ନବରାତ୍ରିର ଦ୍ୱିତୀୟ ଦିନରେ କରନ୍ତୁ ମା’ ବ୍ରହ୍ମଚାରୀଣିଙ୍କୁ ପୂଜା

ଭୁବନେଶ୍ୱର ୦୭/୧୦ : ହିନ୍ଦୁ ଧର୍ମରେ ଶାରଦୀୟ ନବରାତ୍ରି ବହୁତ ପବିତ୍ର ବୋଲି କୁହାଯାଏ। ଅକ୍ଟୋବର ୭ ତାରିଖ, ଗୁରୁବାର ଠାରୁ ନବରାତ୍ରି ବ୍ରତ ଆରମ୍ଭ ହୋଇଛି। ପ୍ରଥମେ ଦିନରେ ମା’ ଶୈଳପୁତ୍ରୀଙ୍କୁ ଆରାଧନା କରାଯାଏ। ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରୀଣିଙ୍କୁ ଆରାଧନା କରାଯିବ। ଶାସ୍ତ୍ରରେ ମା’ ବ୍ରହ୍ମଚାରୀଣିଙ୍କୁ ମା’ ଦୁର୍ଗାଙ୍କ ବିଶେଷ ସ୍ୱରୂପ ବୋଲି କୁହାଯାଇଛି। ମା’ଙ୍କ ଆରାଧନାରେ ତପ, ଶକ୍ତି, ତ୍ୟାଗ, ସଦାଚାର, ସଂଯମ ଓ ବୈଭବ ବୃଦ୍ଧି ହୋଇଥାଏ ଓ ଶତ୍ରୁଙ୍କୁ ପରାଜିତ କରି ମା’ ବିଜୟ ପ୍ରଦାନ କରିଥାନ୍ତି। ମା’ଙ୍କୁ ବିଧି ପୂର୍ବକ ପୂଜା କଲେ ମା’ ସବୁ ମନୋସ୍କାମନା ପୂରଣ କରିଥାନ୍ତି ଓ ସବୁ ସମସ୍ୟା ଦୂର କରିଥାନ୍ତି।

ମା’ ବ୍ରହ୍ମଚାରୀଣିଙ୍କ ନାଁର ଅର୍ଥ ହେଲା ତପସ୍ୟା ଓ ଆଚରଣ। ମା’ଙ୍କ ଡାହାଣ ହାତରେ ତପ ମାଳା ଓ ବାମ ହାତରେ କମଣ୍ଡଳ ଶୋଭା ପାଏ। ମା’ଙ୍କୁ ପୂଜା କଲେ ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଥାଏ। ଜୀବନରେ ଆତ୍ମବିଶ୍ୱାସର ମୁଖ୍ୟ ଭୂମିକା ରହିଛି। ମା’ଙ୍କ କୃପା ପ୍ରାପ୍ତ ହେଲେ ବ୍ୟକ୍ତି ଜୀବନରେ କୌଣସି ସଙ୍କଟକୁ ଭୟ କରେ ନାହିଁ।

ପୂଜା ବିଧି – ଶୁକ୍ରବାର ସକାଳେ ନିତ୍ୟକର୍ମ ସାରି ସ୍ନାନ କରିବେ। ସ୍ୱଚ୍ଛ ବସ୍ତ୍ର ଧାରଣ କରି ପୂଜା ସ୍ଥଳରେ ଆସନ ପକାଇ ବସିବେ। ମା’ଙ୍କୁ ଅକ୍ଷତ, ଫୁଲ, ଚନ୍ଦନ, ନାଲି ସୁତା ଅର୍ପଣ କରିବେ। ମା’ଙ୍କୁ କ୍ଷୀର, ଦହି, ଘୃତ, ମହୁ ଓ ଚିନିରେ ସ୍ନାନ କରାଇବେ। ମା’ଙ୍କୁ ପାନ, ସୁପାରୀ, ଲବଙ୍ଗ ଅର୍ପଣ କରିବେ। ତାପରେ ମନ୍ତ୍ର ଉଚ୍ଚାରଣ କରି ମା’ଙ୍କୁ ଆରାଧନା କରିବେ।
ପୁରାଣ କଥା ଅନୁଯାୟୀ, ମା’ ବ୍ରହ୍ମଚାରୀଣି ପର୍ବତରାଜ ହିମାଳୟଙ୍କ ପୁତ୍ରୀ। ଭଗବାନ ଶିବଙ୍କୁ ସ୍ୱାମୀ ରୂପେ ପାଇବାକୁ ମା’ ବ୍ରହ୍ମଚାରୀଣି କଠୋର ତପସ୍ୟା କରିଥିଲେ। ସେଥିପାଇଁ ତାଙ୍କୁ ବ୍ରହ୍ମଚାରୀଣି କୁହାଗଲା। ପୌରାଣିକ କଥା ଅନୁସାରେ ମା’ ହଜାରେ ବର୍ଷ ଯାଏଁ ଫଳମୂଳ ଖାଇ ଜୀବନ ଅତିବାହିତ କରିଥିଲେ। ଏହାପରେ ମା’ କଠିନ ଉପବାସ ରଖିଲେ ଓ ଖୋଲା ଆକାଶ ତଳେ ଖରା ବର୍ଷା ସହ୍ୟ କରିଥିଲେ। ଛିଣ୍ଡା ବେଲ ପତ୍ର ସେବନ କରି ଭଗବାନ ଶିବଙ୍କୁ ଆରାଧନା କରିଥିଲେ। ଶିବ ଯେତେବେଳେ ପ୍ରସନ୍ନ ହୋଇନଥିଲେ ସେ ବେଲ ପତ୍ର ସେବନ କରିବା ଛାଡିଦେଲେ ଓ ଅନେକ ବର୍ଷ ଯାଏଁ ନିର୍ଜଳା ତପସ୍ୟା କରିଥିଲେ। କଠୋର ତପସ୍ୟା ଯୋଗୁଁ ସେ ଦୁର୍ବଳ ହୋଇପଡିଥିଲେ। ମା’ଙ୍କ ତପସ୍ୟା ଦେଖି ଦେବତା, ମୁନିଋଷି ସମସ୍ତେ ତାଙ୍କୁ ପ୍ରଶଂସା କରିଥିଲେ ଓ ତାଙ୍କ ମନୋସ୍କାମନା ପୂରଣ ହେବ ବୋଲି ଆଶୀର୍ବାଦ ଦେଇଥିଲେ।

Spread the love