2ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ମୋଦି

ଦେଶରେ ଆରମ୍ଭ ହୋଇଛି ମୋଦୀ ରାଜ। ଭାରତର ପଞ୍ଚଦଶ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦୀ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଦେଶ-ବିଦେଶର ପ୍ରାୟ 8000 ଅତିଥିଙ୍କ ଉପସ୍ଥିତିରେ ମୋଦୀ ପ୍ରଧାନମନ୍ତ୍ରିତ୍ୱ ସମ୍ଭାଳିଛନ୍ତି।

ବିଶ୍ୱର ସର୍ବବୃହତ୍‍ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ବହୁ ରାଷ୍ଟ୍ରମୁଖ୍ୟ, ଶାସନ ମୁଖ୍ୟ, ସମ୍ବିଧାନ ବିଶେଷଜ୍ଞ ଓ କୂଟନୈତୀଜ୍ଞ ମାନେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଛନ୍ତି । ସରକାରଙ୍କ ପ୍ରଥମେ ପଡ଼ୋଶୀ ନୀତି ଦୃଷ୍ଟିରୁ ଭାରତ ବିମ୍‍ଷ୍ଟେକ୍‍ ରାଷ୍ଟ୍ରସମୂହର ମୁଖ୍ୟମାନଙ୍କୁ ଏହି ଉତ୍ସବକୁ ଆମନ୍ତ୍ରଣ କରିଛି। ବାଂଲାଦେଶ, ଶ୍ରୀଲଙ୍କା, କିରଗିଜ୍‍ ସାଧାରଣତନ୍ତ୍ର ଓ ମ୍ୟାଁମାର ରାଷ୍ଟ୍ରପତି ଏବଂ ମରିସସ୍‍, ନେପାଳ, ଭୁଟାନର ପ୍ରଧାନମନ୍ତ୍ରୀ ତଥା  ଥାଇଲାଣ୍ଡର ସ୍ୱତନ୍ତ୍ର ଦୂତ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଛନ୍ତି। 2014 ମସିହାରେ ନରେନ୍ଦ୍ର ମୋଦୀ ପଡ଼ୋଶୀ ରାଷ୍ଟ୍ରଗୁଡିକ ସହ ଉତ୍ତମ ସମ୍ପର୍କ ସ୍ଥାପନ ଲକ୍ଷ୍ୟରେ ତାଙ୍କ ଶପଥ ଗ୍ରହଣ ଉତ୍ସବକୁ ସାର୍କ ନେତାମାନଙ୍କୁ ନିମନ୍ତ୍ରଣ କରିଥିଲେ ।

ଉପ ରାଷ୍ଟ୍ରପତି ଏମ. ଭେଙ୍କିୟା ନାଇଡୁ, ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼କ୍ଟର ମନମୋହନ ସିଂହ, ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ,କଂଗ୍ରେସ ସଭାପତି ରାହୁଲ୍‍ ଗାନ୍ଧି, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ତଥା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଅଛନ୍ତି ।

ଶପଥ ଗ୍ରହଣ କରିବା ପୂର୍ବରୁ ଆଜି ସକାଳେ ସେ ରାଜଘାଟ ଯାଇ ଜାତିର ପିତା ମହାତ୍ମାଗାନ୍ଧିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଟ୍ୱିଟ୍‍ କରି ଶ୍ରୀ ମୋଦି କହିଛନ୍ତି, ଚଳିତ ବର୍ଷ ଦେଶ ଗାନ୍ଧିଜୀଙ୍କ 150ତମ ଜନ୍ମବାର୍ଷିକୀ ପାଳନ କରୁଛି। ଏହି ଅବସରରେ ବାପୁଙ୍କର ମହନ ଚିନ୍ତାଧାରା ଆହୁରି ଲୋକପ୍ରିୟ ହେବ ଏବଂ ଗରିବ, ଅବହେଳିତ ଓ ଦଳିତମାନଙ୍କୁ କ୍ଷମତାପନ୍ନ କରିବାପାଇଁ ଲୋକମାନଙ୍କୁ ଅନୁପ୍ରାଣିତ କରିବ ବୋଲି ପ୍ରଧାନମନ୍ତ୍ରୀ ପ୍ରାର୍ଥନା କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାପାଇଁ ମୋଦୀ ସଦୈବ ଅଟଳ ସମାଧି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ସେ କହିଛନ୍ତି, ଅଟଳଜୀଙ୍କ ଜୀବନୀ ଓ କାର୍ଯ୍ୟରୁ ଅନୁପ୍ରାଣିତ ହୋଇ ତାଙ୍କ ସରକାର ଉତ୍ତମ ପ୍ରଶାସନ ପ୍ରଦାନ ଦିଗରେ ପ୍ରୟାସୀ ହେବ ଏବଂ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବ।

