ଅଲ୍‌ ଓଡିଶା ବିଚ୍‌ କୁସ୍ତି ଚମ୍ପିଆନ୍‌ସିପ୍‌ ଉଦ୍‌ଯାପିତ, ଭାଗ ନେଇଥିଲେ ୨ଶହରୁ ଅଧିକ ପ୍ରତିଯୋଗୀ

ପୁରୀ ୨୭।୧୦:  ଅଲ୍ ଓଡିଶା ବିଚ୍ କୁସ୍ତି ଚମ୍ପିୟନସିପ୍ ପୁରୀ ନିଳାଦ୍ରୀ ବେଳାଭୂମିରେ ଉଦଯାପିତ ହୋଇଛି। ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ରୀଡା ସଂସଦ, ଓଡିଶା କୁସ୍ତି ସଂଘ ଓ ଜିଲ୍ଲାର ସମସ୍ତ ଯାଗା ଓ ଆଖଡାର ମିଳିତ ଆନୁକୂଲ୍ୟରେ ଏହି ଚମ୍ପିଆନସିପ୍ ଆୟୋଜନ କରାଯାଇଥିଲା। ୧୨ ରୁ ୧୫, ୧୬ ରୁ ୧୮ ଏବଂ ୧୯ ବର୍ଷ ବୟସରୁ ଅଧିକ ଉଭୟ ବାଳକ ଓ ବାଳିକା , ପୁରୁଷ ଏବଂ ମହିଳା ବିଭାଗରେ ୪୦ ଜଣଙ୍କୁ ଚମ୍ପିଅନ ଓ ରନର୍ସଅପ ଭାବେ ପୁରସ୍କୃତ କରାଯାଇଛି। ପ୍ରତ୍ୟେକ ବିଭାଗର ବିଜେତାଙ୍କୁ ୫ ହଜାର ଓ ରନର୍ସଙ୍କୁ ୩ ହଜାର ଟଙ୍କା ପୁରସ୍କାର ରାଶି, ମାନପତ୍ର ସହ ସ୍ପୋର୍ଟ୍ସ କିଟ ପ୍ରଦାନ କରାଯାଇଛି। ପ୍ରାୟ ୨୦୦ ଜଣ ପ୍ରତିଯୋଗୀ ଏଥିରେ କୁସ୍ତି ପ୍ରତିଯୋଗିତାରେ ଭାଗ ନେଇଥିଲେ। 

ଖବର ଅନୁଯାୟୀ,  ପୁରୀ ନିଳାଦ୍ରୀ ବିଚରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ୨ଦିନିଆ ଅଲ୍ ଓଡିଶା ବିଚ୍ କୁସ୍ତି ପ୍ରତିଯୋଗିତା ଉଦଯାପିତ ହୋଇଛି। ଏହି ପ୍ରତିଯୋଗିତାରେ ୧୨ ରୁ ୧୫ ବର୍ଷ ବୟସ ମଧ୍ୟରେ ୩୫ ରୁ ୪୦ କେଜି, ୪୦ ରୁ ୪୫ କେଜି ଓ ୪୫ ରୁ ୫୦ କେଜି ବର୍ଗରେ ଅନୁଷ୍ଠିତ ପ୍ରତିଯୋଗିତା ରେ ୩ଜଣ ପୁରୁଷ ଓ ୩ ଜଣ ମହିଳା ପ୍ରତିଯୋଗୀ ବିଜେତା ହୋଇଛନ୍ତି। ସେହିପରି ୧୬ ରୁ ୧୮ ବର୍ଷ ବୟସ ମଧ୍ୟରେ ୫୦ ରୁ ୫୫ କେଜି, ୫୫ ରୁ ୬୦, ୬୦ ରୁ ୬୫, ୬୫ ରୁ ୭୫ ଓ ୭୫ ରୁ ୮୫ କେଜି ପ୍ରତିଯୋଗିତାରେ ୩ ଜଣ ବିଜେତା ହୋଇଥିଲେ। ମୋଟ ୧୦ ଟି ବର୍ଗରେ ୧୦ ଜଣ ମହିଳା ଓ ୧୦ ଜଣ ପୁରୁଷ ବିଜେତାଙ୍କୁ ୫ ହଜାର ଟଙ୍କା ର ଅର୍ଥରାଶି ସହ ମାନପତ୍ର ଓ ସ୍ପୋଟର୍ସ ଉପକରଣ ଦେଇ ପୁରସ୍କୃତ କରାଯାଇଥିଲା। ପ୍ରଶାସନର ଏଭଳି ପ୍ରୟାସକୁ କୁସ୍ତିବିତ ମାନେ ବେଶ୍ ପ୍ରଶଂସା କରିଛନ୍ତି। 

ସେହିପରି ପୁରୁଷ ଓ ମହିଳା ବର୍ଗରେ ୧୦ ଜଣ ପୁରୁଷ ଓ ୧୦ ଜଣ ଉପବିଜତାଙ୍କୁ ୩ ହଜାର ଟଙ୍କାର ଆର୍ଥିକ ପୁରସ୍କାର ରାଶି ସହ ମାନପତ୍ର ଓ ସ୍ପୋଟର୍ସ ଉପକରଣ ଦେଇ ପୁରସ୍କୃତ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ରବିଶଙ୍କର ପ୍ରତିହାରୀ ପ୍ରମୁଖ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ମ୍ୟାଚକୁ ୩୦ ଜଣ ଅଫିସିଆଲ୍ ଓ ୨୦ ଜଣ ସ୍ବେଚ୍ଛାସେବୀ ପରିଚାଳନା କରିଥିଲେ। 

ତେବେ ଏହି ମ୍ୟାଚ୍ ଦେଖିବା ପାଇଁ ନିଳାଦ୍ରୀ ବିଚ୍ ରେ କ୍ରୀଡା ପ୍ରେମୀଙ୍କ ଭିଡ ଜମିଥିଲା । ଆଗକୁ ଏଠାରେ ରାଜ୍ୟସ୍ତରୀୟ ବିଚ କବାଡି ଓ ବକ୍ସିଂ ପ୍ରତିଯୋଗିତା ଆୟୋଜନ କରିବା ନେଇ ପ୍ରଶାସନ ଲକ୍ଷ୍ୟ ରଖିଛି। 

Spread the love