ବି ଟାଉନ୍‌ର ଗୁମର ଖୋଲିଲେ ଡିନୋ ମୋରେଆ: କହିଲେ-ପଚାରୁ ନଥିଲା ବଲିଉଡ୍, ମିଳୁ ନଥିଲା କାମ

ନୂଆଦିଲ୍ଲୀ ୩୧/୦୮ : ବଲିଉଡ ଅଭିନେତା ଡିନୋ ମୋରେଆ ୱେବ୍ ସିରିଜ୍ ‘ଦ ଏମ୍ପାୟାର୍’କୁ ନେଇ ଚର୍ଚ୍ଚାରେ। ଏହି ସିରିଜ୍‌ରେ ଶବାନା ଆଜମୀ, ଦୃଷ୍ଟି ଧାମି, କୃଣାଲ କପୁର ଏବଂ ରାହୁଲ ଦେବଙ୍କ ଭଳି ବଡ଼ ଷ୍ଟାର ମଧ୍ୟ ଅଛନ୍ତି। ଏହାକୁ ମିତାକ୍ଷରା କୁମାର ନିର୍ଦ୍ଦେଶନା ଦେଇଛନ୍ତି। ମୋଗଲ ଶାସକ ବାବରଙ୍କ ଏହି ୱେବ୍ ସିରିଜରେ ଡିନୋ ମୋରିଆଙ୍କ ଚରିତ୍ରକୁ ବହୁତ ପସନ୍ଦ କରାଯାଉଛି, କିନ୍ତୁ ଏକ ଇଣ୍ଟରଭ୍ୟୁରେ ସମୟରେ ସେ ତାଙ୍କର ବଲିଉଡରେ ସଂଘର୍ଷକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।

ଡିନୋ ମୋରିଆ କହିଛନ୍ତି, “ମୁଁ ୧୫ ଟି ଫିଲ୍ମରେ ଅଭିନୟ କରିସାରିଥିଲି । ତଥାପି, ମୁଁ ଦିଲ୍ଲୀର ଏକ ଆକ୍ଟିଂ ସ୍କୁଲ୍‌ରେ ଆଡମିଶନ୍ ନେଇଥିଲି, କାରଣ ମୁଁ କୌଣସି ଆକ୍ଟିଂ ସ୍କୁଲ୍‌କୁ ଯାଇ ନଥିଲି। ସେଠାରେ ମୁଁ ନୂଆ ଜିନିଷ ଜାଣିବାକୁ ପାଇଲି ଏବଂ ଶିଖିଲି । ୨୦୧୩ ଠାରୁ, ମୁଁ ଅନେକ ନିର୍ଦ୍ଦେଶକ ଏବଂ ପ୍ରଡ୍ୟୁସର୍‌ଙ୍କ ନିକଟକୁ କାମ ମାଗିବାକୁ ଯାଇଥିଲି, କିନ୍ତୁ କିଛି ଲାଭ ହୋଇନଥିଲା । ତେଣୁ କିଛି ସମୟ ଅଟକି ଗଲି ଏବଂ ଉପଯୁକ୍ତ ସୁଯୋଗକୁ ଅପେକ୍ଷା କଲି। “

ଅଭିନେତା ଆହୁରି କହିଛନ୍ତି, “ମୁଁ ନିର୍ମାତା-ନିର୍ଦ୍ଦେଶକଙ୍କ ଅଫିସ୍ କୁ ବାରମ୍ବାର ଦୌଡୁଥିଲି । ତାଙ୍କୁ କାମ କରିବାର ଇଚ୍ଛା ପ୍ରକାଶ କରୁଥିଲି, କିନ୍ତୁ ମୋ ହାତରେ କିଛି ଆସିଲା ନାହିଁ । ଏହା ଏକ ଯାତ୍ରା, ଏହା ବହୁତ କଷ୍ଟକର ସମୟ ଥିଲା । ମୁଁ ମାନସିକ ସ୍ତରରେ ମୋର ଶକ୍ତି ବଜାୟ ରଖିଥିଲି ଏବଂ ବହୁତ କିଛି କରିଥିଲି । ଜିମ୍, ଫିଟନେସ୍ ଏବଂ ସ୍ୱାସ୍ଥ୍ୟ ମୋତେ ବହୁତ ସାହାଯ୍ୟ କରିଥିଲା । ନିଜକୁ ବଞ୍ଚାଇବା ପାଇଁ ଛୋଟ ଛୋଟ ଭୂମିକା ଗ୍ରହଣ କରିବାକୁ ମଧ୍ୟ ଚେଷ୍ଟା କରିଥିଲି । ୨୦୧୭ ରେ ‘ମେଣ୍ଟାଲ୍‌ହୁଡ୍’, ‘ହୋଷ୍ଟେଜ୍’ ଏବଂ ‘ତାଣ୍ଡବ’ ଭଳି ୱେବ୍ ସିରିଜ୍ କରିବା ପରେ ମୋତେ ‘ଏମ୍ପାୟାର୍‌’ରେ କାମ କରିବାର ସୁଯୋଗ ମିଳିଲା।”

ଡିନୋ ମୋରିଆ ୧୯୯୯ ରେ ଫିଲ୍ମ ‘ପ୍ୟାର ମେଁ କଭି କଭି’ରୁ ବଲିଉଡରେ ଡେବ୍ୟୁ କରିଥିଲେ । ତାଙ୍କୁ ବଲିଉଡ୍‌ରେ ସେହି ପରିଚୟ ମିଳିପାରିଲା ନାହିଁ ଯାହା ସେ ଆଶା କରିଥିଲେ । କିନ୍ତୁ ତାଙ୍କ ଅଭିନୟକୁ ଆଜି ମଧ୍ୟ ପ୍ରଶଂସା କରାଯାଉଛି ।

Spread the love