ସେହିପରି ଶପଥ ଗ୍ରହଣ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଐତିହାସିକ ଇଣ୍ଡିଆ ଗେଟ୍‍ ଯାଇ ଜାତୀୟ ଯୁଦ୍ଧସ୍ମାରକୀ ପରିଦର୍ଶନ କରିବା ସଙ୍ଗେ ସଙ୍ଗେ ଶହୀଦ୍‍ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଚଳି ଅର୍ପଣ କରିଥିଲେ। ଦେଶରେ ଏକତା ଓ ଅଖଣ୍ଡତାକୁ ସୁରକ୍ଷିତ ରଖିବାପାଇଁ ତାଙ୍କ ସରକାର କଦାପି ଅବହେଳା କରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ସେ କହିଛନ୍ତି, ଜାତୀୟ ନିରାପତ୍ତାକୁ ଅଗ୍ରାଧିକାର ଦିଆଯିବ। କର୍ତ୍ତବ୍ୟ ସଂମ୍ପାଦନ ସମୟରେ ଦେଶପାଇଁ ବଳିଦାନ ଦେଇଥିବା ସାହସୀ ପୁରୁଷ ଓ ମହିଳା ଶହୀଦ୍‍ ଯବାନମାନଙ୍କ ପାଇଁ ଦେଶ ଆଜି ଗର୍ବିତ ବୋଲି ସେ କହିଛନ୍ତି।

2019 ସାଧାରଣ ନିର୍ବାଚନରେ ପୁଣି ଅଗ୍ନିପରୀକ୍ଷା ଦିଅନ୍ତି ମୋଦୀ। ନିଜର ପ୍ରଥମ ଶାସନ କାଳରେ ବିମୁଦ୍ରୀକରଣ ଓ ଜିଏସ୍‌ଟି ପ୍ରଚଳନ ଭଳି ବଡ଼ ବଡ଼ ନିଷ୍ପତ୍ତି ନେଇ ଥିବା ମୋଦୀଙ୍କୁ ବିରୋଧୀଙ୍କ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼େ। ଏଥିସହ ସୁପ୍ରିମକୋର୍ଟ ଏବଂ ସିବିଆଇ ଭଳି ସାମ୍ବିଧାନିକ ସଂସ୍ଥାରେ ବିବାଦ ମୋଦୀଙ୍କ ଶାସନ ଦକ୍ଷତା ଉପେର ପ୍ରଶ୍ନ ଚିହ୍ନ ଲଗାଏ। ଫ୍ରାନ୍‌ସ୍‌ରୁ ରାଫେଲ ବିମାନ କିଣାରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ସନ୍ଦେହଜନକ ଭୂମିକା ନେଇ କଂଗ୍ରେସ ମୋଦୀଙ୍କ ସ୍ୱଚ୍ଛ ଶାସନ ଉପରେ ପ୍ରଶ୍ନ ଚିହ୍ନ ଉଠାଏ। ପ୍ରଧାନମନ୍ତ୍ରୀଙ୍କ ଇଙ୍ଗିତରେ ହଜାର ହଜାର କୋଟିର ଦୁର୍ନୀତି ହୋଇଛି ବୋଲି ଅଭିଯୋଗ ବଢ଼େ। ମାତ୍ର ନିର୍ବାଚନରେ ଏସବୁ ଅଭିଯୋଗ ଜୋର ଧରେ ନାହିଁ। ପୁଣି ବହୁମତରେ ମୋଦୀଙ୍କ ନେତୃତ୍ୱରେ କ୍ଷମତାକୁ ଫେରେ ଭାରତୀୟ ଜନତା ପାର୍ଟି।

Spread the love