ଲାଲଗଡରେ ଥମିବ ଲାଲ୍ ଆତଙ୍କ : ଗଠନ ହେବ ବସ୍ତରିଆ ଟାଇଗର ବାଟାଲିୟନ

ମାଲକାନଗିରି,୦୨/୧୦:  ଲାଲଗଡରେ ଥମିବ ନକ୍ସଲଙ୍କ ଆତଙ୍କ । ମାଓ ଇଲାକାରେ ଆଗକୁ ବଢିବ ସରକାରଙ୍କ ବିକାଶମୂଳକ କାମ । ଏହି ଲକ୍ଷ୍ୟ ନେଇ ଛତିଶଗଡ ବସ୍ତର ଇଲାକାରେ ଗଠନ ହେବାକୁ ଯାଉଛି ବସ୍ତରିଆ ଟାଇଗର ବାଟାଲିୟନ ।

ମାଲକାନଗିରି ସୀମାନ୍ତ ସୁକୁମା, ଦନ୍ତେୱାଡା ଓ ବିଜାପୁର ଜିଲ୍ଲାରେ ମାଓ ବିରୋଧୀ ଅପରେସନ କରିବ ଏହି ଟାଇଗର ବାଟାଲିଆନ । ଏଥିପାଇଁ ଦନ୍ତେୱାଡାରେ ଆରମ୍ଭ ହୋଇଛି ତାଲିମ ପ୍ରକ୍ରିୟା । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩ ହଜାର ଯୁବକ ଓ ଯୁବତି ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏମାନଙ୍କୁ ଗରିଲା ଯୁଦ୍ଧର ତାଲିମ ଦିଆଯାଉଛି । ଅତ୍ୟାଧୁନିକ ବନ୍ଧୁକ ଚାଳନା, ବିନା ଖାଦ୍ୟରେ ଜଙ୍ଗଲ ଭିତରେ ଜୀବନଯାପନ କରିବାର କୌଶଳ ଶିଖାଉଛି ଦନ୍ତେୱାଡା ପୋଲିସ ।

ବସ୍ତରିଆ ଟାଇଗର ବାଟାଲିଆନରେ ପ୍ରଥମ ପର୍ଯ୍ୟାୟରେ ୪ଶହ ଜଣଙ୍କୁ ସାମିଲ କରାଯିବ । ଅନ୍ୟମାନଙ୍କୁ ଛତିଶଗଡ ପୋଲିସର ଡି.ଆର.ଜି ବାହିନୀରେ ଭର୍ତ୍ତି ହେବା ଲାଗି ସୁଯୋଗ ମିଳିବ । ଭାରତୀୟ ସେନା ବାହିନୀରେ ଭର୍ତ୍ତି ହେବା ଲାଗି ଦନ୍ତେୱାଡା ଜିଲ୍ଲା ପ୍ରଶାସନ ସହାୟତା କରିବ । ତାଲିମ ନେଉଥିବା ଯବକ ଯୁବତିଙ୍କ ମଧ୍ୟରେ ୨୩ ଜଣ ଏମିତି ଅଛନ୍ତି ଯେଉଁ ମାନଙ୍କ ବାପା-ମାଆଙ୍କୁ ନକ୍ସଲ ମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି ।

ସ୍ଥାନୀୟ ସମସ୍ୟାକୁ ସ୍ଥାନୀୟ ଲୋକେ ବୁଝି ପାରିବେ । ଏହାସହ ସ୍ଥାନୀୟ ଜଙ୍ଗଲ ସଂପର୍କରେ ମଧ୍ୟ ଅବଗତ ରହିଥିବେ । ତେଣୁ ବସ୍ତରିଆ ଟାଇଗର ବାଟାଲିଅନ, ମାଓ ମୁକାବିଲା ରଣନୀତିର ଏକ ସଫଳ ଅଂଶ ପାଲଟିବ ବୋଲି ଆଶା କରାଯାଉଛି ।

Spread the love