ଘରେ ତାଲା ପକାଇଲେ ଶାଶୂ ଓ ନଣନ୍ଦ, ରାତିସାରା ରାସ୍ତା କଡରେ କାଟିଲେ ବୋହୂ ଓ ନାତି-ନାତୁଣୀ

ଜଳେଶ୍ବର ୩୧।୮: ବିଧବା ବୋହୂକୁ ନିର୍ଯାତନା । ଜଳେଶ୍ବର ଥାନା ପଂଚୁଘଣ୍ଟାଠାରେ ବୋହୂକୁ ବିଧବା ନଣଦ ଓ ଶାଶୂ ଦେଲେ ନିର୍ଯାତନା । ଘରେ ତାଲା ପକାଇ ରାତିସାରା ରାସ୍ତା କଡରେ ବୋହୂ, ନାତି-ନାତୁଣୀକୁ ବସାଇଲେ । ନ୍ୟାୟ ପାଇଁ ଥାନାରେ ବୋହୂ ଆଶ୍ରୟ ନେଇଥିଲା ବେଳେ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି । ଶେଷରେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଉତକ୍ଷିପ୍ତ ହୋଇ ଶାଶୂ ନଣନ୍ଦଙ୍କୁ ଉତ୍ତମ ମଧ୍ୟମ ଦେଇ ବିଦା କରିଛନ୍ତି ।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅଧିନସ୍ଥ ପଂଚୁଘଣ୍ଟା ଗ୍ରାମରେ । ସ୍ବର୍ଗତ ସୁଶାନ୍ତ କର୍ମକାରଙ୍କର ସ୍ତ୍ରୀ କୌଶଲ୍ୟା କର୍ମକାର ତାଙ୍କ ଝିଅ ଏବଂ ପୁଅକୁ ନେଇ ଏକ ଘରେ ରହି ଆସୁଥିଲେ । ତେବେ ସୋମବାର କୌଶଲ୍ୟା ସନ୍ଧ୍ୟା ସମୟରେ ନିଜ ପୁଅ ଦୋକାନକୁ ଯାଇଥିଲା ବେଳେ ମହିଳାଙ୍କ ସାବତ ଶାଶୂ, ବିଧବା ନଣଦ ଓ ଭାଣିଜୀ କୌଣସି କାରଣ ନ ଥାଇ ଘରର କବାଟରେ ତାଲା ପକାଇଦେଇଥିଲେ । ବିଧବା ମହିଳା ନିଜ ଝିଅ ଓ ପୁଅକୁ ନେଇ ରାତିସାରା ରାସ୍ତା ପାଖ ବାରଣ୍ଡାରେ ବସିଥିଲେ । ନ୍ୟାୟ ପାଇଁ ଜଳେଶ୍ବର ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିଲା । ଶେଷରେ ସକାଳ ସମୟରେ ଜଳେଶ୍ବର ପୌରପରିଷଦର କିଛି  ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଉତକ୍ଷିପ୍ତ ହୋଇ ଶାଶୂ, ନଣଦ ଓ ଭାଣିଜୀକୁ ଉତ୍ତମ ମଧ୍ୟମ ଦେଇ ବିଦା କରିଥିଲେ ।

Spread the love