିମନ୍ତେ ଜାରି କରିଥିବା ସୂଚନାରେ ବର୍ଷା ଲାଗି ଅରେଞ୍ଜ ଆଲର୍ଟ ରଖିଛନ୍ତି। ଏଣୁ ନିମ୍ନାଞ୍ଚଳରେ ବନ୍ୟା ପରିସ୍ଥିତି ଗୁରୁତର ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ତେବେ ଶୁକ୍ରବାର ବିଳମ୍ବିତ ରାତ୍ରିରୁ ହରିଦ୍ୱାରରେ ଆରମ୍ଭ ହୋଇଥିବା ମୁଶଳ ବର୍ଷା ଶନିବାର ସକାଳେ ଥମିଛି। ଫଳରେ ଗ୍ରାମାଞ୍ଚଳର  ନିମ୍ନାଞ୍ଚଳମାନଙ୍କରେ ପାଣି ଭରି ଯାଇଥିବାର ସୂଚନା ମିଳୁଛି। ଲାଲଢାଙ୍ଗରେ ମାଟି ଅତଡା ଧସିବା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ହରିଦ୍ୱାର ସହରରେ ଲୋକଙ୍କ ଘରେ ପାଣି ପଶିଥିବାର ଜଣାପଡିଛି। ଭଗତସିଂହ ଛକ ଓ ଜ୍ୱାଲାପୁର ଅଣ୍ଡରପାସ୍‌ରେ ପଣି ଭରି ରହିବା ଯୋଗୁ ଯାତାୟାତ ପ୍ରଭାବିତ ହୋଇଛି।

Spread the love