କାହିଁକି ପଛକୁ ହଟିଲା ରୁଷ ? ତାଲିବାନର ସରକାର ଗଠନ ସମାରୋହରେ ହେଲାନି ସାମିଲ

ମସ୍କୋ : ତାଲିବାନ ସରକାର ଗଠନ ସମାରୋହରେ ସାମିଲ ହେବନି ରୁଷ। କ୍ରେମାଲିନ୍‌ରେ ଥିବା ରୁଷ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି। କିନ୍ତୁ ଏହା ପୂର୍ବରୁ ରୁଷ ସଂସଦର ପ୍ରବକ୍ତା କହିଥିଲେ, ଦେଶର ରାଷ୍ଟ୍ରଦୂତ ସ୍ତରୀୟ ଅଧିକାରୀମାନେ ତାଲିବାନ ସରକାର ଗଠନ ସମାରୋହରେ ଯୋଗ ଦେବେ। ସେପଟେ ତାଲିବାନ ନିଜର ଶପଥ ଗ୍ରହଣ ଉତ୍ସବରେ ସାମିଲ ପାଇଁ ବଛା ବଛା ଦେଶକୁ ନିମନ୍ତ୍ରଣ ଦେଇଥିଲା। ସେଥିମଧ୍ୟରୁ ଗୋଟିଏ ଦେଶ ରୁଷ ମଧ୍ୟ ଥିଲା। ତେବେ ରୁଷ କାହିଁକି ଏହି କାର୍ଯ୍ୟକ୍ରମ ବର୍ଜନ କରିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ସରକାର ଗଠନ କରିବା ନେଇ ଘୋଷଣା ପରଠୁ ତାଲିବାନର ବ୍ୟବହାର ଦେଖି ହୁଏତ ରୁଷ ପାଦ ପଛକୁ ନେଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ତାଲିବାନ ସରକାରରେ ଏମିତି ଅନେକ ନାଁ ସାମିଲ ରହିଛି ଯେଉଁମାନେ ଅନ୍ତର୍ଜାତୀୟ ସ୍ତରରେ ଓ୍ବାଣ୍ଡେଡ୍‌ ଲିଷ୍ଟରେ ରହିଛନ୍ତି। ଏପରିକି ସେମାନଙ୍କ ମୁଣ୍ଡ ଉପରେ ମୋଟାଅଙ୍କର ପୁରସ୍କାର ରାଶି ମଧ୍ୟ ଘୋଷଣା ହୋଇଛି। ସରକାର ଗଠନ କାର୍ଯ୍ୟକ୍ରମକୁ ତାଲିବାନ ପାକିସ୍ତାନ, ଚୀନ, ତୁର୍କୀ, କତର, ରୁଷ ଏବଂ ଇରାନକୁ ନିମନ୍ତ୍ରଣ କରିଥିଲା। କିନ୍ତୁ ଏହି ସବୁ ଦେଶ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ହଁ ଭରିନାହାନ୍ତି ।

Spread the love