ଆଜିଠୁ ଖୋଲିବ ‘ଆହାର’ କେନ୍ଦ୍ର

ଆଜିଠୁ ଖୋଲିବ ‘ଆହାର’ କେନ୍ଦ୍ର । ସାମୁଦ୍ରିକ ବାତ୍ୟା ଫନି ଯୋଗୁଁ 13ଟି ଜିଲ୍ଲାର 53ଟି ସହରାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କ୍ଷୟକ୍ଷତି ପରିମାଣ ପ୍ରାୟ 524 କୋଟି 35 ଲକ୍ଷ ଟଙ୍କା ବୋଲି ପ୍ରାଥମିକ ଆକଳନ କରିଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ। ତେବେ ବାତ୍ୟା ଫୋନି ଯୋଗୁଁ 22ଟି ସହରର 27ଟି ଆହାର କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଥିଲା । ଆଜି ପୂର୍ବାହ୍ନ 11ଟାରୁ ସମସ୍ତ ଆହାର କେନ୍ଦ୍ର ଖୋଲିବ । ସମସ୍ତ ସୂଚନା ଦେଇ ବିଭାଗୀୟ ପ୍ରମୁଖ ସଚିବ ଜି. ମାଥିଭାଥନନ୍ କହିଲେ ଯେ, ଫୋନି ଯୋଗୁଁ ପୁରୀ, ଭୁବନେଶ୍ବର ସମେତ ବିଭିନ୍ନ ସହରାଞ୍ଚଳର 191.124 କି.ମି. ଡ୍ରେନ୍, 750.440 କି.ମି. ରାସ୍ତା, 267ଟି କଲଭର୍ଟ, ସ୍ବିରେଜ୍, ଏସଟିପି, ଏଲଇଡି ଷ୍ଟ୍ରିଟ୍ ଲାଇଟ୍, ମାର୍କେଟ୍ କମ୍ପ୍ଲେକ୍ସ, ସ୍ବାସ୍ଥ୍ୟକେନ୍ଦ୍ର, ପାଠାଗାର ଆଦି ପୌରାଞ୍ଚଳ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ସେ କହିଲେ ବାତ୍ୟା ଯୋଗୁଁ ସହରାଞ୍ଚଳରେ ପାନୀୟଜଳ ଭୀଷଣ ଭାବେ ପ୍ରଭାବିତ ହୋଇଥିଲା। କିନ୍ତୁ ବିଭାଗ ତରଫରୁ ପ୍ରାକ୍ ପ୍ରସ୍ତୁତି କରାଯାଇଥିବାରୁ ଅନେକାଂଶରେ ବିପର୍ଯ୍ୟୟ ପରିସ୍ଥିତିର ମୁକାବିଲା ସମ୍ଭବ ହୋଇଛି।

Spread the love