ଅମିତାଭ ବଚ୍ଚନଙ୍କ ସହ ‘କୌନ ବନେଗା କରୋଡପତି’ ଖେଳିବା ଦେଶବନ୍ଧୁଙ୍କୁ ପଡିଲା ମହଙ୍ଗା, ଅଟକିଲା ୩ ବର୍ଷର ଦରମା ବୃଦ୍ଧି, ଆସିଲା ଚାର୍ଜସିଟ୍

ଅମିତାଭ ବଚ୍ଚନଙ୍କ ଦ୍ଵାରା ପରିଚାଳିତ କୁଇଜ୍  ଶୋ ‘କୌନ ବନେଗା କରୋଡପତି’ର ସିଜିନ ୧୩ ଆରମ୍ଭ ହୋଇ ଯାଇଛି। ନିକଟରେ ଏହି ଶୋରେ ପହଞ୍ଚିଥିଲେ ରେଲଓ୍ଵେ କର୍ମଚାରୀ ଦେଶବନ୍ଧୁ ପାଣ୍ଡେ। ଶୋରେ ଦେଶବନ୍ଧୁ ମୋଟ୍ ୩,୨୦,୦୦୦ ଟଙ୍କା ଜିତିଛନ୍ତି। ମାତ୍ର ଏହା ପରେ ତାଙ୍କର ମୁସ୍କିଲ ବଢି ଯାଇଛି। ରେଲଓ୍ଵେ ପକ୍ଷରୁ ତାଙ୍କୁ ଚାର୍ଜସିଟ୍ ଜାରି କରାଯାଇଛି।

ସୂଚନା ଅନୁଯାୟୀ, କୋଟା ରେଲ୍ ମଣ୍ଡଳର ସ୍ଥାନୀୟ ଖରିଦ ଅନୁଭାଗର କାର୍ଯ୍ୟାଳୟ ଅଧୀକ୍ଷକ ଦେଶବନ୍ଧୁ ପାଣ୍ଡେ ନିକଟରେ କେବିସିରେ ପହଞ୍ଚିଥିଲେ। କେବିସି ପାଇଁ ଦେଶବନ୍ଧୁ ଅଗଷ୍ଟ ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ରହିଥିଲେ। ନିଜ ଛୁଟି ପାଇଁ ଦେଶବନ୍ଧୁ ରେଲଓ୍ଵେ ଅଧିକାରୀଙ୍କୁ ମଧ୍ୟ ସୂଚନା ଦେଇଥଲେ। କିନ୍ତୁ ଏବେ କୁହାଯାଉଛି ଯେ, ତାଙ୍କ ଆବେଦନ ଉପରେ ବିଚାର କରାଯାଇ ନଥିଲା। ଫଳସ୍ଵରୂପ ବିନା ଅନୁମତିରେ ଛୁଟି ନେଇଥିବା ଅଭିଯୋଗରେ ଦେଶବନ୍ଧୁଙ୍କୁ ରେଲଓ୍ଵେ ପ୍ରଶାସନ ଦ୍ଵାରା ଚାର୍ଜସିଟ୍ ଧରାଇ ଦିଆଯାଇଛି। କେବଳ ଏତିକି ନୁହେଁ ତାଙ୍କର ଦରମା ବୃଦ୍ଧି ତିନି ବର୍ଷ ପାଇଁ ରୋକି ଦିଆଯାଇଛି।

ଦେଶବନ୍ଧୁ ଜିତିଲେ ୩ ଲକ୍ଷ ୨୦ ହଜାର ଟଙ୍କା

ଦେଶବନ୍ଧୁ ପାଣ୍ଡେଙ୍କ କେବିସି ଏପିସୋଡ୍ ଅଗଷ୍ଠ ୨୬ ଓ ୨୭ ତାରିଖରେ ପ୍ରସାରିତ ହୋଇଥିଲା। ଶୋରେ ୬,୪୦,୦୦୦ ଟଙ୍କାର ୧୧ତମ ପ୍ରଶ୍ନର ଉତ୍ତର ଦେଶବନ୍ଧୁ ଦେଇ ପାରିନଥିଲେ। ଯାହା ପରେ ତାଙ୍କୁ ୩,୨୦,୦୦୦ ଟଙ୍କାରେ ସନ୍ତୁଷ୍ଟ କରିବାକୁ ପଡିଥିଲା। ଯେଉଁ ପ୍ରଶ୍ନର ଉତ୍ତର ଦେଶବନ୍ଧୁ ଦେଇ ପାରିନଥିଲେ ତାହା ହେଉଛି- ଏଥିରୁ କେଉଁ ଦେଶ ସଂପୂର୍ଣ୍ଣ ଭାବେ ୟୁରୋପରେ ରହିଛି ? ଏହି ପ୍ରଶ୍ନର ବିକଳ୍ପ ଥିଲା- ରୁଷ, ତୁର୍କୀ, ୟୁକ୍ରେନ, କଜାକିସ୍ତାନ।

କଣ ଥିଲା ସଠିକ୍ ଉତ୍ତର

ଦେଶବନ୍ଧୁଙ୍କ ପାଖରେ ଏହି ପ୍ରଶ୍ନର ଉତ୍ତର ପାଇଁ ଏକ୍ସପର୍ଟଙ୍କ ରାୟ ଲାଇଫଲାଇନ୍ ନେବାର ସୁଯୋଗ ରହିଥିଲା। ଯାହାକୁ ସେ ବ୍ୟବହାର କରି ପାରିଥାନ୍ତେ। ମାତ୍ର ସେ ଲାଇଫଲାଇନ୍‌ର ବ୍ୟବହାର କରିନଥିଲେ ଏବଂ ଉତ୍ତରରେ ରୁଷ କହିଥିଲେ। କିନ୍ତୁ ଏହି ପ୍ରଶ୍ନର ସଠିକ୍ ଉତ୍ତର ଥିଲା ୟୁକ୍ରେନ।

Spread the love