ବାତ୍ୟାର ୮ ଦିନ ପରେ ବି କ୍ଷୟକ୍ଷତି ଆକଳନ ପାଇଁ ପହଂଚିନାହାଁନ୍ତି କୃଷି ଅଧିକାରୀ:କୃଷକମୋର୍ଚ୍ଚା

ବାତ୍ୟା ଫନିରେ ହଜାର ହଜାର ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ଧାନ, ଆଖୁ, ନଡିଆ ଏବଂ ପନିପରିବା ଫସଲ ପୂରା ଛାରଖାର ହୋଇଛି । ବାତ୍ୟା ପରେ ୮ ଦିନ ବିତିଥିଲେ ମଧ୍ୟ କ୍ଷତିଗ୍ରସ୍ତ ଚାଷ ଜମିକୁ କୌଣସି କୃଷି ବିଭାଗର ଅଧିକାରୀ ଏପର୍ଯ୍ୟନ୍ତ ଆସିନାହାଁନ୍ତି କି କ୍ଷୟକ୍ଷତି ଆକଳନ କରିନାହାଁନ୍ତି । ବାତ୍ୟାପରେ ଚାଷୀକୂଳ ପୂରା ହତାଶ ହୋଇ ପଡିଛି ।

ବାତ୍ୟାରେ ପ୍ରଭାବିତ ହୋଇଥିବା ସମସ୍ତ ଜିଲ୍ଲାରେ ଏଯାବତ୍ କୃଷି ଅଧିକାରୀ ପହଂଚି ନଥିବା ଯୋଗୁଁ ଚାଷୀ ପରିବାର ଆଶଙ୍କା ଭିତରେ ରହିଛି । ରାଜ୍ୟ କୃଷକମୋର୍ଚ୍ଚା ସଭାପତି ଶିବାଜି ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ କଟକ ଜିଲ୍ଲା କଂଟାପଡା ବ୍ଲକର ବାଗଲପୁର ଅଂଚଳର ବିଭିନ୍ନ ଗ୍ରାମର ଚାଷଜମି ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଥିଲେ । ବାତ୍ୟାରେ ସମସ୍ତ ଫସଲ କ୍ଷୟକ୍ଷତି ହୋଇଛି । ଫଳରେ ଚାଷୀର ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିପଡିଛି ବୋଲି ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ
ସଂପାଦକ ସୁରଥ ବିଶ୍ୱାଳ କହିଛନ୍ତି ।
କୃଷକମୋର୍ଚ୍ଚା ପ୍ରତିନିଧୀ ଦଳ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଚାଷଜମି ବୁଲି ଦେଖିବା ସହ କଂଟାପଡା
ବିଡିଓଙ୍କ ସହ ଆଲୋଚନା କରି ତୁରନ୍ତ ଚାଷଜମିର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ସହାୟତା ଯୋଗାଇଦେବା ପାଇଁ ଦାବି
କରିଛନ୍ତି । ଏଥି ସହ ପ୍ରତିନିଧୀ ଦଳ ବାତ୍ୟାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।
ଏହି ପ୍ରତିନିଧି ଦଳରେ କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣ
ଜଗଦେବ, ଶ୍ରୀରଂଜନ ମଙ୍ଗରାଜ, ରବି ନାରାୟଣ ମହାପାତ୍ର, ଅଶୋକ ରଥ, ନିମିତା ମିଶ୍ର, ଶକୁନ୍ତଳା ମହାପାତ୍ର, ଅମରେଶ୍ୱର
ମିଶ୍ର, ସଂଜୀବ ରଣା, ଅଶୋକ ସେଠୀ ଏବଂ ଲିଙ୍ଗରାଜ ବାରିକ ପ୍ରମୁଖ ସାମିଲ ଥିଲେ ।
ସେହିପରି ରାଜ୍ୟ ବିଜେପି ଯୁବମୋର୍ଚ୍ଚାର ସଭାପତି  ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବ୍ରହ୍ମଗିରି
ନିର୍ବାଚନମଣ୍ଡଳୀର ବାଲିକେରା, ରାହାଡମଲ, ରେବଣା ନୂଆ ଗାଁ ଆଦି ବିଭିନ୍ନ ଅଚଂଳ ପରିଦର୍ଶନ କରିବା ସହ ବାତ୍ୟା ବିପନ୍ନ
ଲୋକଙ୍କ ଦୁର୍ଦ୍ଦଶା ସଂପର୍କରେ ବୁଝିଛନ୍ତି ।

Spread the love